29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଇସ୍ରାଏଲ୍‌-ହାମାସ୍ ଚାରିଦିନିଆ ଯୁଦ୍ଧ ବିରତି ଆରମ୍ଭ; ୧୩ ଇସ୍ରାଏଲୀ ପଣବନ୍ଦୀଙ୍କୁ ଛାଡ଼ିଲା ହାମାସ୍‌

ଇସ୍ରାଏଲ୍‌-ହାମାସ୍ ଚାରିଦିନିଆ ଯୁଦ୍ଧ ବିରତି ଆରମ୍ଭ; ୧୩ ଇସ୍ରାଏଲୀ ପଣବନ୍ଦୀଙ୍କୁ ଛାଡ଼ିଲା ହାମାସ୍‌

ତେଲ୍ ଆଭିଭ୍ : ଇସ୍ରାଏଲ୍ ଓ ହାମାସ୍ ଆତଙ୍କବାଦୀ ଗୋଷ୍ଠୀ ମଧ୍ୟରେ ଶୁକ୍ରବାର ଠାରୁ ଚାରିଦିନିଆ ଯୁଦ୍ଧବିରତି ଆରମ୍ଭ ହୋଇଛି । ରାଜିନାମା ଅନୁସାରେ ହାମାସ୍ ପ୍ରଥମ ଦଫାରେ ୧୩ ଜଣ ଇସ୍ରାଏଲ୍ ପଣବନ୍ଦୀଙ୍କୁ ମୁକ୍ତ କରିଛି । ଏହା ବ୍ୟତୀତ ଥାଇଲାଣ୍ଡର ୧୨ ଜଣ ପଣବନ୍ଦୀଙ୍କୁ ମଧ୍ୟ ମୁକ୍ତ କରାଯାଇଛି । ହାମାସ୍ ଏହି ପଣବନ୍ଦୀଙ୍କୁ ଅନ୍ତର୍ଜତାୀୟ ରେଡ୍‌କ୍ରସ୍ ସଂସ୍ଥାକୁ ହସ୍ତାନ୍ତର କରିଛି । ଏହି ପଣବନ୍ଦୀଙ୍କୁ ଇଜିପ୍ଟ ଓ ଗାଜା ସୀମାର ରାଫା କ୍ରସିଂକୁ ନିଆଯାଉଛି । ସେଠାରେ ପହଞ୍ଚିବାକୁ କେତେ ସମୟ ଲାଗିବ ଜଣାନଥିବା ବେଳେ ସେଠାରେ ହିଁ ସେମାନଙ୍କୁ ମୁକ୍ତ କରାଯିବ । ସେଠାରୁ ମେଡିକାଲ୍ ଯାଞ୍ଚ୍ ପାଇଁ ଇସ୍ରାଏଲ୍ ସେନା ପଣବନ୍ଦୀଙ୍କ ଏୟାରବେସ୍ ନେବ । ପ୍ରାଥମିକ ଯାଞ୍ଚ୍ ପରେ ହେଲିକପ୍ଟର୍‌ରେ ସେମାନଙ୍କୁ ହସ୍ପିଟାଲ୍ ନିଆଯିବ ଏବଂ ସେଠାରେ ଉପସ୍ଥିତ ପରିଜନକୁ ପଣବନ୍ଦୀ ଭେଟିବେ । ମୁକ୍ତ କରାଯାଇଥିବା ପଣବନ୍ଦୀମାନଙ୍କ ନାମ ଜଣାପଡ଼ି ନଥିବା ବେଳେ ସେମାନେ ସମସ୍ତେ ମହିଳା ଏବଂ ଶିଶୁ । ଏହି ପଣବନ୍ଦୀଙ୍କ ମୁକ୍ତି ବଦଳରେ ୱେଷ୍ଟବ୍ୟାଙ୍କ୍‌ର ଓଫର୍ ଜେଲ୍‌ରେ ବନ୍ଦୀଥିବା ୩୯ ପାଲେଷ୍ଟାଇନ୍ କଏଦୀଙ୍କୁ ଇସ୍ରାଏଲ୍ ଛାଡ଼ିବ । ଏହି କଏଦୀଙ୍କ ତାଲିକା ଜାରୀ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ୨୪ ମହିଳା ଓ ୧୫ ପୁରୁଷ ସାମିଲ । ଇସ୍ରାଏଲ୍ ଜେଲ୍ ବିଭାଗ ଅନୁସାରେ ସେମାନଙ୍କୁ ୱେଷ୍ଟବ୍ୟାଙ୍କ୍‌ରେ ଥିବା ଇସ୍ରାଏଲୀ ମିଲିଟାରୀର ଏକ ଚେକ୍‌ପଏଣ୍ଟ୍‌କୁ ସ୍ଥାନାନ୍ତରିତ କରାଯିବ ଏବଂ ସେଠାରେ ଘରକୁ ଫେରିବା ଅନୁମତି ମିଳିବ । ଇତିମଧ୍ୟରେ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, ପଣବନ୍ଦୀ ରଖାଯାଇଥିବା ୧୨ ଥାଇ ନାଗରିକଙ୍କୁ ମୁକ୍ତ କରାଯାଇଛି । ଦୂତାବାସ କର୍ମଚାରୀ ଏହି ନାଗରିକମାନଙ୍କୁ ଆଣିବା ପାଇଁ ଯାଇଛନ୍ତି । ଇଜିପ୍ଟ ସୂଚନା ବିଭାଗ ପକ୍ଷରୁ କୁହାଯାଇଛି, ଇଜିପ୍ଟର ପ୍ରୟାସସ୍ୱରୂପ ଏହି ୧୨ ଜଣ ଥାଇ ନାଗରିକଙ୍କୁ ମୁକ୍ତ କରାଯାଇଛି । ଅନ୍ୟପକ୍ଷରେ ପଣବନ୍ଦୀଙ୍କ ମୁକ୍ତି ନେଇ ହାମାସ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଥାଇଲାଣ୍ଡ ନାଗରିକଙ୍କ ମୁକ୍ତି ଇସ୍ରାଏଲ୍‌-ହାମାସ୍ ରାଜିନାମାର ଅଂଶ ନଥିଲା । ଥାଇଲାଣ୍ଡ ସରକାରଙ୍କ ଅନୁସାରେ ସେଠାକାର ୨୬ ଥାଇ ନାଗରିକଙ୍କୁ ପଣବନ୍ଦୀ କରାଯାଇଥିଲା ।
ତେଲ୍ ଆଭିଭ୍‌ସ୍ଥିତ ଇସ୍ରାଏଲୀ ଡିଫେନ୍ସ ଫୋର୍ସ (ଆଇଡିଏଫ୍‌) କମାଣ୍ଡ୍ ସେଣ୍ଟର୍‌ରେ ଉପସ୍ଥିତ ଥିବା ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ପ୍ରତିରକ୍ଷା ମନ୍ତ୍ରୀ ୟୋଭ୍ ଗ୍ୟାଲେଣ୍ଟ୍ ଏହି ପୂରା ପ୍ରକ୍ରିୟା ଉପରେ ନଜର ରଖିଛନ୍ତି । ହାମାସ୍ ପକ୍ଷରୁ ଅକ୍ଟୋବାର ୭ ତାରିଖରେ ଇସ୍ରାଏଲ୍ ଉପରେ ଭୟଙ୍କର ଆକ୍ରମଣ ହୋଇଥିଲା । ଏହି ଆକ୍ରମଣରେ ୧୪୦୦ରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଥିଲେ । ଏହା ସହିତ ହାମାସ୍ ୨୪୦ ଜଣଙ୍କୁ ପଣବନ୍ଦୀ କରିନେଇଥିଲା । ଗତ ୪୮ ଦିନ ଧରି ଏହି ଲୋକମାନେ ହାମାସ୍ କବ୍‌ଜାରେ ରହିଛନ୍ତି । ଏହା ମଧ୍ୟରୁ ଏବେ ମାତ୍ର ୫୦ ଜଣ ପଣବନ୍ଦୀଙ୍କ ମୁକ୍ତିକୁ ନେଇ ରାଜିନାମା ହୋଇପାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking