27.1 C
Bhubaneswar
Sunday, September 8, 2024
Homeଆଇପିଏଲ୍ -2022ଆଜିଠାରୁ ଆଇପିଏଲ୍‌: ୧୧ ବର୍ଷ ପରେ ୧୦ ଟିମ୍‌

ଆଜିଠାରୁ ଆଇପିଏଲ୍‌: ୧୧ ବର୍ଷ ପରେ ୧୦ ଟିମ୍‌

ମୁମ୍ବାଇ: ଆଜିଠାରୁ ଫଟାଫଟ୍ କ୍ରିକେଟ୍‌ର ରାଜା କୁହାଯାଉଥିବା ଆଇପିଏଲ୍‌ର ପଞ୍ଚଦଶ ସଂସ୍କରଣ ଆରମ୍ଭ ହେଉଛି । ଗତ ବର୍ଷ କୋଭିଡ୍ ପାଇଁ ଆଇପିଏଲ୍‌ର ଚତୁର୍ଦ୍ଦଶ ସଂସ୍କରଣ ବ୍ୟାପକ ଭାବେ ପ୍ରଭାବିତ ହୋଇଥିବାରୁ ଏଥର କେବଳ ମହାରାଷ୍ଟ୍ରର ୪ଟି ଗ୍ରାଉଣ୍ଡ୍‌ରେ ମ୍ୟାଚ୍‌ଗୁଡ଼ିକ ଖେଳାଯିବା ସକାଶେ ନିଷ୍ପତ୍ତି ହୋଇଛି । ଫଳସ୍ୱରୂପ ଟିମ୍‌ଗୁଡ଼ିକୁ ଆଉ ବିମାନର ବ୍ୟବହାର କରିବା ଦରକାର ନାହିଁ । ଏଥିସହ ୧୧ ବର୍ଷ ପରେ ୧୦ଟି ଟିମ୍‌କୁ ନେଇ ଆଇପିଏଲ୍ ଖେଳାଯିବ । ଶେଷ ଥର ପାଇଁ ଗତ ୨୦୧୧ରେ ୧୦ଟି ଫ୍ରାଞ୍ଚାଇଜି ଆଇପିଏଲ୍‌ରେ ଭାଗନେଇଥିଲେ । ତେଣୁ ଲିଗ୍ ମ୍ୟାଚ୍ ସଂଖ୍ୟା ୬୦ରୁ ୭୪କୁ ବଢ଼ିଯାଇଛି । ଅବଶ୍ୟ ପୂର୍ବ ପରି ପ୍ରତିଟି ଦଳ ୧୪ଟି ଲେଖାଏଁ ମ୍ୟାଚ୍ ଖେଳିବେ । କିନ୍ତୁ ଏଥର ଟିମ୍‌ଗୁଡ଼ିକୁ ଦୁଇଟି ପୁଲ୍‌ରେ ବିଭକ୍ତ କରାଯାଇଛି ଓ ପ୍ରଦର୍ଶନ ଭିତ୍ତିରେ ସେମାନଙ୍କୁ ର‌୍ୟାଙ୍କିଙ୍ଗ୍ ମଧ୍ୟ ଦିଆଯାଇଛି ।

କଳେବର ବୃଦ୍ଧି: ଦୁଇ ବର୍ଷ ପରେ ଆଇପିଏଲ୍ ସମ୍ପୂର୍ଣ୍ଣ ଭାବେ ଭାରତରେ ଖେଳାଯିବ । ତାଛଡ଼ା କୋଭିଡ୍ ସଂକ୍ରମଣ କାରଣରୁ ୨୦୨୦ ଓ ୨୦୨୧ରେ ଦର୍ଶକ ଷ୍ଟାଡିୟମ୍‌କୁ ଆସିପାରି ନ ଥିବା ବେଳେ ଏଥର ୨୫ ପ୍ରତିଶତ ଦର୍ଶକ ମ୍ୟାଚ୍‌ର ସିଧାସଳଖ ମଜା ଉଠାଇପାରିବେ । ତେଣୁ ପୂର୍ବାପେକ୍ଷା ଏଥର ଆଇପିଏଲ୍‌ର କଳେବର ବୃଦ୍ଧି ପାଇଛି । ଦୁଇ ନୂଆ ଟିମ୍ ଭାବେ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସ ଓ ଗୁଜରାଟ ଟାଇଟନ୍ସ ମଇଦାନକୁ ଓହ୍ଲାଇବେ । ସେମାନଙ୍କ ସହ ପୂର୍ବର ୮ଟି ଟିମ୍ ଟାଇଟଲ୍ ପାଇଁ ଲଢ଼େଇ କରିବେ ।

ଅନ୍ତର୍ଜାତୀୟ ପରିଚିତି: ଆଇପିଏଲ୍‌କୁ ୧୪ ବର୍ଷ ବିତିବା ପରେ ଏହାକୁ ଅନ୍ତର୍ଜାତୀୟ ପରିିଚିତି ମିିଳିପାରିଛି । କାରଣ ଦୁଇ ନୂଆ ଟିମ୍ ପାଇଁ ଟେଣ୍ଡର୍ ଆହ୍ୱାନ କରାଯିବା ସମୟରେ ମାଞ୍ଚେଷ୍ଟର୍ ୟୁନାଇଟେଡ୍ ମଧ୍ୟ ଏଥିସକାଶେ ବିଡ୍ ଦାଖଲ କରିଥିଲା । ଅବଶ୍ୟ ପରେ ଏହା ବିଡ୍ ଯୁଦ୍ଧରେ ପଛରେ ପଡ଼ିଯାଇଥିଲା । ଏଥିସହ ବ୍ରିଟେନ୍ ଭିତ୍ତିକ ସିଭିସି ଗ୍ରୁପ୍ ଗୁଜରାଟ ଟାଇଟାନ୍ସର ମାଲିକାନା ହାସଲ କରିବାରେ ସକ୍ଷମ ହୋଇଛି ।

କ୍ୟୁରେଟରଙ୍କ ସକାଶେ ଚାଲେଞ୍ଜ୍‌: ପାଖାପାଖି ଦୁଇ ମାସ ଧରି ଚାଲିବାକୁ ଥିବା ଆଇପିଏଲ୍‌ରେ ମୁମ୍ବାଇର ୩ଟି ଓ ପୁଣେର ଗୋଟିଏ ପିଚ୍ ବ୍ୟବହୃତ ହେବାକୁ ଥିବା ବେଳେ ପିଚ୍‌ର ମାନ ବଜାୟ ରଖିବା ନିଶ୍ଚିତ ଭାବେ କ୍ୟୁରେଟରଙ୍କ ସକାଶେ ଚାଲେଞ୍ଜ୍ ହେବ । ଏ ଦୃଷ୍ଟିରୁ ଟୁର୍ଣ୍ଣାମେଣ୍ଟ୍‌ର ଅର୍ଦ୍ଧାଧିକ ମ୍ୟାଚ୍ ହାଇସ୍କୋରିଂ ହେବ ବୋଲି ଆଶା କରାଯାଉଛି । ସେହିପରି ୱାଙ୍ଖେଡେ, ସିସିଆଇ ଓ ଡିୱାଇ ପାଟିଲ୍ ଷ୍ଟାଡିୟମ୍‌ର ପିଚ୍‌ରେ ଲାଲ୍ ମାଟି ଥିବାରୁ ଏଠାରେ ଅଧିକ ବାଉନ୍ସ ମିଳିବ । ଅନ୍ୟପକ୍ଷରେ ପୁଣେ ଷ୍ଟାଡିୟମ୍ ପିଚ୍‌ରେ କଳା ମାଟି ବ୍ୟବହାର କରାଯାଉଥିବାରୁ ଏହା ସ୍ପିନର୍‌ଙ୍କୁ ଅଧିକ ସୁହାଇବ ।

ମୁମ୍ବାଇକୁ ମିଳିବନି ଘରୋଇ ଫାଇଦା: ଘରୋଇ ମାଟିରେ ଖେଳୁଥିଲେ ହେଁ ମୁମ୍ବାଇ ଇଣ୍ଡିଆନ୍ସକୁ ଘରୋଇ ପରିବେଶର ଫାଇଦା ମିଳିବନି ବୋଲି ଅଧିନାୟକ ରୋହିତ ଶର୍ମା କହିଛନ୍ତି । କିନ୍ତୁ ଘରୋଇ ଖେଳାଳି ଭାବେ ଜସପ୍ରୀତ୍ ବୁମରା, ଈଶାନ୍ କିଶନ୍ ଓ ସୂର୍ଯ୍ୟକୁମାର ଯାଦବ ଏଠାକାର ପିଚ୍‌କୁ ବିଶେଷ ପସନ୍ଦ କରିବେ । ଅବଶ୍ୟ ପାଣ୍ଡ୍ୟା ଭ୍ରାତା ଓ ଟ୍ରେଣ୍ଟ୍ ଦଳ ସହ ନ ଥିବାରୁ ଏହା ପୂର୍ବପରି ଶକ୍ତିଶାଳୀ ପ୍ରମାଣିତ ହେବା କଷ୍ଟକର ବ୍ୟାପାର ।

ଧୋନିଙ୍କ ବିଦାୟୀ ସିଜନ୍‌: ମହେନ୍ଦ୍ର ସିଂହ ଧୋନି ୧୪ ବର୍ଷ ଧରି ଚେନ୍ନାଇ ସୁପର୍ କିଙ୍ଗ୍‌ସ (ସିଏସ୍‌କେ)ର ନେତୃତ୍ୱ ନେବା ସହ ଦଳକୁ ୪ଟି ଟାଇଟଲ୍ ଦେଇଛନ୍ତି । ନୂଆ ସିଜନ୍ ଆରମ୍ଭ ପୂର୍ବରୁ ରବୀନ୍ଦ୍ର ଜାଡେଜାଙ୍କୁ ଅଧିନାୟକ ପଦ ଦେଇ ୪୦ ବର୍ଷୀୟ ଧୋନି ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଦେଇଛନ୍ତି । ଚଳିତ ସିଜନ୍ ତାଙ୍କ କ୍ୟାରିୟର୍‌ର ଶେଷ ସିଜନ୍ ବୋଲି ପ୍ରଶଂସକ ଆଶା କରୁଛନ୍ତି । ତେଣୁ ସିଜନ୍‌ର ଅଧିକାଂଶ ମ୍ୟାଚ୍‌ରେ ଧୋନି ଖେଳିବା ମଧ୍ୟ ସେମାନେ ଆଶା ରଖିଛନ୍ତି ।

ଊଦ୍‌ଘାଟନୀରେ ଦୁଇ ନୂଆ ଅଧିନାୟକ: ଆଇପିଏଲ୍‌ର ପଞ୍ଚଦଶ ସଂସ୍କରଣ ୨୦୨୧ ଫାଇନାଲିଷ୍ଟ୍‌ଙ୍କ ମଧ୍ୟରେ ମୁକାବିଲାରୁ ଆରମ୍ଭ ହେବ। ଏଥିସହ ୱାଙ୍ଖେଡେରେ ଦୁଇ ନୂଆ ଅଧିନାୟକଙ୍କ ମଧ୍ୟରେ ବି ଲଢ଼େଇ ହେବ । ଗୋଟିଏ ପଟେ ଚେନ୍ନାଇ ଟିମ୍‌ର ଦାୟିତ୍ୱ ପ୍ରଥମ ଥର ପାଇଁ ଜାଡେଜା ପାଇଥିବା ବେଳେ ଅନ୍ୟପଟେ କୋଲ୍‌କାତା ନାଇଟ୍ ରାଇଡର୍ସର ନେତୃତ୍ୱ ନେଉଛନ୍ତି ଶ୍ରେୟସ୍ ଆୟର୍ । ଅବଶ୍ୟ ଆୟର୍ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ୱ ନେଇଛନ୍ତି । କିନ୍ତୁ ସେ ଚଳିତ ସିଜନ୍‌ରେ ନୂଆ ଫ୍ରାଞ୍ଚାଇଜି ପକ୍ଷରୁ ଖେଳୁଥିବାରୁ ତାଙ୍କ ପାଇଁ ସିଜନ୍ ବେଶ୍ ନୂଆ ରହିବ । ପ୍ରଥମ ମ୍ୟାଚ୍‌ରେ ଅଲ୍‌ରାଉଣ୍ଡର୍ ମୋଇନ୍ ଅଲୀ ଭିସା ସମସ୍ୟା କାରଣରୁ ବିଳମ୍ବରେ ପହଞ୍ଚିଥିବାରୁ ଖେଳିବେ ନାହିଁ। ତେଣୁ ଏହା ଜାଡେଜାଙ୍କ ପାଇଁ ଚିନ୍ତାର ବିଷୟ ହେବ । ତାଙ୍କ ସ୍ଥାନରେ ନ୍ୟୁଜିଲାଣ୍ଡ୍‌ର ଡେଭନ୍ କୋନୱେ ଆଇପିଏଲ୍‌ରେ ଡେବ୍ୟୁ କରିପାରନ୍ତି । ସେହିପରି ନ୍ୟୁଜିଲାଣ୍ଡ୍‌ର ଭେଟେରାନ୍ ପେସର୍ ଟିମ୍ ସାଉଦି ଚଳିତ ସପ୍ତାହ ପ୍ରାରମ୍ଭରେ ବିବାହ କରିଥିବାରୁ ସେ ମଧ୍ୟ ପ୍ରଥମ ମ୍ୟାଚ୍ ଖେଳିବେ ନାହିଁ । ତେଣୁ ଆୟର୍ ଶ୍ରୀଲଙ୍କାର ଚାମିକା କରୁଣାରତ୍ନେଙ୍କୁ ଚୂଡ଼ାନ୍ତ ଏକାଦଶରେ ନେଇପାରନ୍ତି ।

ସମ୍ଭାବ୍ୟ ଚେନ୍ନାଇ ସୁପର୍ କିଙ୍ଗ୍‌ସ: ଋତୁରାଜ ଗାଏକ୍ୱାଡ୍‌, ରବିନ୍ ଉଥାପ୍ପା, ଡେଭନ୍ କୋନୱେ, ଅମ୍ବାତି ରାୟୁଡୁ, ରବୀନ୍ଦ୍ର ଜାଡେଜା (ଅଧିନାୟକ), ଶିବମ୍ ଦୁବେ, ମହେନ୍ଦ୍ର ସିଂହ ଧୋନି (ୱିକେଟ୍‌କିପର୍‌), ଡ୍ୱେନ୍ ବ୍ରାଭୋ, ରାଜ୍ୟବର୍ଦ୍ଧନ ହଙ୍ଗର୍ଗେକର, କ୍ରିସ୍ ଜୋର୍ଡାନ୍‌/ମହୀଶ ତିକ୍‌ଶାନା ଓ ଆଡାମ୍ ମିଲ୍‌ନୋ

ସମ୍ଭାବ୍ୟ କୋଲ୍‌କାତା ନାଇଟ୍ ରାଇଡର୍ସ: ଭେଙ୍କଟେଶ ଆୟର୍‌, ଆଜିଙ୍କ୍ୟ ରାହାଣେ, ଶ୍ରେୟସ୍ ଆୟର୍ (ଅଧିନାୟକ), ନୀତିଶ ରାଣା, ସାମ୍ ବିଲିଙ୍ଗ୍‌ସ (ୱିକେଟ୍‌କିପର୍‌), ଆନ୍ଦ୍ରେ ରସେଲ୍‌, ସୁନୀଲ ନରିନ୍‌, ଚାମିକା କରୁଣାରତ୍ନେ, ଶିବମ୍ ମାଭି, ବରୁନ୍ ଚକ୍ରବର୍ତ୍ତୀ, ଉମେଶ ଯାଦବ/ରଶିଖ୍ ସଲାମ୍ ଦର୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking