26.1 C
Bhubaneswar
Saturday, September 21, 2024
Homeଦେଶ ବିଦେଶଭାରତରେ ୨୦୪୦ ଯାଏ ବଢ଼ିବ କର୍ମଜୀବୀ ସଂଖ୍ୟା : ରିପୋର୍ଟ

ଭାରତରେ ୨୦୪୦ ଯାଏ ବଢ଼ିବ କର୍ମଜୀବୀ ସଂଖ୍ୟା : ରିପୋର୍ଟ

ମାନିଲା: ଆସନ୍ତା ୨୦୪୦ ଯାଏ ଭାରତରେ କର୍ମଜୀବୀ ସଂଖ୍ୟା ବୃଦ୍ଧିପାଇବ । ୨୦୫୦ ପର୍ଯ୍ୟନ୍ତ ଭାରତରେ ପର୍ଯ୍ୟାପ୍ତ ସଂଖ୍ୟାରେ କର୍ମଜୀବୀ ଜନସଂଖ୍ୟା ରହିଥିବ । ମାନିଲା ସ୍ଥିତ ଏସିଆନ୍ ଡେଭଲପ୍‌ମେଣ୍ଟାଲ ବ୍ୟାଙ୍କ୍ (ଏଡିବି) ପକ୍ଷରୁ ସଦ୍ୟ ପ୍ରକାଶିତ ରିପୋର୍ଟରେ ଏନେଇ ବିସ୍ତୃତ ତଥ୍ୟ ପ୍ରକାଶ ପାଇଛି । ତେବେ ଏହି ରିପୋର୍ଟ ଅନୁସାରେ ୨୦୧୧ ଜନଗଣନା ଆଧାରରେ ଭାରତର ସମୁଦାୟ ଜନସଂଖ୍ୟାର ୬୦%ରୁ ଅଧିକ କର୍ମଜୀବୀ ରହିଛନ୍ତି । ସେହିପରି ଭାରତ ଏବେ ଆତ୍ମନିର୍ଭରଶୀଳ ଯୋଜନା ଅନ୍ତର୍ଗତ କାମ କରୁଥିବା ବେଳେ କର୍ମଜୀବୀଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ । ବିଶେଷକରି ୨୦୩୧ ଯାଏ ଦେଶର କର୍ମଜୀବୀ ସଂଖ୍ୟା ଲଗାତର ଭାବେ ବୃଦ୍ଧି ପାଇବ । ୨୦୩୧ ବେଳକୁ ଭାରତର ୬୫.୧% ଜନସଂଖ୍ୟା କର୍ମଜୀବୀ ହୋଇଥିବେ ବୋଲି ଏଡିବି ରିପୋର୍ଟରେ ଅନୁମାନ କରାଯାଇଛି । ତେବେ ୨୦୩୬ ବେଳକୁ ଏହି ସଂଖ୍ୟା ସାମାନ୍ୟ ହ୍ରାସ ଘଟି ୬୪.୯%ରେ ପହଞ୍ଚିବ ବୋଲି ମଧ୍ୟ କୁହାଯାଇଛି । ଅନ୍ୟପକ୍ଷେ ଚୀନ୍ ଓ ଜାପାନରେ କର୍ମଜୀବୀଙ୍କ ସଂଖ୍ୟା ସମ୍ପ୍ରତି ହ୍ରାସ ପାଇବାରେ ଲାଗିଥିବା ବେଳେ ଆଗାମୀ ବର୍ଷଗୁଡ଼ିକରେ ଏହି ଦୁଇ ଦେଶର କର୍ମଜୀବୀ ଜନସଂଖ୍ୟା ଆହୁରି ହ୍ରାସ ପାଇବ ବୋଲି ଏଡିବି ରିପୋର୍ଟ ପ୍ରକାଶ କରିଛି ।

ମିଳିତ ଜାତିସଂଘ(ୟୁଏନ୍‌)ର ସଦ୍ୟ ତଥ୍ୟ ଅନୁଯାୟୀ, ଅଧିକାଂଶ ଏସୀୟ ଏବଂ ପ୍ରଶାନ୍ତ ମହାସାଗରୀୟ ଦେଶଗୁଡ଼ିକ ସେମାନଙ୍କ ଜନସଂଖ୍ୟାର ଶିଖରକୁ ଅତିକ୍ରମ କରିସାରିଛନ୍ତି । ଆସନ୍ତା ବର୍ଷଗୁଡ଼ିକରେ ଏ ସମସ୍ତ ଦେଶର କର୍ମଜୀବୀ ଜନସଂଖ୍ୟା ଉଲ୍ଲେଖନୀୟ ଭାବେ ହ୍ରାସ ପାଇବ । ତେଣୁ ଆଗାମୀ ୨ରୁ ୩ ଦଶନ୍ଧି ନିମନ୍ତେ ଏସୀୟ ଏବଂ ପ୍ରଶାନ୍ତ ମହାସାଗରୀୟ ଦେଶଗୁଡ଼ିକର ଶ୍ରମଶକ୍ତିରେ ମହିଳାମାନଙ୍କର ଅଂଶଗ୍ରହଣ ବୃଦ୍ଧି, ସାମାଜିକ ଓ ଅର୍ଥନୈତିକ ସ୍ତରରେ ପ୍ରତିଭାବାନ୍ ଛାତ୍ରୀଛାତ୍ରଙ୍କୁ ଅଧିକ ସଂଖ୍ୟାରେ ଉଚ୍ଚଶିକ୍ଷା ପଢ଼ାଇବା ଆଦି ଅନେକ କ୍ଷେତ୍ରରେ ଫୋକସ୍ କରିବାକୁ ପଡ଼ିବ ବୋଲି ଏଡିବି ରିପୋର୍ଟରେ ଉଲ୍ଲେଖ ରହିଛି । ଏତଦବ୍ୟତୀତ ସକ୍ରିୟ ଆଞ୍ଚଳିକ ସ୍ଥାନାନ୍ତରଣ ନୀତି ଓ ମାନବ ପୁଞ୍ଜି ବିନିଯୋଗ ଆଦି ମାଧ୍ୟମରେ ଏସୀୟ ଏବଂ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ କର୍ମଜୀବୀ ଜନସଂଖ୍ୟାର ଅଭାବକୁ ସଫଳତାର ସହ ପରିଚାଳନା କରାଯାଇପାରିବ । ଏସବୁ ଦେଶଗୁଡ଼ିକର ଅର୍ଥନୈତିକ ଅଭିବୃଦ୍ଧିକୁ ବଜାୟ ରଖିବା ଓ ଶ୍ରମ ଅସନ୍ତୁଳନକୁ ସମାଧାନ କରିବା ଆଦି ପାଇଁ ଶ୍ରମ ଗତିଶୀଳତା ଏବଂ ଆଞ୍ଚଳିକ ସହଯୋଗର ଆବଶ୍ୟକତା ରହିଛି ବୋଲି ଏଡିବି ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ପ୍ରକାଶ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking