26.1 C
Bhubaneswar
Tuesday, September 17, 2024
Homeଖେଳଜୁନିଅର୍ ପୁରୁଷ ଏସିଆ କପ୍ ହକି; ଭାରତକୁ ଏଫ୍‌ଆଇଏଚ୍ ବିଶ୍ୱକପ୍ ଯୋଗ୍ୟତା

ଜୁନିଅର୍ ପୁରୁଷ ଏସିଆ କପ୍ ହକି; ଭାରତକୁ ଏଫ୍‌ଆଇଏଚ୍ ବିଶ୍ୱକପ୍ ଯୋଗ୍ୟତା

ସଲାଲାହ : ଏଠାରେ ଚାଲିଥିବା ଜୁନିଅର୍ ପୁରୁଷ ଏସିଆ କପ୍ ହକି ପ୍ରତିଯୋଗିତାର ସେମିଫାଇନାଲ୍‌ରେ ପ୍ରବେଶ କରିଛି ଭାରତ । ରବିବାର ଦଳ ତା’ର ଅନ୍ତିମ ଲିଗ୍ ମ୍ୟାଚ୍‌ରେ ଥାଇଲାଣ୍ଡ୍‌କୁ ୧୭-୦ରେ ପରାସ୍ତ କରିବା ସହ ପୁଲ୍‌-ଏ’ ଶୀର୍ଷରେ ରହି ଏହି ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି । ଏଥିସହ ଚଳିତ ବର୍ଷ ଡିସେମ୍ବର ୫ରୁ ୧୬ ତାରିଖ ପର୍ଯ୍ୟନ୍ତ ମାଲେସିଆର କୁଆଲାଲମ୍ପୁରଠାରେ ଖେଳାଯିବାକୁ ଥିବା ଏଫ୍‌ଆଇଏଚ୍ ଜୁନିଅର୍ ପୁରୁଷ ହକି ବିଶ୍ୱକପ୍‌ରେ ଭାଗ ନେବା ସକାଶେ ଭାରତ ସିଧାସଳଖ ଯୋଗ୍ୟତା ହାସଲ କରିଛି । ଆସନ୍ତା ୩୧ ତାରିଖରେ ଦଳ ପ୍ରଥମ ସେମିଫାଇନାଲ୍‌ରେ ପୁଲ୍‌-ବି’ର ଦ୍ୱିତୀୟ ସ୍ଥାନରେ ଥିବା ଦଳକୁ ଭେଟିବ । ରବିବାର ମ୍ୟାଚ୍‌ରେ ଭାରତର ଏକତରଫା ବିଜୟରେ ଅଙ୍ଗଦ ବୀର ସିଂହଙ୍କ ୪ଟି ଗୋଲ୍ ମୁଖ୍ୟ ଭୂମିକା ନିର୍ବାହ କରିଥିଲା ।

ସେ ମ୍ୟାଚ୍‌ର ତ୍ରୟୋଦଶ, ୩୩ତମ, ୪୭ତମ ଓ ୫୫ତମ ମିନିଟ୍‌ରେ ଗୋଲ୍ ଦେଇଥିବା ବେଳେ ଅଧିନାୟକ ଉତ୍ତମ ସିଂହ ୨୪ତମ ଓ ୩୧ତମ ଏବଂ ଅମନ୍‌ଦୀପ ଲାକ୍ରା ୨୬ତମ ଓ ୨୯ତମ ମିନିଟ୍‌ରେ ଦୁଇଟି ଲେଖାଏଁ ଗୋଲ୍ ସ୍କୋର୍ କରିଥିଲେ । ଏହାଛଡ଼ା ଯୋଗେମ୍ବର ରାୱତ୍ ସପ୍ତଦଶ, ଅରଇଜିତ୍ ସିଂହ ହୁଣ୍ଡାଲ୍ ୩୬ତମ, ବିଷ୍ଣୁକାନ୍ତ ସିଂହ ୩୮ତମ, ବବି ସିଂହ ଧମୀ ୪୫ତମ, ଶାରଦା ନନ୍ଦ ତିୱାରୀ ୪୬ତମ, ଅମନ୍‌ଦୀପ ୪୭ତମ, ରୋହିତ ୪୯ତମ, ସୁନୀତ୍ ଲାକ୍ରା ୫୪ତମ ଓ ରାଜିନ୍ଦର ସିଂହ ୫୬ତମ ମିନିଟ୍‌ରେ ଗୋଲ୍ ଦେଇଥିଲେ । ଅଙ୍ଗଦଙ୍କୁ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା । ସୂଚନାଯୋଗ୍ୟ ଯେ ପୁଲ୍ ପର୍ଯ୍ୟାୟରେ ଭାରତ ୪ଟି ମ୍ୟାଚ୍ ଖେଳି ୩ଟି ବିଜୟ ଓ ଗୋଟିଏ ଡ୍ର’ ସହ ମୋଟ ୧୦ ପଏଣ୍ଟ୍ ପାଇଛି । ଦଳ ପ୍ରଥମ ମ୍ୟାଚ୍‌ରେ ଚାଇନିଜ୍ ତାଇପେଇକୁ ୧୮-୦ରେ ପରାସ୍ତ କରିବା ପରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌କୁ ୧-୧ରେ ଡ୍ର’ ରଖିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking