ବ୍ରହ୍ମପୁର: ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ଲୁନା ମହାନ୍ତି ଏକ ଲାଞ୍ଚ ଗ୍ରହଣ ମାମଲାର ଶୁଣାଣି କରି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅଭିଯୁକ୍ତ ଜଣକ ଦିଗପହଣ୍ଡ ରାସ୍ତା ଓ କୋଠାବାଡ଼ି ବିଭାଗର ପୂର୍ବତନ କନିଷ୍ଠ ଯନ୍ତ୍ରୀ ତ୍ରିନାଥ ସେଠୀ ବୋଲି ସୂଚନା ମିଳିଛି । ୮ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଅଭିଯୁକ୍ତଙ୍କୁ ୨ ବର୍ଷ ଜେଲ୍ ଦଣ୍ଡାଦେଶ ଦିଆଯାଇଛି । ଏହା ସହ ୧୦ ହଜାର ଟଙ୍କା ଜୋରିମାନା, ଅଦାଦେୟ ଆଉ ୪ ମାସ ଜେଲ୍ ଦଣ୍ଡ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ ଯେ କବିସୂର୍ଯ୍ୟନଗରର ଠିକାଦାର ଲିଙ୍ଗରାଜ ସାହୁ ଖମାରିଗାଁ ଠାରୁ ଉଜ୍ଜଳେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଏକ ରୋଡ଼ ନିର୍ମାଣ କରିଥିଲେ ।
ଏହା ପରେ ସେ ଜମା କରିଥିବା ୬୦ ହଜାର ଟଙ୍କା ଫେରାଇବା ନିମନ୍ତେ କନିଷ୍ଠ ଯନ୍ତ୍ରୀ ତ୍ରିନାଥଙ୍କୁ ଅନୁରୋଧ କରିଥିଲେ । ଉକ୍ତ ଟଙ୍କାର ଫେରାଇବା ବାବଦକୁ ଅଭିଯୁକ୍ତ ଗତ ୨୦୦୭ ମାର୍ଚ୍ଚ ୩୦ ତାରିଖରେ ଠିକାଦାରଙ୍କୁ ୯ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏ ନେଇ ସେ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ । ଅଭିଯୁକ୍ତ ମାଗିଥିବା ଲାଞ୍ଚ ଟଙ୍କା ନେବା ସମୟରେ ସେଠାରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ ଚଢ଼ଉ କରି ଲାଞ୍ଚ ଟଙ୍କା ଜବତ କରିବା ସହ କନିଷ୍ଠ ଯନ୍ତ୍ରୀ ତ୍ରିନାଥ ସେଠୀଙ୍କୁ ଗିରଫ କରିଥିଲା । ସରକାରଙ୍କ ପକ୍ଷର ସ୍ୱତନ୍ତ୍ର ପିପି ସୁରେନ୍ଦ୍ର ପଣ୍ଡା ମକଦ୍ଦମା ପରିଚାଳନା କରିଥିଲେ ।