ମୁମ୍ବାଇ: ଦେଶରେ ନିୟମିତ ବ୍ୟବଧାନରେ ପେଟ୍ରୋଲ ଡିଜେଲ ମୂଲ୍ୟ ବଢିଚାଲିଥିବାବେଳେ ଏହାକୁ ନେଇ ଗ୍ରାହକ ତ୍ରାହି ତ୍ରାହି ଡାକ ଛାଡୁଛନ୍ତି । ବିରୋଧୀ ଦଳଗୁଡିକ ଏଥିପାଇଁ ସରକାରଙ୍କୁ ଦାୟୀ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ତୈଳ ଦର ବୃଦ୍ଧିକୁ ନେଇ ମହାରାଷ୍ଟ୍ରର ସୋଲାପୁର ସହରରେ ଏକ ସଂଗଠନ ଅଭିନବ ଉପାୟରେ ପ୍ରତିବାଦ ଜଣାଇଛି ।
ଗୁରୁବାର ଦେଶବ୍ୟାପୀ ଆମ୍ବେଦକର ଜୟନ୍ତୀ ପାଳିତ ହୋଇଥିବାବେଳେ ସଂଗଠନ ପକ୍ଷରୁ ଦିନକ ପାଇଁ ମାତ୍ର ୧ ଟଙ୍କାରେ ଗୋଟିଏ ଲିଟର ପେଟ୍ରୋଲ ଲୋକଙ୍କୁ ବିକ୍ରି କରାଯାଇଛି । ଏହି ସୂଚନା ପାଇବାପରେ ସଂପୃକ୍ତ ପେଟ୍ରୋଲ ପମ୍ପରେ ଲୋକଙ୍କର ଅସମ୍ଭବ ଭିଡ ପରିଲକ୍ଷିତ ହୋଇଥିଲା । ଭିଡ ନିୟନ୍ତ୍ରଣ କରିବାକୁ ପୁଲିସକୁ ମୃଦୁ ଲାଠିଚାଳନା ମଧ୍ୟ କରିବାକୁ ପଡିଥିଲା । ଅବଶ୍ୟ ଜଣେ ବ୍ୟକ୍ତିଙ୍କୁ ୧ ଲିଟର ପେଟ୍ରୋଲ ଯୋଗାଇ ଦିଆଯାଇଥିଲା । ମୋଦୀ ସରକାରଙ୍କ ଅମଳରେ ମହାରାଷ୍ଟ୍ରରେ ପେଟ୍ରୋଲ ଲିଟର ମୂଲ୍ୟ ୧୨୦ ଟଙ୍କାରେ ପହଞ୍ଚିଥିବାରୁ ତୀବ୍ର ଅସନ୍ତୋଷ ଦେଖାଦେଇଛି ।