ଗାଜା: ଇସ୍ରାଏଲ ଓ ହାମାସ ମଧ୍ୟରେ ଅସ୍ତ୍ରବିରତି ଲାଗୁ ହୋଇଥିଲେ ହେଁ ଗାଜା ଭୂଖଣ୍ଡରେ ଇସ୍ରାଏଲର ସାମରିକ ଆକ୍ରମଣ ଥମିବାର ନାଁ ନେଉନାହିଁ। ବୁଧବାର ହୋଇଥିବା ଇସ୍ରାଏଲୀ ଏୟାର୍ ଷ୍ଟ୍ରାଇକରେ ଅତିକମରେ ୧୨ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀମାନେ ପ୍ରକାଶ କରିଛନ୍ତି। ଗୁରୁତର ବିଷୟ ହେଉଛି, ଉତ୍ତର ଗାଜାର ଜବାଲିଆ ଶରଣାର୍ଥୀ ଶିବିରରେ ଥିବା ଏକ ପୋଲିସ ଷ୍ଟେସନ ଉପରେ ହୋଇଥିବା ବୋମାବର୍ଷଣରେ ଜଣେ ମହିଳା ଓ ସିନିୟର କମାଣ୍ଡର କର୍ଣ୍ଣେଲ ମହମ୍ମଦ ମରୱାନ ସାଲେମଙ୍କ ସମେତ ୬ ଜଣ ପୋଲିସ କର୍ମଚାରୀ ପ୍ରାଣ ହରାଇଛନ୍ତି। ସେହିପରି ଦକ୍ଷିଣ ଗାଜାର ଖାନ୍ ୟୁନିସ ଏବଂ ରାଫା ସୀମାବର୍ତ୍ତୀ ଅଞ୍ଚଳରେ ମଧ୍ୟ ଇସ୍ରାଏଲୀ ସେନାର ଗୁଳିମାଡ଼ ଓ ବୋମାବର୍ଷଣରେ ଜଣେ ଶିଶୁ ସମେତ ଅନ୍ୟମାନଙ୍କର ମୃତ୍ୟୁ ହୋଇଛି।ଇସ୍ରାଏଲ ସେନା ପକ୍ଷରୁ ଦାବି କରାଯାଇଛି ଯେ, ପ୍ରାଣ ହରାଇଥିବା ପୋଲିସ ଅଧିକାରୀମାନେ ହାମାସର ସଂଗଠନ ସହ ଜଡ଼ିତ ଥିଲେ। ମାତ୍ର ଏହାର କୌଣସି ପ୍ରମାଣ ମିଳିନଥିବା ବେଳେ ହାମାସ କହିଛି ଯେ ପୋଲିସ ବାହିନୀ କେବଳ ଆଇନ ଶୃଙ୍ଖଳା ରକ୍ଷା କାର୍ଯ୍ୟରେ ନିୟୋଜିତ ଥିଲେ।










