ନୂଆଦିଲ୍ଲୀ: ଗାଜାରେ ଇସ୍ରାଏଲ ସ୍ଥଳ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଏହା ଉତ୍ତର ଗାଜାରେ ଗତରାତିରେ ଟାର୍ଗେଟ୍ ରେଡ୍ କରିଛି । ୫୦ରୁ ଅଧିକ ହମାସ ଠିକଣା ଉପରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି । ଗାଜାରେ ଇସ୍ରାଏଲ ସେନା ଏବଂ ଟ୍ୟାଙ୍କ୍ ପ୍ରବେଶ କରି ହମାସ ଗୋଷ୍ଠୀର ବିଭିନ୍ନ ଆଡ଼ାସ୍ଥଳ ଉପରେ ଆକ୍ରମଣ କରିଛି । ହମାସ ଆତଙ୍କବାଦୀ ଗୋଷ୍ଠୀର ବିଭିନ୍ନ ଭିତ୍ତିଭୂମି, ଆଣ୍ଟି ଟ୍ୟାଙ୍କ୍ ମିସାଇଲ ଲଞ୍ଚ୍ ପୋଷ୍ଟ୍ ଉପରେ ଇସ୍ରାଏଲ ସେନା ଆକ୍ରମଣ କରିଛି । ଇସ୍ରାଏଲ ସେନା ପକ୍ଷରୁ ଏନେଇ ଏକ ଅନଲାଇନ୍ ବିବୃତି ଜାରି କରି କୁହାଯାଇଛି ଯେ ପରବର୍ତ୍ତୀ ପର୍ଯ୍ୟାୟ ଯୁଦ୍ଧର ପ୍ରସ୍ତୁତି ପୂର୍ବକ ଉତ୍ତର ଗାଜାରେ ଏହି ଅପରେସନ୍ କରାଯାଇଛି । ତେବେ ଇସ୍ରାଏଲ ସେନା କେତେକ ଟାର୍ଗେଟ୍ ଧ୍ୱଂସ କରିବା ପରେ ଉକ୍ତ ଅଞ୍ଚଳ ଛାଡ଼ି ଇସ୍ରାଏଲ ପରିସରକୁ ଚାଲି ଆସିଥିବା ସେନା ପକ୍ଷରୁ କୁହାଯାଇଛି ।
ଅନ୍ୟପକ୍ଷରେ ଆତଙ୍କବାଦୀ ସଂଗଠନ ହମାସ୍ କହିଛି, ଇସ୍ରାଏଲର ବିମାନ ଆକ୍ରମଣରେ ୫୦ ଜଣ ଇସ୍ରାଏଲୀ ବନ୍ଦୀ ନିହତ ହୋଇଛନ୍ତି । ବିଭିନ୍ନ ଅଞ୍ଚଳରେ ଚାଲିଥିବା ବେପରୁଆ ବୋମାମାଡ଼ର ଏହାର ପରିଣାମ ବୋଲି ହମାସ୍ କହିଛି । ଆଜି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି, ହମାସକୁ ରାସ୍ତାରୁ ହଟାଇବାପାଇଁ ଇସ୍ରାଏଲ ଗାଜାରେ ଖୁବ୍ଶୀଘ୍ର ସ୍ଥଳ ଅଭିଯାନ ଆରମ୍ଭ କରିବ । କିନ୍ତୁ କେବେ ଅପରେସନ ଆରମ୍ଭ ହେବ ସେନେଇ ନେତାନ୍ୟାହୁ କିଛି ସ୍ପଷ୍ଟ କରିନାହାନ୍ତି । ଇତିମଧ୍ୟରେ ଇସ୍ରାଏଲ ବିମାନ ଆକ୍ରମଣରେ ଗାଜା ଷ୍ଟ୍ରିପ୍ରେ ଜଣେ ଶୀର୍ଷ ହମାସ କମାଣ୍ଡର ହାସନ ଅଲ ଅବଦୁଲ୍ଲା ନିପାତ ହୋଇଛି ବୋଲି ଇସ୍ରାଏଲ ସେନା ପକ୍ଷରୁ ଦାବି ହୋଇଛି ।
ସେହିପରି ଇସ୍ରାଏଲ ଆକ୍ରମଣରେ ଗାଜାରେ ୭,୦୨୮ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ପାଲେଷ୍ଟାଇନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଦାବି ହୋଇଛି । ଏମାନଙ୍କ ମଧ୍ୟରେ ୨,୯୧୩ ଜଣ ଶିଶୁ ଅଛନ୍ତି । ହମାସ ଆତଙ୍କବାଦୀ ଗୋଷ୍ଠୀ ୨୨୪ ଜଣ ଇସ୍ରାଏଲୀ ନାଗରିକଙ୍କୁ ପଣବନ୍ଦୀ ରଖିଥିବା ଇସ୍ରାଏଲ ସେନା କହିଛି । ଆଗକୁ ଏହି ସଂଖ୍ୟା ମଧ୍ୟ ବଢ଼ିପାରେ । ଇତିମଧ୍ୟରେ ବାଇଡେନ ପ୍ରଶାସନ ଗାଜାକୁ ଅଧିକ ମାନବୀୟ ସହାୟତା ପଠାଇବାପାଇଁ ଯୁଦ୍ଧବିରତି ଅନୁରୋଧ କରିଛନ୍ତି । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍େଥାନି ଆଲବାନିଜଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଇସ୍ରାଏଲ୍ ସହ ଏ ସଂପର୍କରେ ଆଲୋଚନା କରିଥିବା କହିଛନ୍ତିା । ଗାଜାକୁ ମାନବୀୟ ସହାୟତା ବୃଦ୍ଧି କରିବାପାଇଁ ଏବଂ ନିରୀହ ନାଗରିକଙ୍କ ଜୀବନ ବଞ୍ଚାଇବାପାଇଁ ଯୁଦ୍ଧବିରତି କରିବାକୁ ସେ ଅନୁରୋଧ କରିଛନ୍ତି ।