29.2 C
Bhubaneswar
Thursday, July 2, 2026
Homeଦେଶ ବିଦେଶଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମିଳିତ ପ୍ରେସ ବିବୃତ୍ତି

ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମିଳିତ ପ୍ରେସ ବିବୃତ୍ତି

ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ତାକାଇଚିଙ୍କୁ ଭାରତରେ ସ୍ୱାଗତ ଜଣାଇ ମୁଁ ଅତ୍ୟନ୍ତ ଆନନ୍ଦିତ। ଏହା ତାଙ୍କର ପ୍ରଥମ ଭାରତ ଗସ୍ତ।

ସେ ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେବା ସହ ଜଣେ ଦୂରଦୃଷ୍ଟିସମ୍ପନ୍ନ ଏବଂ ଲୋକପ୍ରିୟ ନେତ୍ରୀ ମଧ୍ୟ। ଏଥିସହିତ, ସେ ଜାପାନର ନାରା ପ୍ରିଫେକ୍ଚରରୁ ଆସିଛନ୍ତି, ଯାହା ଭାରତ ଓ ଜାପାନ ମଧ୍ୟରେ ସହଭାଗୀ ବୌଦ୍ଧ ଐତିହ୍ୟର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର।

ବନ୍ଧୁଗଣ,

କିଛି ଦିନ ପୂର୍ବରୁ ଜି-୭ ଶିଖର ସମ୍ମିଳନୀରେ ମୁଁ କହିଥିଲି ଯେ, ଆଜିର ବୈଶ୍ୱିକ ଅସ୍ଥିରତାର ପରିସ୍ଥିତିରେ, ପାରସ୍ପରିକ ବିଶ୍ୱାସ ହିଁ ଆମର ସବୁଠୁ ବଡ଼ ରଣନୈତିକ ସମ୍ପଦ। ଏଥିସହ ମୋତେ ଗର୍ବ ଲାଗୁଛି ଯେ, ଭାରତ-ଜାପାନ ସହଭାଗିତା ଏହି ମାନଦଣ୍ଡକୁ ସମ୍ପୂର୍ଣ୍ଣ ଭାବରେ ପାଳନ କରୁଛି।

ଗତ କିଛି ଦଶନ୍ଧି ମଧ୍ୟରେ, ଅଟୋମୋବାଇଲ୍ଠାରୁ ଆରମ୍ଭ କରି ଇଲେକ୍ଟ୍ରୋନିକ୍ସ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ – ଜାପାନ ଭାରତର ଅଭିବୃଦ୍ଧି ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ସହଭାଗୀ ହୋଇ ବନ୍ଧୁତା ଓ ବିଶ୍ୱାସର ଏକ ଅମୂଲ୍ୟ ପୁଞ୍ଜି ସୃଷ୍ଟି କରିଛି।

ଆଜି ପ୍ରଧାନମନ୍ତ୍ରୀ ତାକାଇଚିଙ୍କ ଏହି ଗସ୍ତ ମାଧ୍ୟମରେ ଆମେ ଆମର ସ୍ୱତନ୍ତ୍ର ରଣନୈତିକ ଏବଂ ବିଶ୍ୱ ସହଭାଗିତାର ଏକ ନୂତନ ଅଧ୍ୟାୟର ଶୁଭାରମ୍ଭ କରୁଛୁ।

ବନ୍ଧୁଗଣ,

ଆଜି ଭାରତ ଏବଂ ଜାପାନ ଉଭୟ ବିଶ୍ୱର ସର୍ବବୃହତ୍ ଅର୍ଥନୀତିମାନଙ୍କ ମଧ୍ୟରେ ଅନ୍ୟତମ। ଏକ ମୁକ୍ତ, ସମୃଦ୍ଧ ଏବଂ ନିୟମ-ଆଧାରିତ ଇଣ୍ଡୋ-ପାସିଫିକ୍ ଆମର ମିଳିତ ପ୍ରାଥମିକତା।
ଏହି କ୍ଷେତ୍ରର ସର୍ବବୃହତ ଗଣତାନ୍ତ୍ରିକ ଏବଂ ବଜାର ଅର୍ଥନୀତି ଭାବରେ, ଆମେ ଆଜି ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛୁ। ଏହି ପଦକ୍ଷେପଗୁଡ଼ିକ ମାଧ୍ୟମରେ, ଆମେ ମିଳିତ ଭାବେ ସମଗ୍ର ଅଞ୍ଚଳରେ ଶାନ୍ତି, ସ୍ଥିରତା ଏବଂ ପ୍ରଗତି ପାଇଁ ପଥ ପ୍ରଶସ୍ତ କରିବୁ।

ବନ୍ଧୁଗଣ,

ପ୍ରଧାନମନ୍ତ୍ରୀ ତାକାଇଚି ଏବଂ ମୁଁ ଉଭୟ ବିଶ୍ୱାସ କରୁଛୁ ଯେ, ‘ପ୍ରଯୁକ୍ତିବିଦ୍ୟା ସହଭାଗୀତା’ ଆମ ସହଯୋଗର ସବୁଠାରୁ ଶକ୍ତିଶାଳୀ ସ୍ତମ୍ଭ ପାଲଟିବ। ଏହି ଦୃଷ୍ଟିକୋଣକୁ ସାକାର କରିବା ପାଇଁ, ଆମେ ଆଜି କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କ୍ଷେତ୍ରରେ ଏକ ମିଳିତ ବିବୃତ୍ତି ମଧ୍ୟ ଜାରି କରିଛୁ। ଭାରତର ଏଆଇ ଇକୋସିଷ୍ଟମ ବ୍ୟବସ୍ଥାର ଅନେକ ପ୍ରମୁଖ ଅନୁଷ୍ଠାନ ମଧ୍ୟ ଆଜି ସେମାନଙ୍କର ଜାପାନୀ ସହଭାଗୀଙ୍କ ସହ ବିଭିନ୍ନ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଜାପାନର ‘ସୂକ୍ଷ୍ମ ପ୍ରଯୁକ୍ତି’ ଏବଂ ଭାରତର ‘ସଫ୍ଟୱେର କ୍ଷମତା’ର ସମନ୍ୱୟ ବିଶ୍ୱସ୍ତରୀୟ ଏଆଇ ବିକାଶକୁ ନୂତନ ଗତି ଓ ଶକ୍ତି ପ୍ରଦାନ କରିବ।

ପ୍ରତିରକ୍ଷା କ୍ଷେତ୍ରରେ, ଆମେ ଆଜି ଭାରତ ଓ ଜାପାନ ମଧ୍ୟରେ ପ୍ରଥମ ‘ସହ-ବିକାଶ’ ପ୍ରକଳ୍ପ ଉପରେ ଏକ ଚୁକ୍ତି ସ୍ୱାକ୍ଷର କରିଛୁ। ‘ନୌସେନା ରେଡିଓ ଆଣ୍ଟେନା’ ସମ୍ବନ୍ଧୀୟ ଏହି ପ୍ରକଳ୍ପ ଆମର ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ସହଭାଗୀତାରେ ଏକ ନୂତନ ଅଧ୍ୟାୟ ଉନ୍ମୁକ୍ତ କରିବ। ଆମେ ଏବେ ମିଳିତ ଭାବେ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ବିକଶିତ କରିବୁ ଯାହା ଆଞ୍ଚଳିକ ଶାନ୍ତି, ସାମୁଦ୍ରିକ ସୁରକ୍ଷା ଏବଂ ନିୟମ-ଆଧାରିତ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବ।

ଫାର୍ମାସ୍ୟୁଟିକାଲ୍ସ, ଚିକିତ୍ସା ଉପକରଣ ଏବଂ ଜୈବ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆଜି ସ୍ୱାକ୍ଷରିତ ଚୁକ୍ତିନାମା ମାଧ୍ୟମରେ, ଆମେ ବିଶ୍ୱ ସ୍ୱାସ୍ଥ୍ୟ ସୁରକ୍ଷାରେ ମଧ୍ୟ ଯୋଗଦାନ ଦେବୁ। ଭାରତର ବ୍ୟାପକ କ୍ଷମତା ଏବଂ ଜାପାନର ଉଚ୍ଚ ଗୁଣବତ୍ତାକୁ ଏକାଠି କରି, ଆମେ ବିଶ୍ୱକୁ ସୁଲଭ, ନିର୍ଭରଯୋଗ୍ୟ ଏବଂ ଉନ୍ନତ ସ୍ୱାସ୍ଥ୍ୟ ସମାଧାନ ପ୍ରଦାନ କରିବା ଦିଗରେ କାର୍ଯ୍ୟ କରିବୁ।

ବନ୍ଧୁଗଣ,

ଭାରତ-ଜାପାନ ‘ନିବେଶ ସହଭାଗୀତା’ କ୍ରମାଗତ ଭାବେ ଅଧିକ ସୁଦୃଢ଼ ହେଉଛି। ଗତ ଏକ ବର୍ଷ ମଧ୍ୟରେ, ୧୦୦ରୁ ଅଧିକ ନୂତନ ବ୍ୟବସାୟିକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି, ଯାହା ଭାରତକୁ ୧୦ ବିଲିୟନ ଡଲାରରୁ ଅଧିକ ଜାପାନୀ ନିବେଶ ଆଣିବ। ଆଜି ଉଭୟ ଦେଶର ‘ଆର୍ଥିକ ସେବା ନିୟାମକ ସଂସ୍ଥା’ ଗୁଡ଼ିକ ମଧ୍ୟରେ ସ୍ୱାକ୍ଷରିତ ଚୁକ୍ତି ଦ୍ୱାରା ପୁଞ୍ଜି ଏବଂ ନିବେଶର ପ୍ରବାହ ଅଧିକ ସହଜ ଓ ସୁଗମ ହେବ।

ଆମର ଲକ୍ଷ୍ୟ ସ୍ପଷ୍ଟ – ଆସନ୍ତା ୧୦ ବର୍ଷ ମଧ୍ୟରେ ଜାପାନରୁ ଭାରତକୁ ‘୧୦ ଟ୍ରିଲିୟନ୍ ୟେନ୍’ ନିବେଶ ଆଣିବା ଏବଂ ଭାରତରେ କାର୍ଯ୍ୟରତ ଜାପାନୀ କମ୍ପାନୀମାନଙ୍କ ସଂଖ୍ୟାକୁ ଦ୍ୱିଗୁଣିତ କରିବା। ଭାରତରେ କ୍ରମାଗତ ଭାବେ କାର୍ଯ୍ୟକାରୀ ହେଉଥିବା ସଂସ୍କାରଗୁଡ଼ିକ ଯୋଗୁଁ ‘ବ୍ୟବସାୟ କରିବାର ସୁଗମତା’ ବୃଦ୍ଧି ପାଇଛି ଏବଂ ଜାପାନୀ କମ୍ପାନୀମାନେ ମଧ୍ୟ ଏହାର ସର୍ବାଧିକ ଲାଭ ଉଠାଇପାରିବେ।

ବନ୍ଧୁଗଣ,
ଆଜିର ଅନିଶ୍ଚିତତାପୂର୍ଣ୍ଣ ବିଶ୍ୱରେ, ଭାରତ ଓ ଜାପାନ ଉଭୟ ‘ଅର୍ଥନୈତିକ ସୁରକ୍ଷା’ ଏବଂ ‘ଶକ୍ତି ସୁରକ୍ଷା’ର ଗୁରୁତ୍ୱକୁ ଭଲ ଭାବରେ ବୁଝନ୍ତି। ଏହି ଦିଗରେ ଆଜି ଆମେ ଅର୍ଥନୈତିକ ସୁରକ୍ଷା ପାଇଁ ଏକ ‘ମିଳିତ ରୋଡମ୍ୟାପ୍’ ପ୍ରସ୍ତୁତ କରିଛୁ। ଏହା ମାଧ୍ୟମରେ ଆମେ ‘ସେମିକଣ୍ଡକ୍ଟର, କ୍ୱାଣ୍ଟମ୍ ପ୍ରଯୁକ୍ତିବିଦ୍ୟା ଏବଂ ଉନ୍ନତ ସାମଗ୍ରୀ’ ପରି ରଣନୈତିକ କ୍ଷେତ୍ରଗୁଡ଼ିକରେ ଯୋଗାଣ ଶୃଙ୍ଖଳର ସ୍ଥିରତାକୁ ଅଧିକ ସୁଦୃଢ଼ କରିବୁ।

ଶକ୍ତି ସୁରକ୍ଷା କ୍ଷେତ୍ରରେ ମଧ୍ୟ ଆଜି ଆମେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛୁ। ‘ଭାରତ-ଜାପାନ ଜୈବ-ଗ୍ୟାସ୍ ପଦକ୍ଷେପ’ ସମଗ୍ର ଭାରତରେ ଏକ ହଜାର ‘ଜୈବ-ଗ୍ୟାସ୍ ଏବଂ ଜୈବ ସାର କାରଖାନା’ ସ୍ଥାପନ କରିବାରେ ସହାୟତା କରିବ। ଏହା ଆମର ‘ଗୋବର୍ଦ୍ଧନ’ ପଦକ୍ଷେପକୁ ଆହୁରି ସୁଦୃଢ଼ କରିବ।

ଏହା ଭାରତର ଗ୍ରାମାଞ୍ଚଳରେ ‘ସ୍ଥାୟୀତ୍ୱ, ସମୃଦ୍ଧି ଏବଂ ଗ୍ରାମୀଣ ଜୀବିକା’ ପାଇଁ ଏକ ନୂତନ ପ୍ରୋତ୍ସାହନ ପ୍ରଦାନ କରିବ। ‘ତୈଳ ମୂଲ୍ୟ ଝଟକା’ ପରି ପରିସ୍ଥିତିର ମୁକାବିଲା କରିବା ପାଇଁ ଆଜି ଆମେ ‘ଶକ୍ତି ସ୍ଥିରତା’ ଉପରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛୁ। ଏହା ବ୍ୟତୀତ, ‘ବ୍ୟାଟେରୀ, ସବୁଜ ହାଇଡ୍ରୋଜେନ୍ ଏବଂ ପରମାଣୁ ଶକ୍ତି’ ଭଳି କ୍ଷେତ୍ରରେ ଆମର ସହଯୋଗ ବିଶ୍ୱ ସ୍ୱଚ୍ଛ ଶକ୍ତି ଭବିଷ୍ୟତ ଗଠନରେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ।

ଭାରତ ଏବଂ ଜାପାନ ମିଳିତ ଭାବେ ‘ଅର୍ଥନୈତିକ ସୁରକ୍ଷାକୁ ଏକ ସହଭାଗୀ ସୁରକ୍ଷା’ ଏବଂ ‘ଶକ୍ତି ପରିବର୍ତ୍ତନକୁ ଏକ ସହଭାଗୀ ସୁଯୋଗ’ ଭାବେ ଦେଖୁଛନ୍ତି। ଏହି ଦୃଷ୍ଟିକୋଣକୁ ଆଗକୁ ବଢ଼ାଇବା ଏବଂ ବାସ୍ତବ ରୂପ ଦେବା ଦିଗରେ ଆମେ ମିଳିତ ଭାବେ କାର୍ଯ୍ୟ କରିବୁ।

ବନ୍ଧୁଗଣ,

ଆଜି, ଆମେ ‘ଭାରତ-ଜାପାନ ପରବର୍ତ୍ତୀ ପିଢ଼ିର ଗତିଶୀଳତା ସହଭାଗୀତା ଢାଞ୍ଚା’କୁ ମଧ୍ୟ ଚୂଡ଼ାନ୍ତ କରିଛୁ। ଏହା ମାଧ୍ୟମରେ ଆମେ ଅଟୋମୋବାଇଲ୍ କ୍ଷେତ୍ରରେ ଆମର ସଫଳତାର କାହାଣୀକୁ ‘ଜାହାଜ ନିର୍ମାଣ, ବିମାନ ଚଳାଚଳ ଏବଂ ଲଜିଷ୍ଟିକ୍ସ’ ପରି କ୍ଷେତ୍ରଗୁଡ଼ିକରେ ମଧ୍ୟ ପ୍ରତିପାଦନ କରିବୁ।

ବନ୍ଧୁଗଣ,
ଆମର ସମ୍ପର୍କର ସବୁଠାରୁ ବଡ଼ ଶକ୍ତି ହେଉଛି ପାରସ୍ପରିକ ଜନ-ସମ୍ପର୍କ। ଆମେ ‘ପ୍ରତିଭା ଆଦାନ-ପ୍ରଦାନ, ଦକ୍ଷତା ବିକାଶ ଏବଂ ବୈଷୟିକ ଇଣ୍ଟର୍ନସିପ୍ କାର୍ଯ୍ୟକ୍ରମ’ ପାଇଁ ସୁଯୋଗକୁ ମଧ୍ୟ ବୃଦ୍ଧି କରୁଛୁ। ଏହା ସହିତ ଉଭୟ ଦେଶ ମଧ୍ୟରେ ‘ଗବେଷଣା, ଶିକ୍ଷା ଏବଂ ଷ୍ଟାର୍ଟଅପ୍ ଇକୋସିଷ୍ଟମ ସହଯୋଗ’କୁ ମଧ୍ୟ ଅଧିକ ସୁଦୃଢ଼ କରୁଛୁ।

ଆମକୁ ଅତ୍ୟନ୍ତ ଆନନ୍ଦ ଲାଗୁଛି ଯେ, ଆସନ୍ତା ବର୍ଷ ଆମେ ‘ଭାରତ-ଜାପାନ ମଧ୍ୟରେ କୂଟନୈତିକ ସମ୍ପର୍କର ୭୫ତମ ବାର୍ଷିକୀ’ ପାଳନ କରିବାକୁ ଯାଉଛୁ। ଏହି ଐତିହାସିକ ଅବସରରେ ‘ସଂସ୍କୃତି, ପର୍ଯ୍ୟଟନ ଏବଂ ସୃଜନଶୀଳ ଅର୍ଥନୀତି’ କ୍ଷେତ୍ରରେ ସହଯୋଗ ମାଧ୍ୟମରେ ଆମେ ପାରସ୍ପରିକ ସମ୍ପର୍କକୁ ଆହୁରି ନିବିଡ଼ ଏବଂ ସୁଦୃଢ଼ କରିବୁ।

ମାନନୀୟା,

ଭାରତ ଓ ଜାପାନର ଅର୍ଥନୀତି ପରସ୍ପରର ‘ପରିପୂରକ’। ସାଂସ୍କୃତିକ ମୂଲ୍ୟବୋଧଠାରୁ ଆରମ୍ଭ କରି ଆଧୁନିକ ପ୍ରଯୁକ୍ତିବିଦ୍ୟା ପର୍ଯ୍ୟନ୍ତ, ଆମର ଚିନ୍ତାଧାରା ଏବଂ ଆଭିମୁଖ୍ୟରେ ମଧ୍ୟ ଅନେକ ସମାନତା ରହିଛି।
ସବୁଠାରୁ ବଡ଼ କଥା ହେଉଛି, ଆମର ସମ୍ପର୍କର ମୂଳଦୁଆ ଅଟଳ ପାରସ୍ପରିକ ବିଶ୍ୱାସ ଉପରେ ପ୍ରତିଷ୍ଠିତ। ମୋର ପୂର୍ଣ୍ଣ ବିଶ୍ୱାସ ଯେ, ଆମର ଏହି ‘ସ୍ୱତନ୍ତ୍ର ସହଭାଗିତା’ ଏକ ସଶକ୍ତ ଓ ସମୃଦ୍ଧ ଜାପାନ ପାଇଁ ଆପଣଙ୍କ ଦୂରଦୃଷ୍ଟି, ‘ବିକଶିତ ଭାରତ’ ଗଠନ ପାଇଁ ଆମର ସଂକଳ୍ପ ଏବଂ ସମଗ୍ର ବିଶ୍ୱର ପ୍ରଗତିକୁ ନୂତନ ଉଚ୍ଚତାରେ ପହଞ୍ଚାଇବ।

ଆସନ୍ତୁ, ଏକ ସଶକ୍ତ ଓ ସମୃଦ୍ଧ ଜାପାନ ପାଇଁ ଆପଣଙ୍କ ଦୂରଦୃଷ୍ଟି, ବିକଶିତ ଭାରତ ଗଠନ ପାଇଁ ଆମର ସଂକଳ୍ପ ଏବଂ ସମଗ୍ର ବିଶ୍ୱର ପ୍ରଗତିକୁ ଆମେ ମିଳିତ ଭାବେ ସାକାର କରିବା।

ମୁଁ ପୁଣି ଥରେ ଆପଣଙ୍କୁ ଆନ୍ତରିକତାର ସହ ସ୍ୱାଗତ ଜଣାଉଛି।

ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking