କେନ୍ଦ୍ରାପଡ଼ା : ମହାରାଷ୍ଟ୍ର ସମେତ ଅନ୍ୟ କେତେକ ରାଜ୍ୟରେ କୋଭିଡ୍ ସଂକ୍ରମଣ ବ୍ୟାପିବା ଘଟଣା ସାମନାକୁ ଆସିବା ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ କେନ୍ଦ୍ରାପଡ଼ା ଜିଲ୍ଲାରେ କୋଭିଡ୍ କଟକଣା କଡ଼ାକଡ଼ି ଭାବେ ଲାଗୁ କରାଯାଇଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲା୍ଲପାଳ ଅମିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । କୋଭିଡ ସଂକ୍ରମଣକୁ ଶତ ପ୍ରତିଶତ ଭାବରେ ନିୟନ୍ତ୍ରଣ କରି ଜନସାଧାରଣ ଓ ସମାଜକୁ ସୁରକ୍ଷା ଦେବା ନିମନ୍ତେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ବିଡିଓ ଏବଂ ନିର୍ବାହୀ ଅଧିକାରୀ, କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ ପୌରସଂସ୍ଥା ନିଜ ନିଜ ଅଞ୍ଚଳରେ ସମସ୍ତ ଜନସମାଗମ ସ୍ଥାନ ଓ ହାଟ ବଜାରମାନଙ୍କରେ ମାଇକ ଯୋଗେ ଜନସଚେତନତା ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ଯେଉଁଥିରେ ମାକ୍ସର ବ୍ୟବହାର, ଅନ୍ୟୁନ ୧ ମିଟର ସାମଜିକଦୂରତା ବଜାୟ ରଖିବା, ବାରମ୍ବାର ସାବୁନରେ ହାତ ଧୋଇବା ନେଇ ପ୍ରଚାର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସମସ୍ତ ବ୍ଲକ ଓ ପୌରସଂସ୍ଥାମାନଙ୍କରେ ତହସିଲଦାର ଓ ଥାନା ଅଧିକାରୀଙ୍କ ମିଳିତ ସହଯୋଗରେ କୋଭିଡ୍ ନିୟମ କାର୍ଯ୍ୟକାରିତା ଦଳ ଗଠନ କରାଯାଇ ଏହାର ପରିଚାଳନା ଓ କାର୍ଯ୍ୟଉପରେ ନଜର ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଯଦି କୌଣସି ବ୍ୟବସାୟୀ କିମ୍ବା ପ୍ରତିଷ୍ଠାନ କୋଭିଡ୍ ନିୟମ ଆନୁପାଳନରେ ଖିଲାପ କରନ୍ତି , ତେବେ ସେମାନଙ୍କଠାରୁ ଜୋରିମାନା ଆଦାୟ କରାଯିବା ସହିତ ସେମାନଙ୍କ ପ୍ରତିଷ୍ଠାନକୁ ସିଲ କରିବାକୁ ବୈଠକରେ କଡ଼ା ନିର୍ଦ୍ଦେଶ ଦିଆଯାଇଥିଲା । ପ୍ରଶାସନର ବିନା ଅନୁମତିରେ କୌଣସି ସ୍ଥାନରେ ବହୁ ଜନ ସାମାଗମକୁ ନିଷିଦ୍ଧ କରାଯିବା ନେଇ ଘୋଷଣା କରାଯାଇଥିଲା । ସେହିପରି ହୋଟେଲ ରେଷ୍ଟୁରାଣ୍ଟ, ଢାବା ଓ ବିଭିନ୍ନ ଖାଦ୍ୟ ଦୋକାନୀମାନେ କୋଭିଡ୍ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇ ସ୍ଥନୀୟ ଅଧିକାରୀମାନଙ୍କୁ ଏହାର ପରିଚାଳନା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
କୋଭିଡ ସଂକ୍ରମଣ ନବ୍ୟାପିବାକୁ ଜନସମାଗମ ଓ ସର୍ବସାଧାରଣ ସ୍ଥାନମାନଙ୍କରେ ଛେପ ପକାଇବାକୁ ବାରଣ କରାଯାଇଥିଲା । ଏଥିସହିତ ଛେପ ପକାଇବା ବ୍ୟକ୍ତିଙ୍କ ଉପରେ ମଧ୍ୟ ଫାଇନ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେହିପରି ପାନ ଗୁଟଖା ,ତମାଖୁ ଓ ଏହି ଜାତୀୟ ଦ୍ରବ୍ୟଗୁଡିକର ସର୍ବସାଧାରଣ ସ୍ଥାନମାନଙ୍କରେ ବ୍ୟବହାରକୁ ନିଷେଧ କରାଯାଇଥିଲା । ପ୍ରତିଷେଧକ ଭାବରେ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ପରିସରକୁ ସାନିଟାଇଜ କରିବା , ହାତ ଧୋଇବାକୁ ସାଇନିଟାଇଜର ବ୍ୟବହାର ସହିତ ଥର୍ମାଲ ସ୍କ୍ରିନିଂ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ କର୍ତ୍ତୃପକ୍ଷ, ବ୍ୟବସାୟ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନଗୁଡ଼ିକ ସମସ୍ତେ ନିଜ ନିଜର କାର୍ଯ୍ୟାଳୟ ପରିସରରେ କୋଭିଡ-୧୯ ସୁରକ୍ଷା ନିୟମ ବାଧ୍ୟତାମୂଳକ ଭାବରେ ପାଳନ କରିବାକୁ ଜିଲ୍ଲାପାଳ ଶ୍ରୀ ଋତୁରାଜ ନିର୍ଦ୍ଦେଶ ଦେଇଥିଲେ ।