ଭୁବନେଶ୍ୱର: ୨୦୧୨ମସିହାରେ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ରସୁଲଗଡ ଅଞ୍ଚଳରେ ପତ୍ନୀକୁ ଯୌତୁକ ପାଇଁ ସ୍ୱାମୀ କାଠଫାଳିଆରେ ହତ୍ୟା କରିଥିଲା । ଏହି ମାମଲାର ବିଚାର କରି ଅଭିଯୁକ୍ତ ସ୍ୱାମୀ ଶ୍ରୀକାନ୍ତ ପରିଡାଙ୍କୁ କୋର୍ଟ ଆଜୀବନ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି । ଭୁବନେଶ୍ୱର ଅତିରିକ୍ତ ଜିଲା ଦୌରାଜଜ୍ ସସ୍ମିତା ପାଢ଼ୀ ମଙ୍ଗଳବାର ଏହି ରାୟ ଶୁଣାଇଛନ୍ତି । ଏଥିସହ ସମୁଦାୟ ୧୩ହଜାର ଟଙ୍କା ଜୋରିମାନା ଦେବାକୁ କହିଛନ୍ତି । ଜୋରିମାନା ଅନାଦେୟ ହେଲେ ବର୍ଷେରୁ ଅଧିକ ଜେଲ୍ ଦଣ୍ଡ ହେବ । ଏହି ମାମଲାରେ ଅନ୍ୟ ଅଭିଯୁକ୍ତ ଶ୍ରୀକାନ୍ତଙ୍କ ବାପା ଧ୍ରୁବ ପରିଡା, ଭଉଣୀ ପ୍ରମିଳା ବିଶ୍ୱାଳ ଜାମିନରେ ଆସିଥିବାବେଳେ ଉଭୟଙ୍କ ଶୁଣାଣି ବାକି ରହିଛି ।
ଏଥିସହ ରାଜ୍ୟ ପୀଡ଼ିତା ସହାୟତା ଯୋଜନା ମାଧ୍ୟମରେ ମୃତା ଲକ୍ଷ୍ମୀପ୍ରିୟା ଜେନାଙ୍କ ନାବାଳକ ପୁଅକୁ ସହାୟତା ରାଶି ଦେବା ପାଇଁ କୋର୍ଟ ରାଜ୍ୟସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାକୁ ସରକାରଙ୍କ ପକ୍ଷରୁ ଓକିଲ ପ୍ରଦୀପ କୁମାର ମିଶ୍ର ପରିଚାଳନା କରୁଥିଲେ।
ସୂଚନା ଅନୁଯାୟୀ, ଜଗତସିଂପୁର ଜିଲା ବାଲିକୁଦା ଥାନା ଅଞ୍ଚଳର ଶ୍ରୀକାନ୍ତ ପରିଡା ରସୁଲଗଡ଼ରେ ରହି ଫିନାଇଲ, ବ୍ଲିଚିଂ ପାଉଡ଼ର ଆଦି ବ୍ୟବସାୟ କରୁଥିଲେ । ବାଲିକୁଦାର ଲକ୍ଷ୍ମୀପ୍ରିୟାଙ୍କୁ ୨୦୦୫ ମସିହାରେ ସେ ବିବାହ କରିଥିଲେ ।
ବିବାହ ପୂର୍ବରୁ ଲକ୍ଷ୍ମୀପ୍ରିୟାଙ୍କ ମା ବାପାଙ୍କ ମୃତ୍ୟୁ ହୋଇଯାଇଥିଲା । ଦାବି ମୁତାବକ ଶ୍ରୀକାନ୍ତଙ୍କୁ ୫୦ଗ୍ରାମର ସୁନା, ୧ଲକ୍ଷ ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ଯୌତୁକରେ ଦିଆଯାଇଥିଲା । ହେଲେ ସେ ପୁଣି ୧ଲକ୍ଷ ଟଙ୍କା ଦାବି କରି ଲକ୍ଷ୍ମୀପ୍ରିୟାଙ୍କୁ ମାଡ଼ ମାରୁଥିଲେ । ଲକ୍ଷ୍ମୀପ୍ରିୟାଙ୍କ ଭାଇ ୧୦ହଜାର ଟଙ୍କା ଶ୍ରୀକାନ୍ତଙ୍କୁ ଦେବା ପରେ ମଧ୍ୟ ସେ ନିର୍ଯାତନା ଦେଇଆସୁଥିଲେ । ଏଥିରେ ଶ୍ରୀକାନ୍ତଙ୍କ ବାପା ଧ୍ରୁବ ଓ ଭଉଣୀ ପ୍ରମିଳା ସହଯୋଗ କରୁଥିଲେ । ୨୦୧୨ ନଭେମ୍ବର ୭ ତାରିଖ ରାତିରେ ଶ୍ରୀକାନ୍ତ ଏକ କାଠ ଫାଳିଆରେ ୬ବର୍ଷର ପୁଅ ସାମ୍ନାରେ ଲକ୍ଷ୍ମୀପ୍ରିୟାଙ୍କୁ ପ୍ରବଳ ପିଟିଥିଲେ । ଫଳରେ ଲକ୍ଷ୍ମୀପ୍ରିୟାଙ୍କ ମୃତ୍ୟୁ ହୋଇଥିଲା ।
ଏହାପରେ ଶ୍ରୀକାନ୍ତ ନାବାଳକ ପୁଅକୁ ଧରି ରସୁଲଗଡ ଥାନାରେ ଆତ୍ମସମର୍ପଣ କରିଥିଲେ । ଯୌତୁକ ପାଇଁ ଲକ୍ଷ୍ମୀପ୍ରିୟାଙ୍କୁ ହତ୍ୟା କରାଯାଇଥିବା କାକା ମାଗୁଣୀ ଜେନା ମହିଳା ଥାନାରେ ଅଭିଯୋଗ କରିଥିଲେ । ଏନେଇ ମହିଳା ଥାନା ପୁଲିସ କେସ ନଂ ୪୫୬/୨୦୧୨ରେ ଆଇପିସି ଧାରା ୪୯୮(ଏ), ୩୦୨, ୩୦୪(ବି) ଓ ଯୌତୁକ ଆଇନ ଧାରା-୪ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହାପରେ ଶ୍ରୀକାନ୍ତଙ୍କ ସମେତ ତାଙ୍କ ବାପା ଓ ଭଉଣୀଙ୍କୁ ପୁଲିସ ଗିରଫ କରି ଜେଲ୍ ପଠାଇଥିଲା । ବାପା ଓ ଭଉଣୀ ଜାମିନ୍ରେ ଆସିଥିବାବେଳେ ଶ୍ରୀକାନ୍ତ ଜେଲ୍ରେ ରହିଆସୁଛନ୍ତି ।