ନୂଆଦିଲ୍ଲୀ : ଏଆଇଏଫ୍ଏଫ୍ ସାଧାରଣ ସମ୍ପାଦକ କୁଶଲ ଦାସ ସ୍ୱାସ୍ଥ୍ୟଗତ କାରଣରୁ ବୁଧବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ତେବେ ସୁପ୍ରିମ୍କୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସନିକ କମିଟି (ସିଓଏ) ତାଙ୍କୁ ପଦରୁ ହଟାଇଥିବା ଆଲୋଚନା ହେଉଛି । ଗତ ୨୦୧୦ରୁ ଏହି ଦାୟିତ୍ୱ ତୁଲାଇଆସୁଥିବା ଶ୍ରୀ ଦାସ ସ୍ୱାସ୍ଥ୍ୟଗତ କାରଣରୁ ଜୁନ୍ ୨୦ରୁ ଛୁଟିରେ ଥିଲେ । ବର୍ତ୍ତମାନ ଦେଶରେ ଫୁଟ୍ବଲ୍ କ୍ରୀଡ଼ାର ଗତିବିଧି ଦେଖାଶୁଣା କରୁଥିବା ପ୍ରଶାସନିକ କମିଟିକୁ ସେ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଥିଲେ । ମହାସଂଘର ନିର୍ବାଚନ ନିର୍ଦ୍ଧାରିତ ସମୟରେ କରାଇ ନଥିବାରୁ ମହାସଂଘର ସଭାପତି ପ୍ରଫୁଲ୍ଲ ପଟେଲ୍ଙ୍କୁ ପଦରୁ ହଟାଇ ସୁପ୍ରିମ କୋର୍ଟ ଏକ ପ୍ରଶାସନିକ କମିଟି ନିଯୁକ୍ତ କରିଥିଲେ ।