32.1 C
Bhubaneswar
Monday, May 20, 2024
Homeବିଜିନେସ୍ନିୟନ୍ତ୍ରଣକୁ ଆସୁଛି ମୁଦ୍ରାସ୍ଫୀତି : ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ

ନିୟନ୍ତ୍ରଣକୁ ଆସୁଛି ମୁଦ୍ରାସ୍ଫୀତି : ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ

ମୁମ୍ବାଇ: ଦେଶରେ ମୁଦ୍ରାସ୍ଫୀତି କ୍ରମଶଃ ନିୟନ୍ତ୍ରଣକୁ ଆସୁଥିବାବେଳେ ସାଂପ୍ରତିକ ବିତ୍ତୀୟ ନିଅଣ୍ଟ ସ୍ଥିତି ଏତେଟା ଉଦ୍‌ବେଗଜନକ ନୁହେଁ ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି । ଅର୍ଥନୀତିଙ୍କ ଆକଳନ ଅନୁଯାୟୀ ୨୦୨୩ରେ ବିଶ୍ୱ ଅର୍ଥନୀତି ସଙ୍କୁଚିତ ହେବ । ତେବେ ସୁଧହାର ବୃଦ୍ଧି କରିବାର ଆବଶ୍ୟକତା ପଡିନପାରେ ବୋଲି ମଧ୍ୟ ଶ୍ରୀ ଦାସ କହିଛନ୍ତି । ଦୁବାଇରେ ଆୟୋଜିତ ୨୨ତମ ଏଫ୍‌ଆଇଏମ୍‌ଏମ୍‌ଡିଏ-ପିଡିଏଆଇ ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ ସେ ଆହୁରି କହିଛନ୍ତି ଯେ ୨୦୨୨ରେ ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି ସତ, ତେବେ ନଭେମ୍ବର ଓ ଡିସେମ୍ବରରେ ଏହା କ୍ରମଶଃ ନିୟନ୍ତ୍ରଣକୁ ଆସିବା ସ୍ୱାଗତଯୋଗ୍ୟ ।

ଏହାସତ୍ତ୍ୱେ କୋର୍ ମୁଦ୍ରାସ୍ଫୀତି ଏବେମଧ୍ୟ ସମ୍ପୂର୍ଣ୍ଣଭାବେ ସୁଧୁରିନଥିବା ସେ କହିଛନ୍ତି । ବିଭିନ୍ନ ଦେଶର ରିଜର୍ଭ ଓ ଫେଡେରାଲ ବ୍ୟାଙ୍କ୍ ସୁଧହାର ବୃଦ୍ଧି ପ୍ରସ୍ତାବକୁ ଆପାତତଃ ସ୍ଥଗିତ ରଖିଛନ୍ତି । ଏହାଦ୍ୱାରା ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବାକୁ ସେମାନେ ଯତ୍‌ପରୋନାସ୍ତି ଉଦ୍ୟମ ଚଳାଇଛନ୍ତି । ଯେତେବେଳେ ବିଶ୍ୱର ପୁଞ୍ଜି ନିବେଶକାରୀମାନେ ରିସ୍କ୍ ଫ୍ୟାକ୍ଟରକୁ ଅଗ୍ରାଧିକାର ଦିଅନ୍ତି ସେତେବେଳେ ଭାରତୀୟ ଟଙ୍କାର ସ୍ଥିତି ଦୁର୍ବଳ ହେଉଥିବା ଅତୀତରେ ଲକ୍ଷ୍ୟ କରାଯାଇଥିବା ସେ କହିଛନ୍ତି । ତେବେ କୋଭିଡ୍ ମହାମାରୀ ସମୟରେ ଭାରତୀୟ ଟଙ୍କାର ସ୍ଥିତି ଅପେକ୍ଷାକୃତ ଭଲ ରହିଥିବା ସେ ଉଦାହରଣ ଦେଇଛନ୍ତି । ୨୦୨୦ ଫେବୃଆରୀ ୧୭ରୁ ୨୦୨୦ ଏପ୍ରିଲ ୨୧ ମଧ୍ୟରେ ଟଙ୍କା କେବଳ ୭ ପ୍ରତିଶତ ମୂଲ୍ୟହ୍ରାସ ଘଟିଥିଲା । ୨୦୨୨ ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ପରେ ମଧ୍ୟ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ କେବଳ ୯ ପ୍ରତିଶତ କମିଥିଲା । ବିଶ୍ୱର ଅନ୍ୟ ବିକଶିତ ରାଷ୍ଟ୍ରର ଅର୍ଥନୀତି ତୁଳନାରେ ଭାରତୀୟ ଟଙ୍କା ଏହି ପ୍ରତିକୂଳ ସ୍ଥିତିର ଉଚିତ ମୁକାବିଲା କରିପାରିଥିବା ଶ୍ରୀ ଦାସ କହିଛନ୍ତି । ବିତ୍ତୀୟ ନିଅଣ୍ଟ ପ୍ରସଙ୍ଗରେ ସେ କହିଛନ୍ତି ଯେ ବିଶ୍ୱ ମାର୍କେଟରେ ଚାହିଦା କମୁଥିବାରୁ ଏହାର ପ୍ରଭାବ ଭାରତର ରପ୍ତାନୀ ଉପରେ ପଡୁଛି ସତ, ତେବେ ଏହା ଭାରତର ବାଣିଜ୍ୟିକ ନିଅଣ୍ଟ ପ୍ରତି ଏତେଟା ବିପଜ୍ଜନକ ସାବ୍ୟସ୍ତ ହୋଇପାରୁନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking