ନୂଆଦିଲ୍ଲୀ : ପ୍ରତିବର୍ଷ ୨୧ ଫେବୃଆରୀରେ ଏହାକୁ ପାଳନ କରାଯାଏ…ବିଶ୍ବରେ ଭାଷା ଏବଂ ସଂସ୍କୃତିର ବିବିଧତାକୁ ପ୍ରୋତ୍ସାହନ ଦେବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ପରିଚୟ, ଯୋଗାଯୋଗ, ସାମାଜିକ ଏକୀକରଣ, ଶିକ୍ଷା ଏବଂ ବିକାଶ ପାଇଁ ଭାଷା ଗୁରୁତ୍ତ୍ବପୂର୍ଣ୍ଣ । କିନ୍ତ ଜଗତୀକରଣ ପ୍ରକ୍ରିୟା ହେତୁ ବିପଦରେ ଅଛନ୍ତି ଅନେକ ଭାଷା । ଲୋକେ ନିଜ ମାତୃଭାଷା ଅପେକ୍ଷା ପାଶ୍ଚାତ୍ୟ ସଂସ୍କୃତିକୁ ଆପଣେଇବାକୁ ଅଧିକ ପସନ୍ଦ କରୁଛନ୍ତି । ଏପରି ଦେଖାଦେଇଛି ଲୋକେ ଅନେକ ସ୍ଥାନରେ ଲୋକେ ନିଜ ମାତୃଭାଷା କହିବା ପାଇଁ ମଧ୍ୟ କୁଣ୍ଠାବୋଧ ପ୍ରକାଶ କରିଥାନ୍ତି । ଏହାଦ୍ବାରା ନା କେବଳ ଭାଷା, ବରଂ ଭାଷା ସହ ଜଡିତ ସଂସ୍କୃତି ମଧ୍ୟ ମଳିନ ପଡିଯାଉଛି । ଯାହା ରାଜ୍ୟ ତଥା ଦେଶ ପାଇଁ ଏକ ବଡ ବିପଦ ସଦୃଶ । ସେଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମରେ ମାତୃଭାଷାକୁ ଗୁରୁତ୍ତ୍ବ ଦେବା ସହ ଏହାର ସୁରକ୍ଷା କରିବାକୁ ସରକାରୀ କର୍ମଚାରୀଙ୍କୁ କଡା ନିର୍ଦ୍ଦେଶ ମଧ୍ୟ ରହିଛି । ଆମ ମାତୃଭାଷା ଆମ ପରିଚୟ ଆମ ମୂଳଦୂଆ । ତାକୁ ହେୟଜ୍ଞାନ ନକରି କିପରି ବିଶ୍ବସ୍ତରରେ ପରିଚୟ କରାଇବା ତାହା ଆମର ଦାୟିତ୍ବ ହେବା ଉଚିତ । ସେଥିପାଇଁ ତ ସ୍ବଭାବ କବି ଗଙ୍ଗାଧର ମେହେର କହିଛନ୍ତି ଯେ, ଉଚ୍ଚ ହେବାକୁ କର ଯେବେ ଆଶା ଉଚ୍ଚ କର ଆଗ ନିଜ ମାତୃଭାଷା । କିନ୍ତୁ ଏନେଇ ବିଭିନ୍ନ ସଚେତନମୂଳକ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ଏଥିରେ ସୁଧାର ଆସୁନାହିଁ । ବରଂ ଦିନକୁ ଦିନ ଆହୁରି ବିପଦ ଆଡକୁ ଗତି କରୁଛି ଆମ ଓଡିଆ ଭାଷା । ଓଡିଆ ଭାଷା ସହ ବହୁ ଭାଷାର ମିଶ୍ରଣ ଘଟିଲାଣି । କୋଟିଆ ବିବାଦଠୁ ଆରମ୍ଭ କରି ଓଡିଆ ସିନେମା, ଆମ ବେଶ ପୋଷାକ । ସବୁକ୍ଷେତ୍ରରେ ଆମେ ପାଶ୍ଚାତ୍ୟ ସଂସ୍କୃତିକୁ ଆପଣାଉଛୁ । ଯାହାର ସିଧାସଳଖ ପ୍ରଭାବ ଆମ ସମାଜ ଉପରେ ପଡୁଛି ।