ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲାରେ ଘଟିଛି ଏକ ହୃଦୟବିଦାରକ ଘଟଣା । ଜଣେ ବାପା ନିଜର ୪ ବର୍ଷର ପୁଅକୁ କଟୁରୀରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ଅଭାବନୀୟ ଘଟଣା ଶରତ ଥାନା ଅନ୍ତର୍ଗତ ପୁରୁଣାପାଣି ଗାଁରେ ଘଟିଛି । ମୃତ ନାବାଳକଙ୍କ ନାମ ଦୁମ୍ବି ସିଂ ବୋଲି ଜଣାପଡ଼ିଛି । ଅଭିଯୋଗ ଅନୁସାରେ, ବାପା ସୋହନ ସିଂ କୌଣସି କାରଣରୁ ଉତ୍ତ୍ୟକ୍ତ ହୋଇ କଟୁରୀରେ ପୁଅକୁ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ହିଁ ଶିଶୁଟିର ମୃତ୍ୟୁ ହୋଇଥିଲା । ଏତିକିରେ ଅଭିଯୁକ୍ତ ଅଟକି ନଥିଲା । ପୁଅକୁ ହତ୍ୟା କରିବା ପରେ ମୃତଦେହକୁ ଘର ଭିତରେ ରଖି କବାଟ ବନ୍ଦ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି ।ଖବର ପାଇ ଶରତ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଫେରାର ଅଭିଯୁକ୍ତ ସୋହନ ସିଂଙ୍କୁ ଧରିବା ପାଇଁ ପୋଲିସ ତଲାସି ଜାରି ରଖିଛି । ହତ୍ୟା ପଛର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବାବେଳେ, ପୋଲିସ ସମସ୍ତ ଦିଗକୁ ନେଇ ତଦନ୍ତ କରୁଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ଓ ଚାଞ୍ଚଲ୍ୟ ସୃଷ୍ଟି କରିଛି ।










