ନୂଆଦିଲ୍ଲୀ : କୁନୋ ଜାତୀୟ ଉଦ୍ୟାନରେ ଚିତା ମୃତ୍ୟୁକୁ ନେଇ ଚିନ୍ତା ବଢ଼ିଛି। ପ୍ରାୟ ୪ ମାସ ମଧ୍ୟରେ ଏଠାରେ ୮ ଚିତାଙ୍କ ମୃତ୍ୟୁ ହେଲାଣି। ଯେଉଁଥିରେ ଚାରି ଶାବକ ମଧ୍ୟ ଅଛନ୍ତି। ଆଉ କୁନୋରେ ଏଭଳି ଲଗାତାର ହେଉଥିବା ଚିତା ମୃତ୍ୟୁକୁ ନେଇ ସୁପ୍ରିମକୋର୍ଟ ଟିପ୍ପଣୀ କରିଛନ୍ତି।
ଗୁରୁବାର ସୁପ୍ରିମକୋର୍ଟ ବିଚାରପତି ବିଆର ଗଭଇଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହି ପ୍ରସଙ୍ଗରେ ଶୁଣାଣି କରିଥିଲେ। ଏହି ସମୟରେ ସରକାରୀ ଓକିଲ ଐଶ୍ବର୍ଯ୍ୟା ଭାଟି ଉପସ୍ଥିତ ଥିଲେ। କୋର୍ଟ କହିଥିଲେ ‘‘ଯଦି ଏଭଳି ଭାବରେ ଚିତାଙ୍କ ମୃତ୍ୟୁ ହେବ ତେବେ ଏହା କିପରି ଏକ ପ୍ରତିଷ୍ଠାପୂର୍ଣ୍ଣ ପ୍ରସଙ୍ଗ ? ଏହାକୁ ଏକ ପ୍ରତିଷ୍ଠାପୂର୍ଣ୍ଣ ପ୍ରସଙ୍ଗ ନକରି କିଛି ସକରାତ୍ମକ ପଦକ୍ଷେପ ନିଅନ୍ତୁ।’’ ‘‘ ଆହୁରି ମଧ୍ୟ, ସେମାନଙ୍କୁ କାହିଁକି ଗୋଟିଏ ସ୍ଥାନରେ ରଖାଯାଇଛି ? ରାଜସ୍ଥାନ ସ୍ଥାନାନ୍ତର କରାଯାଉନାହିଁ କାହିଁକି? ୪୦ ପ୍ରତିଶତ ଚିତାଙ୍କ ମୃତ୍ୟୁ ତାହାବି ପୁଣି ଗୋଟିଏ ବର୍ଷରେ ଏହା ଭଲ ସଙ୍କେତ ନୁହେଁ।’’
ଆଉ ଏହାର ଉତ୍ତରରେ ସରକାରୀ ଓକିଲ, ସୁପ୍ରିମକୋର୍ଟ ବେଞ୍ଚକୁ କହିଛନ୍ତି ଯେ ‘‘ ସରକାର ଏହି ପ୍ରକଳ୍ପ ପାଇଁ ପୂରା ଚେଷ୍ଟା କରୁଛନ୍ତି। ସ୍ଥାନାନ୍ତରୀକରଣରେ ୫୦ ପ୍ରତିଶତ ଚିତାଙ୍କ ମୃତ୍ୟୁ ହେବା ନେଇ ଅନୁମାନ କରାଯାଉଥିଲା। ଏହା ସତର୍କ ଘଣ୍ଟି ନୁହେଁ।’’ ଏହା ପରେ ବିଚାରପତି ପାର୍ଦିଓ୍ବାଲା କହିଥିଲେ ଯେ, ‘‘ ତେବେ ଅସୁବିଧା କେଉଁଠି ? କ’ଣ ଆମର ଜଳବାୟୁ ସେମାନଙ୍କୁ ସୁହାଉନାହିଁ ? କିଡନୀ କିମ୍ବା ଶ୍ବାସକ୍ରିୟା ଜନିତ ସମସ୍ୟା ରହିଛି ?’’ ଯାହାର ଉତ୍ତରରେ ସରକାରୀ ଓକିଲ କହିଥିଲେ ଯେ, ଅଧିକାଂଶ ମୃତ୍ୟୁ ସଂକ୍ରମଣ କାରଣରୁ ହେଉଛି। ସେ ଆହୁରି କହିଥିଲେ ପ୍ରତ୍ୟେକ ଚିତାଙ୍କ ମୃତ୍ୟୁର ଯାଞ୍ଚ ଜାରି ରହିଛି। ଏହା ସହ କୋର୍ଟ ଚିତାଙ୍କୁ ରାଜସ୍ଥାନ ନେବା ଉପରେ ପ୍ରତିକ୍ରିୟା ରଖିବାକୁ କହିଛନ୍ତି। ମାମଲାରେ ଆଗାମୀ ଶୁଣାଣି ଅଗଷ୍ଟ ୧ରେ ହେବ।