24.1 C
Bhubaneswar
Thursday, January 16, 2025
Homeଦେଶ ବିଦେଶବ୍ରିଟିଶ୍ ବିଦେଶ ମନ୍ତ୍ରୀଙ୍କୁ ଜୟଶଙ୍କରଙ୍କ କଡ଼ା ବାଣୀ

ବ୍ରିଟିଶ୍ ବିଦେଶ ମନ୍ତ୍ରୀଙ୍କୁ ଜୟଶଙ୍କରଙ୍କ କଡ଼ା ବାଣୀ

ନୂଆଦିଲ୍ଲୀ: ବ୍ରିଟିଶ ବିଦେଶ ମନ୍ତ୍ରୀ ଲିଜ୍ ଟ୍ରସ୍‌ଙ୍କ ଭାରତ ଗସ୍ତ ଅବସରରେ ରୁଷ୍ ଉପରେ କଟକଣାକୁ ନେଇ ଭାରତ ଓ ବ୍ରିଟେନ୍ ମଧ୍ୟରେ ମତଭେଦ ସାମ୍ନାକୁ ଆସିଛି । ବ୍ରିଟିଶ ସମକକ୍ଷଙ୍କ ଉପସ୍ଥିତିରେ ରୁଷ୍‌ରୁ ଭାରତର ତୈଳ କିଣାକୁ ନେଇ ଜୟଶଙ୍କର କହିଥିଲେ, ୟୁରୋପ ରୁଷ୍‌ରୁ ଯୁଦ୍ଧ ପୂର୍ବ ସମୟ ତୁଳନାରେ ଏବେ ଅଧିକ ତୈଳ କିଣୁଛି । ଏହି ସମୟରେ ରୁଷ୍ ଉପରେ କଟକଣା ଜାରି କରିଥିବା କଥା କହିବା ‘ଏକ ଅଭିଯାନ’ କରି ଲାଗୁଛି । ରୁଷ୍ ଉପରେ ପାଶ୍ଚାତ୍ୟ ଦେଶଙ୍କ କଟକଣା ଏବଂ ନିଜର ହିତ ମଧ୍ୟରେ ଝୁଲିରହିଥିବା ଭାରତର ପ୍ରତିକ୍ରିୟାରେ ଜୟଶଙ୍କର କହିଥିଲେ, ମାର୍ଚ୍ଚରେ ୟୁରୋପୀୟ ଦେଶ ଫେବୃଆରୀ ତୁଳନାରେ ରୁଷ୍‌ରୁ ୧୫ ପ୍ରତିଶତ ଅଧିକ ତୈଳ କିଣିଛନ୍ତି । ଯଦି ରୁଷ୍‌ରୁ ତୈଳ ଓ ଗ୍ୟାସ୍ କିଣୁଥିବା ପ୍ରମୁଖ ଦେଶଗୁଡ଼ିକ ଉପରେ ନଜର ପକାଇବେ, ତେବେ ପାଇବେ ଏହା ମଧ୍ୟରେ ଅଧିକାଂଶ ୟୁରୋପୀୟ ଦେଶ ରହିଛନ୍ତି । ଜୟଶଙ୍କର କହିଥିଲେ, ତୈଳ ଏବଂ ଗ୍ୟାସ୍‌ର ଅଧିକାଂଶ ଭାଗ ଆମେ ମଧ୍ୟପ୍ରାଚ୍ୟ ଦେଶରୁ କିଣିଥାଉ । ବର୍ତ୍ତମାନ ସୁଦ୍ଧା ୭.୫-୮ ପ୍ରତିଶତ ଆମେରିକାରୁ ଆସୁଛି ଏବଂ ରୁଷ୍‌ରୁ କେବଳ ଏକ ପ୍ରତିଶତରୁ କମ୍ ଆମଦାନୀ କରୁଛୁ । ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହେବା ପରେ ରୁଷ୍‌ରୁ ୧.୬ କୋଟି ବ୍ୟାରେଲ୍ ତେଲ ଭାରତ କିଣିଛି, ଯାହା ଗତବର୍ଷ କିଣାଯାଇଥିବା ମୋଟ ୧.୩ କୋଟି ବ୍ୟାରେଲ୍‌ରୁ ଅଧିକ । ସେ କହିଥିଲେ, ଭାରତର ତୈଳ କ୍ରୟ ଆର୍ଥକ ଲାଭ ଉପରେ ଆଧାରିତ । ଯେତେବେଳେ ତୈଳ ଦରରେ ବୃଦ୍ଧି ଘଟିଥାଏ, ସେତେବେଳେ କମ୍ ଦାମରେ ବଜାର ଖୋଜିବା ଯେକୌଣସି ଦେଶ ପାଇଁ ସ୍ୱାଭାବିକ କଥା । ସେ କହିଥିଲେ, ଦୁଇ ତିନି ମାସ ଅପେକ୍ଷା କରନ୍ତୁ, ଦେଖିବେ ରୁଷ୍ ତୈଳ ଓ ଗ୍ୟାସ୍‌ର ବଡ଼ ଆମଦାନୀକାରୀ କିଏ ହେଉଛି । ଆମେ ସୂଚୀର ପ୍ରଥମ ୧୦ଟି ସ୍ଥାନରେ ରହିବୁ କି ନାହିଁ ମୋର ସନ୍ଦେହ ।
ରୁଷ୍‌ରୁ ଭାରତ ଦ୍ୱାରା ତୈଳ ଆମଦାନୀ ଉପରେ ପ୍ରତିକ୍ରିୟାରେ ଟ୍ରସ୍ କହିଥିଲେ, ରୁଷ୍ ଉପରେ କଟକଣାକୁ ନେଇ ମୁଁ ବ୍ରିଟେନ୍‌ର ଆଭିମୁଖ୍ୟ ସ୍ପଷ୍ଟ କରିସାରିଛି । ଚଳିତ ବର୍ଷ ଶେଷ ସୁଦ୍ଧା ଆମେ ରୁଷ୍ ତୈଳ ଉପରେ ଆମର ନିର୍ଭରଶୀଳତାକୁ ଶେଷ କରିଦେବୁ । ଭାରତ ଏକ ସାର୍ବଭୌମ୍ୟ ଦେଶ । ତାକୁ କ’ଣ କରିବା ଆବଶ୍ୟକ ତାହା ମୁଁ କହିପାରିବି ନାହିଁ । ବୁଦାପେଷ୍ଟ ରାଜିନାମାରେ ସ୍ୱାକ୍ଷର କରିଥିବା ବ୍ରିଟେନ୍ ସରକାରଙ୍କ ସଦସ୍ୟ ଭାବେ ଏହା କହୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking