ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ମିଳିଥିବା ଲାଞ୍ଚ ଟଙ୍କାକୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ତାଙ୍କ ଦଳ ଆମ୍ ଆଦ୍ମୀ ପାର୍ଟି (ଆପ୍) ପକ୍ଷରୁ ନିର୍ବାଚନ ପ୍ରଚାର ପାଇଁ ଖର୍ଚ୍ଚ କରାଯାଇଛି । ଏପ୍ରକାର ଦାବି କରିଆସୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଆଜି କୋର୍ଟରେ ଏକ ନୂଆ ଚାର୍ଜସିଟ୍ (ସପ୍ଲିମେଣ୍ଟାରୀ ଚାର୍ଜସିଟ୍) ଦାଖଲ କରାଯାଇଛି । ସବୁଠୁ ବଡ଼ କଥା ହେଉଛି ଇଡି ପକ୍ଷରୁ ଦାଖଲ ଏହି ନୂଆ ଚାର୍ଜସିଟ୍ରେ କେଜ୍ରିୱାଲ୍ଙ୍କ ସହ ସମ୍ପୂର୍ଣ୍ଣ ଆପ୍କୁ ମଧ୍ୟ ଅନ୍ୟତମ ଅଭିଯୁକ୍ତ ଭାବେ ଦର୍ଶାଯାଇଛି । ଏତଦ୍ବ୍ୟତୀତ ଚାର୍ଜସିଟ୍ରେ ଇଡି ସମ୍ପୂର୍ଣ୍ଣ ଦୁର୍ନୀତିର କିଙ୍ଗପିନ୍ ଭାବେ କେଜ୍ରିୱାଲଙ୍କୁ ଚିତ୍ରିତ କରିଥିବା ସୂଚନା ମିଳିଛି ।
କୌଣସି ଜାତୀୟ ଦଳକୁ କୌଣସି ତଦନ୍ତକାରୀ ଏଜେନ୍ସି ଦୁର୍ନୀତି ମାମଲାରେ ଏପ୍ରକାର ଅଭିଯୁକ୍ତ ଦର୍ଶାଇବା ଭାରତୀୟ ଇତିହାସରେ ପ୍ରଥମଥର ପାଇଁ ଦେଖିବାକୁ ମିଳିଛି । ଇଡି ଅନୁସାରେ ସାଉଥ ଗ୍ରୁପ୍ ଠାରୁ କେଜ୍ରିୱାଲ ୧୦୦ କୋଟି ଟଙ୍କା ପାଇଥିଲେ । ଏହା ମଧ୍ୟରୁ ୪୫ କୋଟି ଟଙ୍କାକୁ ହାୱାଲା ର୍ୟାକେଟ୍ ମାଧ୍ୟମରେ ଗୋଆକୁ ପଠାଯାଇଥିଲା ଏବଂ ସେଠାରେ ଉକ୍ତ ଟଙ୍କାକୁ ଆପ୍ ପକ୍ଷରୁ ଗୋଆ ନିର୍ବାଚନ ପ୍ରଚାରରେ ଖର୍ଚ୍ଚ କରାଯାଇଥିଲା । କେଜ୍ରିୱାଲ ଓ ହାୱାଲା ଅପରେଟରଙ୍କ ମଧ୍ୟରେ ହୋଇଥିବା ଚାଟିଂର ପ୍ରମାଣ ଇଡି ହାସଲ କରିଥିବା ଚାର୍ଜସିଟ୍ରେ ଉଲ୍ଲେଖ କରିଛି ।
ପ୍ରକାଶ, ଇଡି ପକ୍ଷରୁ ଆଜି ଏହି ନୂଆ ଚାର୍ଜସିଟ୍କୁ ଦିଲ୍ଲୀସ୍ଥିତ ରାଉଜ୍ ଆଭେନ୍ୟୁ କୋର୍ଟରେ ଦାଖଲ କରାଯାଇଛି । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡିର ଏହା ୮ମ ଚାର୍ଜସିଟ୍ । ଏହାପୂର୍ବରୁ ଇଡି ୭ଟି ଚାର୍ଜଶିଟ ଦାଖଲ କରିସାରିଥିବା ବେଳେ ଏହି ମାମଲା ସହ ଜଡିତ ମୋଟ୍ ୧୮ ଜଣଙ୍କୁ ଗିରଫ କରିସାରିଛି । ଏମାନଙ୍କ ମଧ୍ୟରୁ କିଛି ଅଭିଯୁକ୍ତ ଏବେ ଜେଲ୍ରେ ଥିବା ବେଳେ ଆଉ କିଛି ଜାମିନରେ ମୁକୁଳିଛନ୍ତି । ଏମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ତଥା ଆପ୍ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ୍ ମଧ୍ୟ ସାମିଲ ଅଛନ୍ତି । ଅନ୍ୟପକ୍ଷେ ଆପ୍ ବିରୋଧରେ ଇଡିର ଏହି ନୂଆ ଚାର୍ଜସିଟ୍ ଦାଖଲ ହେବା ପରେ ସମ୍ପୂର୍ଣ୍ଣ ଆପ୍ ପାଇଁ ସମସ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । ସେହିପରି କେଜରିୱାଲଙ୍କ ପାଇଁ ମଧ୍ୟ ପରିସ୍ଥିତି ଆହୁରି ଅଧିକ ଖରାପ ହୋଇପାରେ । ଏସବୁ ମଧ୍ୟରେ ଇଡି ପକ୍ଷରୁ ଅବକାରୀ ନୀତି ମାମଲାରେ କେଜରିୱାଲ ଏବଂ ହାୱାଲା ଅପରେଟରଙ୍କ ମଧ୍ୟରେ ଚାଟ୍ ହୋଇଥିବା ଏବଂ ସେସବୁର ପ୍ରମାଣ ରହିଥିବା ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇସାରିଛି । ଇଡିର ଦାବି ଅନୁସାରେ, ଯେତେବେଳେ କେଜ୍ରିୱାଲ୍ ତାଙ୍କ ଫୋନ୍ ଏବଂ ଅନ୍ୟାନ୍ୟ ଉପକରଣର ପାସୱାର୍ଡ ଦେବାକୁ ମନା କରିଦେଇଥିଲେ, ସେତେବେଳେ ହାୱାଲା ଅପରେଟରଙ୍କ ମୋବାଇଲ୍ ଓ ଲାପଟପ୍ରୁ ଏସବୁ ଚାଟିଂ ପ୍ରମାଣ ଉଦ୍ଧାର କରାଯାଇଥିଲା ।
୨୦୨୧-୨୨ରେ ଲାଗୁ ହୋଇଥିବା ଦିଲ୍ଲୀ ଅବକାରୀ ନୀତିକୁ ନେଇ ବ୍ୟାପକ ବିବାଦ ମୁଣ୍ଡ ଟେକିବା ପରେ ଦିଲ୍ଲୀ ସରକାର ତରବରିଆ ଭାବେ ଏହାକୁ ପ୍ରତ୍ୟାହାର କରିନେଇଥିଲେ । ପରେ ଏହି ମାମଲାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହେବା ପରେ ଇଡି ମନି ଲଣ୍ଡରିଂ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଥିଲା । ଗତବର୍ଷ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏହି ମାମଲାରେ ଗିରଫ ହୋଇଥିଲେ । ସେହିପରି ଚଳିତ ବର୍ଷ ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ମଧ୍ୟ ଇଡି ଗିରଫ କରିଥିଲା । ତେବେ ସେ ୫୦ ଦିନ ଜେଲରେ ରହିବା ପରେ ଏବେ ଲୋକସଭା ନିର୍ବାଚନର ପ୍ରଚାର ପାଇଁ ସୁପ୍ରିମକୋର୍ଟରୁ ୨୧ ଦିନର ଜାମିନ୍ ପାଇଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆସନ୍ତା ଜୁନ ୨ରେ ସେ ପୁଣି ଜେଲରେ ଆତ୍ମସମର୍ପଣ କରିବେ ।