31.1 C
Bhubaneswar
Saturday, February 15, 2025
Homeଓଡିଶାବେଶ ହେବ ଚାଚେରି : ଫଗୁ ଖେଳିବେ ଝିମିରି

ବେଶ ହେବ ଚାଚେରି : ଫଗୁ ଖେଳିବେ ଝିମିରି

ଭୁବନେଶ୍ୱର : ପ୍ରତିବର୍ଷ ଫାଲଗୁନ ଶୁକ୍ଳ ଦଶମୀଠାରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ୫ ଦିନ ଧରି ରତ୍ନସିଂହାସନରେ ଶ୍ରୀଜୀଉମାନଙ୍କର ଚାଚେରୀ ବେଶ ଅନୁଷ୍ଠିତ ହୋଇଥାଏ। ଏହି ବେଶ ଥାଇ ମହାପ୍ରଭୁଙ୍କୁ ଝିମିରି ଫଗୁ ଲାଗି କରାଯାଏ। ଆପଣଙ୍କ ମନରେ ଏ ପ୍ରଶ୍ନ ନିଶ୍ଚିତ ଆସୁଥିବ ଯେ, କ’ଣ ଏହି ଚାଚେରି ବେଶ ଆଉ କ’ଣ ଏହି ଝିମିରି ଫଗୁ।

ଆସନ୍ତୁ ସେ ସମ୍ପର୍କରେ ଜାଣିବା। ଶ୍ରୀ ଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ମାନବୀୟ ଲୀଳାର ଠାକୁର। ଯେ, ଆମ ସାଧାରଣ ମନୁଷ୍ୟଙ୍କ ପରି ଆଚରଣ କରନ୍ତି। ଖାସ୍‌ ଏଇଥିପାଇଁ ଫଗୁଣ ଆସିଲେ କାଳିଆ ଦେହରେ ଫଗୁ ଲାଗି ହୁଏ। ବସନ୍ତ ଋତୁର ଆନନ୍ଦ ନେବାକୁ ଆମ ବଡ଼ ଠାକୁର ଗାଢ ନାଲି ରଙ୍ଗର ବସ୍ତ୍ର ପିନ୍ଧନ୍ତି। ଯାହାକୁ କୁହାଯାଏ ଚାଚେରି ବେଶ। ଏହି ବେଶରେ ଠାକୁରମାନେ ନାଲି ରଙ୍ଗର ବସ୍ତ୍ର ପିନ୍ଧନ୍ତି, ହାତରେ ନଳୀଭୂଜ ଆଉ କର୍ଣ୍ଣରେ କୁଣ୍ଡଳ ଧାରଣ କରନ୍ତି। ମଥା ଦେଶରେ କିରିଟୀ ବଦଳରେ ଶୋଭାପାଏ ଚୂଳ ବା ଟୋପର।

ପ୍ରତିବର୍ଷ ଫାଲଗୁନ ଶୁକ୍ଳ ଦଶମୀଠାରୁ ଚତୁର୍ଦଶୀ ପର୍ଯ୍ୟନ୍ତ ୫ ଦିନ ଧରି ଶ୍ରୀ ଜୀଉମାନଙ୍କର ଚାଚେରୀ ବେଶ ଅନୁଷ୍ଠିତ ହୋଇଥାଏ। ଏହି ବେଶରେ ପ୍ରଥମେ ମେକାପ ସର୍ବାଙ୍ଗ କରି ଶ୍ରୀ ବିଗ୍ରହମାନଙ୍କୁ ବୋଇରାଣୀ ପାଟ ଲାଗି କରିଥାନ୍ତି। ତ୍ରିମୁଣ୍ଡିରେ ନାଲି ରଙ୍ଗର ଶ୍ରୀ କପଡ଼ା ପଡିବାପରେ ମୁଖରେ ନାଲି ବସ୍ତ୍ରର ବଳା ଲାଗି ହୋଇଥାଏ। ବଡ଼ଠାକୁର ଏବଂ ମହାପ୍ରଭୁଙ୍କ ଶ୍ରୀହସ୍ତରେ ଶୋଭା ପାଏ ସୁନାର ଦୁଇଟି ନଳି ଭୁଜ । ମସ୍ତକରେ ଶୋଭା ପାଉଥିବା ଟୋପର ଉପରେ ରହିଥାଏ ସୁବର୍ଣ୍ଣ ଚନ୍ଦ୍ରିକା । ଏ ସମସ୍ତ ପରିପାଟିକୁ ଚାଚେରୀ ବେଶ କୁହାଯାଏ।

ମଧ୍ୟାହ୍ନ ଧୂପରୁ ସନ୍ଧ୍ୟାଧୂପ ପର୍ଯ୍ୟନ୍ତ ଏହି ବେଶରେ ରୁହନ୍ତି ଠାକୁରେ। ଏହି ସମୟରେ ଦକ୍ଷିଣ ଘରେ ରହିଥିବା ଦୋଳଗୋବିନ୍ଦ ଓ ଶ୍ରୀଅଙ୍ଗ ଲାଗି ମା’ ଭୂଦେବୀ, ଶ୍ରୀଦେବୀ ମଧ୍ୟ ରକ୍ତବସ୍ତ୍ର ପିନ୍ଧି ଚାଚେରୀ ବେଶ ହୁଅନ୍ତି ଏବଂ ଫଗୁ ଖେଳିବାକୁ ବାହାର ବିଜେ କରିଥାନ୍ତି।

ତେବେ ବଡ଼ ଦେଉଳରେ ଠାକୁରମାନଙ୍କୁ ଚାଚେରି ବେଶରେ ଥିବା ବେଳେ ଯେଉଁ ଫଗୁ ଲାଗି ହୁଏ, ତାହାର ନାମ ଝିମିରୀ ଫଗୁ। ଘୋରା ଚନ୍ଦନ ଶୁଖିବା ପରେ ଏହାକୁ ଗୁଣ୍ଡ କରି ଫଗୁରେ ମିଶାଇ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି କରାଯାଏ। ଶ୍ରୀମନ୍ଦିର ପରିଭାଷାରେ ଏହି ସ୍ବତନ୍ତ୍ର ଫଗୁର ନାଁ ହେଉଛି ଝିମିରି ଫଗୁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking