29.1 C
Bhubaneswar
Thursday, May 2, 2024
Homeଓଡିଶାଚାଷୀପୁଅ ଉଡ଼ାଇବେ ଯୁଦ୍ଧବିମାନ

ଚାଷୀପୁଅ ଉଡ଼ାଇବେ ଯୁଦ୍ଧବିମାନ

 ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ ଉପାନ୍ତ ସୁଖସୋଢା ଗ୍ରାମର ଚାଷୀପୁଅ ମନୋଜ ସାହୁ(୧୯)ଯୁଦ୍ଧ ବିମାନ ଉଡ଼ାଇବେ । ଏଥିପାଇଁ ମନୋଜ ନିକଟରେ ହୋଇଥିବା ବାୟୁସେନାର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଆସନ୍ତା ୨୪ ତାରିଖ ଭୁବେନଶ୍ୱରରେ ସେ କାମରେ ଯୋଗଦେବେ । ଏହାପରେ କର୍ଣ୍ଣାଟକର ଆରମ୍ଭ କରିବେ ଟ୍ରେନିଂ । ଟ୍ରେନିଂ ଶେଷ ହେବା ପରେ ସେ ଦେଶ ମା’ ର ସେବାରେ ନିୟୋଜିତ ହେବେ ବୋଲି  ମନୋଜ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ମୋ ବାପା ଜଣେ ଚାଷୀ, ସେ କଠିନ ପରିଶ୍ରମ କରି ଆମକୁ ମଣିଷ କରିବାସହ ଦେଶବାସୀଙ୍କୁ ଅନ୍ନ ଯୋଗାଉଛନ୍ତି । ତାଙ୍କ ପୁଅ ହୋଇ ମୁଁ ଦେଶ ମା’ର ସେବାପାଇଁ ସେନାରେ ଯୋଗଦେବା ମୋ ପାଇଁ ଗର୍ବର ବିଷୟ । ମନୋଜ ଟ୍ରେନିଂ ପରେ ବାୟୁସେନାରେ ଯୋଗଦେଇ ଆକାଶରେ ଲଢୁଆ ବିମାନରେ ଉଡ଼ିବେ, ଶତ୍ରୁ ସୈନ୍ୟଙ୍କ ସହ ଲଢିବେ । ମାତ୍ର ୧୯ ବର୍ଷ ବୟସରେ ତାଙ୍କର ଦେଶପ୍ରତି ଏହି ସମର୍ପିତ ଭାବ ସମସ୍ତଙ୍କୁ ବିମୋହିତ କରିଛି । ଝାରସୁଗୁଡ଼ା ସଦରଠୁ ପ୍ରାୟ ୯୦ କିଲୋମିଟର ଦୁରରେ ରହିଛି ସୁଖସୋଢା ଗ୍ରାମ । ଗାଁକୁ ରାସ୍ତା ନାହିଁ । ଉପାନ୍ତ ଅଞ୍ଚଳ ବାଲି ବିକାଶ ଏଠି ପାଦଥାପି ପାରି ନାହିଁ । ତଥାପି ଉପାନ୍ତ-ଅଗମ୍ୟ ସୁଖସୋଢା ଗାଁରେ ମନୋଜଙ୍କ ପରି ପ୍ରତିଭା ମଉଳି ଯାଇ ନାହାନ୍ତି । ଗ୍ରାମର ଚାଷୀ କୁମାର ସାହୁ ଓ ସନ୍ତୋଷୀନି ସାହୁଙ୍କ ପୁଅ ମନୋଜ । ମନୋଜ ପିଲାବେଳରୁ ଜଣେ ମେଧାବୀ ଛାତ୍ର ଥିଲେ । ସେ ବଡ଼ଧରା ହାଇସ୍କୁଲରେ ଦଶମ, ପରେ ଲରମ୍ଭା କଲେଜରୁ ଯୁକ୍ତ ଦୁଇ ଅଧ୍ୟୟନ ଶେଷ କରିଥିଲେ । ପରେ ବରଗଡ଼ ପଞ୍ଚାୟତ କଲେଜରୁ  ଯୁକ୍ତ ୩ ବିଜ୍ଞାନରେ ଦ୍ୱିତୀୟ ବଷର୍ରେ ପାଠ ପଢୁଥିବବେଳେ ବାୟୁସେନାର ପରୀକ୍ଷାଦେଇ ସେଥିରେ ଉତ୍ତୀର୍ଣ୍ଣ ହୋଇ ଝାରସୁଗୁଡ଼ା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ପରିଶ୍ରମ ଏବଂ ଆତ୍ମବିଶ୍ୱାସ ବଳରେ ଜଣେ ସଫଳତା ହାସଲ କରେ ଏକଥାକୁ ମନୋଜ ପ୍ରମାଣିତ କରିବାସହ ଅନେକ ଯୁବକ ଯୁବତୀଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking