ନୂଆଦିଲ୍ଲୀ: କାନାଡାରେ ଖଲିସ୍ତାନୀ ସମର୍ଥକଙ୍କ ଉପଦ୍ରବ ବଢିବାରେ ଲାଗିଛି । ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଏବଂ ଭାରତୀୟ ଦୂତାବାସ ବାହାରେ ଆପତ୍ତିଜନକ ସ୍ଲୋଗାନ ଲେଖାଯିବା ପରେ ଏବେ ଏଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନଷ୍ଟ କରିଛନ୍ତି । ଏବେ ବର୍ନାବାଇରେ ଏକ ୟୁନିଭରସିଟି ଭିତରେ ଅବସ୍ଥିତ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିକୁ ଭଙ୍ଗାରୁଜା କରିଛନ୍ତି । ଏହି ଘଟଣା ଖଲିସ୍ତାନୀ ସମର୍ଥକଙ୍କ ଦ୍ୱାରା ମାର୍ଚ୍ଚ ୨୩ ରେ କାନାଡାର ଓଣ୍ଟାରିଓ ପ୍ରଦେଶର ହାମିଲଟନ୍ ସହରର ସିଟି ହଲ୍ ନିକଟରେ ଅବସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ନଷ୍ଟ କରିବା ପରେ ସାମ୍ନାକୁ ଆସିଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଉପଦ୍ରବକାରୀ ମାନେ ସ୍ପ୍ରେ-ପେଣ୍ଟିଂ କରି ଏହି ପ୍ରତିମୂର୍ତ୍ତିକୁ ଭଙ୍ଗାରୁଜା କରିଥିଲେ । ଏହି ଘଟଣା ପରେ ହାମିଲଟନ୍ ପୋଲିସ ଘଟଣାର ତଦନ୍ତ କରୁଛି । ତେବେ ଏପର୍ଯ୍ୟନ୍ତ କୌଣସି ଉପଦ୍ରବକାରୀ ଗିରଫ ହୋଇନାହାଁନ୍ତି । କାନାଡା ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ । ଏହା ଉତ୍ତର ଆମେରିକା ମହାଦ୍ୱିପରେ ଆସିଥାଏ । ଏଠାରେ ଗତ କିଛି ବର୍ଷ ହେବ ଖାଲିସ୍ତାନୀ ସମର୍ଥକଙ୍କ ଦ୍ୱାରା ଭାରତୀୟ ପ୍ରତିଷ୍ଠାନ ଏବଂ ମନ୍ଦିର ଉପରେ ଆକ୍ରମଣ ଘଟଣା ବଢିବାରେ ଲାଗିଛି । ଗତ ବର୍ଷ ଜୁଲାଇରେ ଗ୍ରେଟର ଟରୋଣ୍ଟୋ ଅଞ୍ଚଳର ରିଚମଣ୍ଡ ହିଲରେ ଥିବା ବିଷ୍ଣୁ ମନ୍ଦିରରେ ଥିବା ମହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତି ଭଙ୍ଗାଯାଇଥିଲା । ଯାହା ପରେ ଭାରତୀୟ ସମ୍ପ୍ରଦାୟ ବିରୋଧ ପ୍ରଦର୍ଶନ କରିଥିଲେ ।