ଭୁବନେଶ୍ୱର: ମୋର ପାଠ ପଢ଼ିବା ପାଇଁ ବହୁତ ଇଛା ଥିଲା । ହେଲେ ମୋର ବାପା-ମା’ଙ୍କ ସମ୍ବଳ ଭଲ ନଥିବାରୁ ମୋତେ ମଞ୍ଚେଶ୍ୱରରେ ରହୁଥିବା ମାଲିକଙ୍କ ଘରେ କାମ କରାଇବାକୁ ଆଣିଥିଲେ । ହେଲେ ମାଲିକ ମୋତେ ଯେଉଁଭଳି ଭାବେ ଅକଥନୀୟ ନିର୍ଯାତନା ଦେଉଥିଲେ ତାହା ଆପଣମାନେ ନ ଦେଖିଲେ ବିଶ୍ୱାସ କରିପାରିବେ ନାହିଁ । ମୋ ପିଠିକୁ ଚେଙ୍କ ଦେବା ସହ ବୋଲଣା ପଟାରେ ପିଟନ୍ତି । ମୋତେ ଖରାପ ଜିନିଷ ଖାଇବାକୁ ଦିଅନ୍ତି । ମୋତେ କାଟୁନ ପଟ୍ଟାରେ ଶୋଇବାକୁ ଦିଅନ୍ତି । ଚେଙ୍କ ଦେଇ ମୋର ବିଭିନ୍ନ ସ୍ଥାନକୁ ଫୋଟକା କରି ଦେଇଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମଞ୍ଚେଶ୍ୱର ଥାନା ସତ୍ୟବିହାରରେ । ନିର୍ଯାତନାର ଶୀକାର ହେଉଥିବା ଜଣେ ୧୩ ବର୍ଷର ନାବାଳିକାକୁ ମଞ୍ଚେଶ୍ୱର ଥାନା ପୋଲିସ ଓ ଚାଇଲ୍ଡ ଲାଇନ ଉଦ୍ଧାର କରିଛି ।
ଉଦ୍ଧାର ହୋଇଥିବା ନାବାଳିକା ଛାତ୍ରୀଙ୍କ ଘର କେନ୍ଦ୍ରାପଡା ଜିଲ୍ଲା ରାଜକନିକାର ବୋଲି ଜଣାପଡିଛି । ଏ ନେଇ ଚାଇଲ୍ଡ ଲାଇନ ନିର୍ଦ୍ଦେଶକ ଡକ୍ଟର ବେଣୁଧର ସେନାପତି କହିଛନ୍ତି ଯେ, ଏହା ଏକ ସମ୍ବେଦନଶୀଳ ଘଟଣା, ଏଭଳି ଘଟଣା ମୁଁ କେବେ ଦେଖିନାହିଁ । ଛାତ୍ରୀଙ୍କୁ ଚେଙ୍କ ଦେଇ ନିର୍ଯାତନା ଦେଇ ଆସୁଥିଲେ । ଏହିଭଳି ନିର୍ଯାତନା ଅସୟ ହେବାରୁ ସେ ପରିବାର ଲୋକଙ୍କୁ ଜଣାଇଥିଲା । ପରେ ପରିବାର ଲୋକେ ଚାଇଲ୍ଡ ଲାଇନକୁ ଖବର ଦେବା ପରେ ଚାଇଲ୍ଡ ଓ ମଞ୍ଚେଶ୍ୱର ଥାନା ପୋଲିସ ମିଳିତ ଭାବେ ଚଢ଼ଉ କରି ନାବାଳିକାକୁ ଉଦ୍ଧାର କରିବା ସହ ଏ ନେଇ ଏକ ମାମଲା ରୁଜୁ କରି ଘର ମାଲିକଙ୍କୁ ପଚରାଉଚରା କରିବା ସହ ଘର ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ସେନାପତି କହିଛନ୍ତି ।