ନୂଆଦିଲ୍ଲୀ: ଜମି ବଦଳରେ ରେଳବାଇରେ ଚାକିରି (ଲ୍ୟାଣ୍ଡ୍ ଫର୍ ଜବ୍) ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କ ପରିବାରର ଅଡ଼ୁଆ ବଢ଼ିପାରେ । ଦିଲ୍ଲୀର ରାଉଜ୍ ଏଭେନ୍ୟୁ କୋର୍ଟ ଆର୍ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ, ତାଙ୍କ ପତ୍ନୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡ଼ି ଦେବୀ ଏବଂ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ସମନ କରିଛି । ସମସ୍ତ ଅଭିଯୁକ୍ତଙ୍କୁ ଅକ୍ଟୋବର ୪ରେ କୋର୍ଟରେ ହାଜର ପାଇଁ ଆଦେଶ ଦିଆଯାଇଛି । ସିିବିଆଇ ଚାର୍ଜଶିଟ୍ ଉପରେ ଶୁଣାଣି କରି ଶୁକ୍ରବାର କୋର୍ଟ ଏହି ଆଦେଶ ଦେଇଛନ୍ତି ।
କେନ୍ଦ୍ରୀୟ ଯାଞ୍ଚ୍ ଏଜେନ୍ସି ସିବିଆଇ ରେଳବାଇରେ ହୋଇଥିବା ଏହି କଥିତ ଘୋଟାଲାର ଯାଞ୍ଚ୍ କରୁଛି । ଏଜେନ୍ସି ଗତ ଜୁଲାଇ ୩ ତାରିଖରେ ଏହି ମାମଲାରେ ସପ୍ଲିମେଣ୍ଟାରୀ ଚାର୍ଜଶିଟ୍ ଦାଖଲ କରିଥିଲା । ଏଥିରେ ତେଜସ୍ୱୀ ଯାଦବଙ୍କୁ ମଧ୍ୟ ଅଭିଯୁକ୍ତ କରାଯାଇଥିଲା । କୋର୍ଟ ଶୁକ୍ରବାର ଏହି ଚାର୍ଜଶିଟ୍ ଉପରେ ସଂଜ୍ଞାନ ନେଇ ତେଜସ୍ୱୀ ସମେତ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର ହେବାକୁ ଆଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୪ରେ ହେବ ଏହି ସମସ୍ତ ଅଭିଯୁକ୍ତ ଏହିଦିନ ଉପସ୍ଥିତ ରହିବାକୁ କୋର୍ଟ କହିଛନ୍ତି ।