ମାଲକାନଗିରି : ମାଲକାନଗିରି ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ମହାନ୍ତିଙ୍କର ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ସହରରେ ଓ ଏହା ଆଖପାଖ ଅଞ୍ଚଳରେ ୧୧ଟି ପ୍ଲଟ ଆଜି ଠାବ କରିଛି ଭିଜିଲାନ୍ସ। ସେହିପରି ଜଳେଶ୍ୱରର ଦେଉଳିପଞ୍ଚୁଘାଣ୍ଟରେ ତାଙ୍କର ଗୋଟିଏ ୩ ମହଲା କୋଠା ଅଛି। ଭୁବନେଶ୍ୱରର ରଘୁନାଥପୁରରେ ଥିବା ଗ୍ରୀନ୍ ହୋମ୍ସ ଆପାର୍ଟମେଣ୍ଟରେ ତାଙ୍କର ଏକ ଦୁଇ ବିଏଚ୍କେ ଫ୍ଲାଟ ଅଛି। ଜେଇ ସଞ୍ଜୟ କୁମାର ମହାନ୍ତିଙ୍କ ଘରୁ ନଗଦ ୧ ଲକ୍ଷ ୪୩ ହଜାର ଟଙ୍କା ଜବତ ହୋଇଛି। ସଞ୍ଜୟଙ୍କର ମାଲକାନଗିରିରେ ଥିବା ଭଡ଼ା ଘର ଓ କାର୍ଯ୍ୟାଳୟ, ଜଳେଶ୍ୱରରେ ଥିବା ପୈତୃକ ଘର, ଭୁବନେଶ୍ୱରରେ ଥିବା ଫ୍ଲାଟ୍ ଓ ପୋଖରୀପୁଟରେ ଥିବା ଶ୍ୱଶୁର ଘର ସମେତ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ଏପରିକି କନିଷ୍ଠ ଯନ୍ତ୍ରୀ ମାଲକାନଗିରିରେ ଯେଉଁ ଘରେ ଭଡ଼ାରେ ରହୁଛନ୍ତି, ତା’ର ମାଲିକଙ୍କ ଘରେ ମଧ୍ୟ ରେଡ୍ ହୋଇଥିବା ସୂଚନା ମିଳିଛି।