ନୂଆଦିଲ୍ଲୀ: ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟବସ୍ଥା ପୁଣି ଥରେ ଖରାପ ହୋଇଛି। ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସ ଯୋଗେ ଲାଲୁଙ୍କୁ ଦିଲ୍ଲୀ ଅଣାଯିବ ବୋଲି କୁହାଯାଉଛି। ସେ ଆଜି ଅପରାହ୍ନ ୫ଟା ମଧ୍ୟରେ ଦିଲ୍ଲୀ ଏମ୍ସରେ ଆସି ପହଞ୍ଚିବେ ବୋଲି ସୂଚନା ମିଳିଛି । ରାଞ୍ଚିସ୍ଥିତ ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ (ରିମ୍ସ)ରୁ ବିମାନବନ୍ଦର ପର୍ଯ୍ୟନ୍ତ ଏକ ଗ୍ରୀନ୍ କରିଡର ନିର୍ମାଣ କରାଯିବ। ଏହା କୁହାଯାଉଛି ଯେ ତାଙ୍କର କ୍ରିଏଟିନାଇନ୍ ସ୍ତର ୪.୧ ରୁ ୪.୬କୁ ବୃଦ୍ଧି ପାଇଛି। ଲାଲୁଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ମେଡିକାଲ ବୋର୍ଡର ଏକ ବୈଠକ ଡକାଯାଇଛି। ରିମ୍ସ ମେଡିକାଲ ବୋର୍ଡର ଡାକ୍ତରଙ୍କ ବୈଠକ ପରେ ତାଙ୍କୁ ଏମ୍ସକୁ ପଠାଇବାକୁ ନିଷ୍ପତ୍ତି ନିଆଯିବ।
ତେବେ ଏହାପୂର୍ବରୁ ଫେବ୍ରୁଆରି ୨୧ରେ ଲାଲୁ ଡୋରାଣ୍ଡା ଟ୍ରେଜେରୀ ସହ ଜଡିତ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ରାଞ୍ଚିର ସ୍ସ୍ୱତନ୍ତ୍ର ସିବିଆଇ ଅଦାଲତରେ ସୋମବାର ୬୦ ଲକ୍ଷ ଟଙ୍କାର ଜରିମାନା ସହ ୫ ବର୍ଷର ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ। ୨୦୧୩ରେ ସେ ଗୋଖାଦ୍ୟଦୁର୍ନୀତି ମାମଲାରେ ପ୍ରଥମେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଦ୍ଦ୍ୱିତୀୟ ମାମଲାରେ ୨୦୧୭ରେ, ତୃତୀୟ ଏବଂ ଚତୁର୍ଥ ମାମଲାରେ ୨୦୧୮ ଜାନୁଆରି ଏବଂ ମାର୍ଚ୍ଚରେ ଲାଲୁ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତେବେ ଏସବୁ ମାମଲାରେ ଲାଲୁ ଜାମିନ ପାଇସାରିଛନ୍ତି। ପଞ୍ଚମ ତଥା ଚୂଡ଼ାନ୍ତ ମାମଲାରେ ତାଙ୍କୁ ୫ବର୍ଷ ଦଣ୍ଡାଦେଶ ମିଳିଥିଲା।