34.1 C
Bhubaneswar
Friday, March 29, 2024
Homeଆଇପିଏଲ୍ -2022ଆର୍‌ସିବିକୁ ହରାଇ ଫାଇନାଲକୁ ପ୍ରବେଶ କଲା ରାଜସ୍ଥାନ

ଆର୍‌ସିବିକୁ ହରାଇ ଫାଇନାଲକୁ ପ୍ରବେଶ କଲା ରାଜସ୍ଥାନ

ଅହମ୍ମଦାବାଦ: ଚଳିତ ଆଇପିଏଲ୍‌ର ପଞ୍ଚଦଶ ସଂସ୍କରଣ ଫାଇନାଲ୍ ଆସନ୍ତା ରବିବାର ଗୁଜରାଟ ଟାଇଟାନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯିବ। ପୂର୍ବରୁ କ୍ୱାଲିଫାୟର୍‌-୧ରେ ବିଜୟୀ ହୋଇ ଡେବ୍ୟୁଟାଣ୍ଟ୍ ଗୁଜରାଟ ପ୍ରଥମ ଦଳ ଭାବେ ଫାଇନାଲ୍‌ରେ ପ୍ରବେଶ କରିଥିବା ବେଳେ ଶୁକ୍ରବାର କ୍ୱାଲିଫାୟର୍‌-୨ରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌କୁ ବିଦାକରି ରାଜସ୍ଥାନ ଟାଇଟଲ୍ ଲଢ଼େଇରେ ଅବତୀର୍ଣ୍ଣ ହେବାକୁ ଯୋଗ୍ୟତା ପାଇଛି । ପ୍ରଥମେ ବ୍ୟାଟିଂ ପାଇ ଆର୍‌ସିବି ୮ ୱିକେଟ୍‌ରେ ୧୫୭ ରନ୍ କରିଥିଲା । ଏହାର ଜବାବରେ ରାଜସ୍ଥାନ ୧୮.୧ ଓଭର୍‌ରେ ମାତ୍ର ୩ଟି ୱିକେଟ୍ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା । ରାଜସ୍ଥାନର ତାରକା ବ୍ୟାଟ୍ସମ୍ୟାନ୍ ଓପନର ଜୋସ୍ ବଟଲର୍ ତାଙ୍କ ଫର୍ମ କାଏମ୍ ରଖି ସିଜନ୍‌ରେ ଚତୁର୍ଥ ଶତକ ହାସଲ କରିବା ଫଳରେ ରାଜସ୍ଥାନର ବିଜୟ ସହଜ ହୋଇଯାଇଥିଲା ।

ଓପନର ବିରାଟ କୋହଲି ମାତ୍ର ୭ ରନ୍ କରି ଆଉଟ୍ ହୋଇଥିଲେ ହେଁ ଅନ୍ୟତମ ଓପନର ତଥା ଅଧିନାୟକ ଫାଫ୍ ଡୁପ୍ଲେସିସ୍ ଓ ଗତ ମ୍ୟାଚ୍‌ର ଶତକଧାରୀ ରଜତ ପାଟିଦାରଙ୍କ ମଧ୍ୟରେ ୭୦ ରନ୍‌ର ଦମ୍‌ଦାର ଭାଗୀଦାରୀ ହୋଇଥିଲା । ଡୁପ୍ଲେସିସ୍ ୩ର୍ଟି ଚୌକା ସହ ୨୫ ରନ୍ କରି ଆଉଟ୍ ହେବା ପରେ ପାଟିଦାର ଓ ଗ୍ଲେନ୍ ମ୍ୟାକ୍ସୱେଲ୍ ୩୨ ରନ୍ ଯୋଡ଼ିଥିଲେ । କିନ୍ତୁ ଏହି ଦୁଇ ବ୍ୟାଟ୍ସମ୍ୟାନ୍ ଆଉଟ୍ ହେବା ପରେ ଆର୍‌ସିବିର ରନ୍ ସଂଗ୍ରହ ହାର ହ୍ରାସ ପାଇଥିଲା । ପାଟିଦାର ୪୨ଟି ବଲ୍ ଖେଳି ୪ଟି ଚୌକା ଓ ୩ଟି ଛକା ମାଧ୍ୟମରେ ସର୍ବାଧିକ ୫୮ ରନ୍ କରିଥିବା ବେଳେ ମ୍ୟାକ୍ସୱେଲ୍ ୧୩ଟି ବଲ୍ ଖେଳି ଗୋଟିଏ ଚୌକା ଓ ୨ଟି ଛକା ମାଧ୍ୟମରେ ୨୪ ରନ୍‌ର ଯୋଗଦାନ ଦେଇଥିଲେ । ଇନ୍‌ଫର୍ମ ବ୍ୟାଟ୍ସମ୍ୟାନ୍ ଦୀନେଶ କାର୍ତ୍ତିକ ମାତ୍ର ୬ ରନ୍ କରିଥିବା ବେଳେ ଶାହବାଜ୍ ଅହମ୍ମଦ ଗୋଟିଏ ଲେଖାଏଁ ଚୌକା ଓ ଛକା ସହ ୧୨ ରନ୍ କରି ଅପରାଜିତ ରହିଥିଲେ ।

ରାଜସ୍ଥାନ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ଓ ଓବେଦ୍ ମ୍ୟାକ୍‌କୟ ୩ଟି ଲେଖାଏଁ ଏବଂ ଟ୍ରେଣ୍ଟ୍ ବୋଲ୍ଟ ଓ ରବିଚନ୍ଦ୍ରନ୍ ଅଶ୍ୱିନ୍ ଗୋଟିଏ ଲେଖାଏଁ ୱିକେଟ୍ ଦଖଲ କରିଥିଲେ । ରାଜସ୍ଥାନର ଦୁଇ ଓପନର ବଟଲର୍ ଓ ଯଶସ୍ୱୀ ଜୈସ୍ୱାଲ୍ ୬୧ ରନ୍ ଯୋଡ଼ିବା ପରେ ଗୋଟିଏ ଚୌକା ଓ ୨ଟି ଛକା ସହ ୨୧ ରନ୍ କରି ଆଉଟ୍ ହୋଇଥିଲେ । କିନ୍ତୁ ବଟଲର୍ ଦ୍ୱିତୀୟ ୱିକେଟ୍‌ରେ ଅଧିନାୟକ ସଞ୍ଜୁ ସାମ୍‌ସନ୍‌ଙ୍କ ସହ ଦ୍ୱିତୀୟ ୱିକେଟ୍‌ରେ ୫୨ ଏବଂ ତୃତୀୟ ୱିକେଟ୍‌ରେ ଦେବଦତ୍ତ ପାଡିକଲ୍‌ଙ୍କ ସହ ୩୫ ରନ୍‌ର ଭାଗୀଦାରୀ କରିଥିଲେ । ସେ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିବା ସହ ଛକା ମାଧ୍ୟମରେ ମ୍ୟାଚ୍‌ର ମୁଣ୍ଡି ମାରିଥିଲେ । ସେ ୬୦ଟି ବଲ୍ କେଳି ୧୦ଟି ଚୌକା ଓ ୬ଟି ଛକା ସହ ୧୦୬ ରନ୍ କରି ଅରେଞ୍ଜ୍ କ୍ୟାପ୍ ଦୌଡ଼ରେ ବେଶ୍ ଆଗରେ କାଏମ ରହିଛନ୍ତି । ତାଙ୍କ ବ୍ୟତୀତ ସାମ୍‌ସନ୍ ଗୋଟିଏ ଚୌକା ଓ ୨ଟି ଛକା ସହ ୨୩ ରନ୍ କରିଥିବା ବେଳେ ପାଡିକଲ୍ ୯ ରନ୍ ଯୋଗ କରିଥିଲେ । ଆର୍‌ସିବି ପକ୍ଷରୁ ଜୋଶ୍ ହେଜଲଉଡ୍ ୨ଟି ଓ ୱାନିନ୍ଦୁ ହସରଙ୍ଗା ଗୋଟିଏ ୱିକେଟ୍ ନେଇଥିଲେ । ଅନ୍ୟପକ୍ଷରେ ଚଳିତ ୱିମେନ୍ସ ଟି-୨୦ ଚାଲେଞ୍ଜ୍‌ର ଫାଇନାଲ୍ ଶନିବାର ପୁଣେର ଏମ୍‌ସିଏ ଷ୍ଟାଡିୟମ୍‌ଠାରେ ସୁପର୍‌ନୋଭାସ୍ ଓ ଭେଲୋସିଟି ମଧ୍ୟରେ ଖେଳାଯିବ ।

ସଂକ୍ଷିପ୍ତ ସ୍କୋର୍‌: ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌-୧୫୭/୮, ୨୦ ଓଭର୍ (ରଜତ ପାଟିଦାର-୫୮, ଫାଫ୍ ଡୁପ୍ଲେସିସ୍‌-୨୫, ପ୍ରସିଦ୍ଧ କ୍ରିଷ୍ଣା-୨୨/୩, ଓବେଦ୍ ମ୍ୟାକ୍‌କୟ-୨୩/୩); ରାଜସ୍ଥାନ ରୟାଲ୍ସ-୧୬୧/୩, ୧୮.୧ ଓଭର୍ (ଜୋସ୍ ବଟଲର୍‌-୧୦୬³, ସଞ୍ଜୁ ସାମ୍‌ସନ୍‌-୨୩, ଜୋଶ୍ ହେଜଲଉଡ୍‌-୨୩/୨, ୱାନିନ୍ଦୁ ହସରଙ୍ଗା-୨୬/୧) ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking