ସମ୍ବଲପୁର : ସହରର ଅଇଁଠାପାଲି ଥାନା ଇଲାକାର ବସଷ୍ଟାଣ୍ଡ ଠାରୁ ଗତମାସ ୧୯ ତାରିଖ ରାତିରେ ଅପହୃତା ମହିଳାଙ୍କୁ ରାଜସ୍ଥାନର ଚିତୋରଗଡ଼ ଜିଲ୍ଲା ଅନ୍ତର୍ଗତ ରାବତଭାଟା ଥାନାର ଝାଲାର ବାଓଡ଼ି ଗ୍ରାମରେ ବିକ୍ରି କରିଦିଆଯାଇଥିଲା । ପୁଲିସ ଏହି ମାମଲାରେ ଅପହୃତା ମହିଳାଙ୍କୁ ପଇସା ଦେଇ କିଣିଥିବା ପପ୍ପୁଲାଲ ଚୌଧୁରୀ ଏବଂ ଅପହରଣରେ ସାମିଲ ଅନ୍ୟ ତିନି ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ସମ୍ବଲପୁର ଜିଲ୍ଲା ଜୁଜୁମୁରା ଥାନାର ଦିଲ୍ଲୀପ ନାଏକ (୪୯), ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନାର ଦୟାଲ ଦିଗାଲ(୩୬) ଏବଂ ବୌଦ୍ଧର ଅନ୍ୟ ଜଣେ ମହିଳା ଅଛନ୍ତି । ଏହି ତିନି ଜଣ ରାଜସ୍ଥାନ କୋଟା ଜିଲ୍ଲାର ବାସିନ୍ଦା ବୋଲି ପୁଲିସ କହିଛି ।
ସୂଚନା ଅନୁଯାୟୀ, ଗତ ୫ ତାରିଖରେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଇଲାକାର ଏସ୍ କୁମ୍ଭାର ନାମକ ଜଣେ ବ୍ୟକ୍ତି ଅଇଁଠାପାଲି ଥାନାକୁ ଆସି ଏକ ଏତାଲା ଦାୟର କରିଥିଲେ । ଗତ ଡିସେମ୍ବର ମାସ ୧୯ ତାରିଖ ରାତି ୧୧ଟା ସମୟରେ ଅଇଁଠାପାଲି ବସଷ୍ଟାଣ୍ଡ ଠାରୁ ତାଙ୍କ ପତ୍ନୀଙ୍କୁ ଏକ କାର ଯୋଗେ ଜଣେ ମହିଳା ଏବଂ ଅନ୍ୟ କିଛି ଲୋକ ଅପହରଣ କରିନେଇଛନ୍ତି ବୋଲି ସେ ଏତଲାରେ ଉଲ୍ଲେଖ କରିଥିଲେ । ପୁଲିସ ପକ୍ଷରୁ ଏବାବଦରେ ତଦନ୍ତ କରାଯାଇଥିଲା । ଏଥିରେ ସମ୍ପୃକ୍ତ ଅଭିଯୁକ୍ତମାନେ ଉକ୍ତ ମହିଳାଙ୍କୁ ଅନ୍ୟତ୍ର ଚାଲାଣ କରିଥିବା ଜଣାପଡ଼ିଥିଲା । ଏପରିକି ଅପରାଧୀ ମାନେ ଅପହୃତା ମହିଳାଙ୍କୁ ଦେଢ ଲକ୍ଷ ଟଙ୍କାରେ ପପ୍ପୁଲାଲଙ୍କୁ ହସ୍ତାନ୍ତର କରିଥିଲେ । ସମ୍ପୃକ୍ତ ଅପହୃତା ମହିଳା ବୌଦ୍ଧରୁ ଏକ ବସ୍ ଯୋଗେ ବୁର୍ଲା ଥାନାର ଗୋଶାଳା ଠାରେ ଥିବା ତାଙ୍କ ବାପାଙ୍କ ଘରକୁ ଯାଉଥିଲେ । ଅଇଁଠାପାଲି ବସ୍ଷ୍ଟାଣ୍ଡରେ ମହିଳା ଜଣକ ବସ ବଦଳାଇ ଅନ୍ୟ ଏକ ବସ୍ରେ ଯିବା ପାଇଁ ଅପେକ୍ଷା କରିଥିବା ବେଳେ ଅପହୃତ ହୋଇଥିଲେ । ଏହାଙ୍କୁ ଟଙ୍କା ବଦଳରେ କିଣିଥିବା ପପ୍ପୁଲାଲ ଏକ ବନ୍ଦ କୋଠରୀରେ ବନ୍ଧକ କରି ରଖିଥିଲା । ଘଟଣାର ପନ୍ଦର ଦିନ ପରେ ଅପହୃତା ମହିଳା କୌଣସି ପ୍ରକାରେ ବୌଦ୍ଧରେ ରହୁଥିବା ନିଜ ସ୍ୱାମୀଙ୍କ ଫୋନ ଯୋଗେ ତାଙ୍କ ସ୍ଥିତି ବାବଦରେ ସୂଚାଇଥିଲେ ।
ସେ ଚିତୋରଗଡ଼ ଠିକଣା ଦେବା ସହିତ ପପ୍ପୁଲାଲ ସହିତ ବିବାହ କରିବା ପାଇଁ ତାଙ୍କୁ ବାଧ୍ୟ କରାଯାଉଥିବା ମଧ୍ୟ ସେ ଫୋନ ଯୋଗେ ସ୍ୱାମୀଙ୍କୁ ଜଣାଇଥିଲେ । ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଅପରାଧ ମାମଲା ରୁଜୁ କରାଯାଇଛି । ଗିରଫ ଅଭିଯୁକ୍ତମାନଙ୍କୁ ଆଜି ଅଦାଲତକୁ ଚାଲାଣ କରାଯାଇଥିବା ଥାନା ସୂତ୍ରରୁ ପ୍ରକାଶ । ଥାନା ଅଧିକାରୀ ଯୋଗେଶ ପଣ୍ଡାଙ୍କ ତତ୍ୱାବଧାନରେ ଅଭିଯୋଗ ତଦନ୍ତ ଚାଲିଥିଲା । ମହିଳା ଏସ୍ଆଇ ଜ୍ୟୋତିର୍ମୟୀ ସେଠୀ ପ୍ରମୁଖଙ୍କୁ ନେଇ ଗଠିତ ଏକ ଟିମ ଚିତୋରଗଡ଼ ଯାଇ ମହିଳାଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର କରାଯାଇଥିବା ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କୁ ହେପାଜତ ଦିଆଯାଇଛି ।