ମୁମ୍ବାଇ: ଏକଦା ଦେଶର ଅନ୍ୟତମ ଅଗ୍ରଣୀ ଏୟାରଲାଇନ୍ସର ମାନ୍ୟତା ପାଇଥିବା ଜେଟ୍ ଏୟାରୱେଜ୍ ୨୦୧୯ ଏପ୍ରିଲରୁ ଦେବାଳିଆ ଘୋଷିତ ହୋଇସାରିଛି । ଲିଜ୍ ଭଡା ଦେଇପାରିନଥିବାରୁ କମ୍ପାନୀର ଅଧିକାଂଶ ବିମାନ ଉଡିନଥିବାବେଳେ ଇନ୍ଧନ ଯୋଗାଇବାକୁ ଇଣ୍ଡିଆନ ଅଏଲ କର୍ପୋରେସନ ରୋକ୍ଠୋକ୍ ମନା କରିଦେଇଥିଲା । ପ୍ରବଳ କ୍ଷତି ଘଟିବାରୁ କମ୍ପାନୀର ପ୍ରତିଷ୍ଠାତା ନରେଶ ଗୋଏଲ ଓ ତାଙ୍କ ପତ୍ନୀ ଅନୀତା ସେତେବେଳେ ପରିଚାଳନା ବୋର୍ଡ ନିର୍ଦ୍ଦେଶକ ପଦରୁ ଇସ୍ତଫା ମଧ୍ୟ ଦେଇଥିଲେ ।
ତେବେ ଦୁବାଇସ୍ଥିତ ବ୍ୟବସାୟୀ ମୁରାରିଲାଲ ଜଲାନ୍ ଓ ଲଣ୍ଡନ ନିବାସୀ ଫ୍ଲେରିଆନ୍ ଫ୍ରିସ୍କ୍ଙ୍କ ହାତକୁ କମ୍ପାନୀର ମାଲିକାନା ସ୍ୱତ୍ୱ ଯିବାପରେ ଚଳିତବର୍ଷ ସେପ୍ଟେମ୍ବରରୁ ଏହା ପୁଣି ବ୍ୟବସାୟ ଆରମ୍ଭ କରିବ ବୋଲି ପୂର୍ବରୁ ସ୍ଥିର ହୋଇସାରିଥିଲା । ଏଓପି (ଏୟାର ଅପରେସନ ପରମିଟ୍) ପାଇବାକୁ କମ୍ପାନୀ ପକ୍ଷରୁ ଗତ ମେ’ରେ ପରୀକ୍ଷାମୂଳକଭାବେ ଦିଲ୍ଲୀ-ମୁମ୍ବାଇ, ମମ୍ବାଇ-ଅହମ୍ମଦାବାଦ ଓ ଅହମ୍ମଦାବାଦ-ଦିଲ୍ଲୀ ରୁଟ୍ରେ ବିମାନ ଚଳାଚଳ କରିଥିଲା । ତେବେ ନୂଆ ବିମାନ କିଣିବା କିମ୍ବା ଲିଜ୍ସୂତ୍ରରେ ଯୋଗାଡ କରିବା ସମ୍ଭବ ନହେବାରୁ ସେପ୍ଟେମ୍ବରରେ ଜେଟ୍ ଏୟାରୱେଜ୍ ତାହାର ବ୍ୟବସାୟ ଆରମ୍ଭ କରିପାରିନାହିଁ । ଅପରପକ୍ଷରେ ଅକ୍ଟୋବର ୧୧ରୁ ଜେଟ୍ ଏୟାରୱେଜ୍ ବିମାନ ପୁଣି ଆକାଶରେ ଉଡିବ ବୋଲି ଉଭୟ ଜଲାନ୍ ଓ ଫ୍ରିସ୍କ୍ ଆଶାବ୍ୟକ୍ତ କରିଛନ୍ତି ।