ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳର ଜନୈକା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଅନୁଗୁଳ ଆଡହକ୍ ଅତିରିକ୍ତ ଜିଲ୍ଲା ଦୌରାଜଜ୍ (ଫାଷ୍ଟଟ୍ରାକ୍ ସ୍ୱତନ୍ତ୍ର ଅଦାଲତ)ର ବିଚାରପତି ପିଆର ବହିଦାର ମଙ୍ଗଳବାର ଏକ ଦୁଷ୍କର୍ମ ମାମଲାର ବିଚାର କରି ବନ୍ତଳା ଥାନା ଅନ୍ତର୍ଗତ ନୂଆଖେତା ଗାଁର ଅଭିଯୁକ୍ତ ବେଣୁ ପ୍ରଧାନ(୨୮)ଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସୂଚନା ଯେ, ଜନୈକା ନାବାଳିକା ତା’ ମାମୁ ଘରେ ରହୁଥିଲା । ୨୦୧୯ ମେ’ ୨୯ରେ ମାମୁ ଝିଅ ସହ ଗାଈ ଚରାଇବାକୁ ବିଲକୁ ଯାଇଥିଲା । ସନ୍ଧ୍ୟାରେ ଗାଈ ନେଇ ୨ ଭଉଣୀ ଘରକୁ ଫେରୁଥିବାବେଳେ ରାସ୍ତାରେ ମାମୁ ପୁଅ ବେଣୁ ତାକୁ ଅଟକାଇଥିଲା । ସେ ପାଟିକରି ନିଜ ଭଉଣୀକୁ ଘରକୁ ପଠାଇ ଦେଇଥିବାବେଳେ ପିଉସୀ ଝିଅ ଭଉଣୀକୁ ଦୁଷ୍କର୍ମ କରି ଛାଡ଼ି ପଳାଇଥିଲା । ନାବାଳିକା ରାତି ଅନ୍ଧାରରେ ନିକଟରେ ଥବା ଏକ ଘରେ ଆଶ୍ରୟ ନେଇଥିଲା ।
ସକାଳେ ଘରମାଲିକ ବସ୍ରେ ନାବାଳିକାକୁ ବସାଇ ଦେଇଥିଲେ । ନାବାଳିକା ପମ୍ପାସରଠାରେ ଥିବା ତା’ ମାଉସୀ ଘରେ ପହଞ୍ଚି ଘଟଣା ସମ୍ପର୍କରେ କହିଥିଲା । ମାଉସୀ ଏ ନେଇ ନାବାଳିକାର ଭାଇଙ୍କୁ ଫୋନ୍ ଯୋଗେ ସୂଚନା ଦେଇଥିଲେ । ସୂଚନା ପାଇ ନାବାଳିକାର ଭାଇ ସେଠାରେ ପହଞ୍ଚି ଘଟଣା ସମ୍ପର୍କରେ ଅବଗତ ହୋଇ ବନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ବେଣୁଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଏହି ମାମଲାରେ ୧୩ ଜଣ ସାକ୍ଷୀ ଓ ୨୧ଟି ଦଲିଲକୁ ଭିତ୍ତିକରି ବିଚାରପତି ଶ୍ରୀ ବହିଦାର ଅଭିଯୁକ୍ତ ବେଣୁ ପ୍ରଧାନଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୫ ହଜାର ଟଙ୍କା ଜୋରିମାନା ରାୟ ଶୁଣାଇଛନ୍ତି । ଜୋରିମାନା ଅନାଦେୟ ହେଲେ ଅଧିକ ୬ ମାସ କାରାଦଣ୍ଡ ଭୋଗିବେ । ସରକାରଙ୍କ ତରଫରୁ ସ୍ୱତନ୍ତ୍ର ପିପି ସୁଶାନ୍ତ କୁମାର ମିଶ୍ର ମକଦ୍ଦମା ପରିଚାଳନା କରିଥିଲେ ।