29.1 C
Bhubaneswar
Sunday, May 11, 2025
Homeଦେଶ ବିଦେଶପାକିସ୍ତାନ ଉପରେ ଭାରତର କୂଟନୈତିକ ପ୍ରହାର

ପାକିସ୍ତାନ ଉପରେ ଭାରତର କୂଟନୈତିକ ପ୍ରହାର

-କ୍ୟାବିନେଟ୍ ସୁରକ୍ଷା କମିଟିର ୫ ବଡ଼ ନିଷ୍ପତ୍ତି
– ବାତିଲ ହେଲା ସିନ୍ଧୁ ଜଳ ଚୁକ୍ତିନାମା
– ସାର୍କ ଭିସା ରଦ୍ଦ, ଭାରତ ଛାଡ଼ିବାକୁ ପାକ୍ ନାଗରିକଙ୍କୁ ୪୮ ଘଣ୍ଟାର ମହଲତ
– ବନ୍ଦ ହେବ ଅଟ୍ଟାରୀ-ୱାଘା ଚେକ୍‌ପୋଷ୍ଟ
– ବନ୍ଦ ହେବ ପାକ୍ ଦୂତାବାସ, ୭ ଦିନରେ ଖାଲି କରିବାକୁ ନିର୍ଦ୍ଦେଶ
– ଇସଲାମାବାଦ୍ ସ୍ଥିତ ଭାରତୀୟ ଦୂତାବାସ ଅଧିକାରୀ ସ୍ୱଦେଶ ଫେରିବେ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣର ଗମ୍ଭୀରତାକୁ ଦୃଷ୍ଟିରେ ରଖି କ୍ୟାବିନେଟ୍ ସୁରକ୍ଷା କମିଟି (ସିସିଏସ୍‌) ୫ଟି ପ୍ରମୁଖ ନିଷ୍ପତ୍ତି ନେଇଛି। ସୁରକ୍ଷା ବ୍ୟାପାର ସମ୍ପର୍କିତ କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ଏହି ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ର ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରଥମତଃ ପାକିସ୍ତାନ ସହ ୧୯୬୦ରେ ହୋଇଥିବା ସିନ୍ଧୁ ଜଳ ଚୁକ୍ତିନାମାକୁ ଜରୁରିକାଳୀନ ପ୍ରଭାବ ଅନ୍ତର୍ଗତ ରଦ୍ଦ କରାଯିବା ପାଇଁ ନିଷ୍ପତ୍ତି ଦିଆଯାଇଛି। ଦ୍ୱିତୀୟ ନିଷ୍ପତ୍ତି ରୂପେ ଅଟ୍ଟାରୀ-ୱାଘା ଚେକ୍‌ପୋଷ୍ଟ ବନ୍ଦ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ତୃତୀୟ ନିଷ୍ପତ୍ତି କ୍ରମେ ସାର୍କ ଭିସା ବଳରେ ଭାରତ ଆସିଥିବା ସମସ୍ତ ପାକିସ୍ତାନ ନାଗରିକଙ୍କୁ ୪୮ ଘଣ୍ଟା ମଧ୍ୟରେ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଉଛି। ସେହିପରି ଭାରତ ଆସିବା ପାଇ ସାର୍କ ଭିସା ଅନ୍ତର୍ଗତ ଆବେଦନ କରିଥିବା ପାକିସ୍ତାନୀ ନାଗରିକଙ୍କ ଆବେଦନଗୁଡ଼ିକୁ ମଧ୍ୟ ଖାରଜ କରାଯାଉଛି, ଏମାନଙ୍କୁ ଭାରତ ଆସିବାକୁ ଅନୁମତି ଦିଆଯିବ ନାହିଁ। ଚତୁର୍ଥ ନିଷ୍ପତ୍ତି ରୂପେ ନୂଆଦିଲ୍ଳୀରେ ଥିବା ପାକ୍ ଦୂତାବାସକୁ ମଧ୍ୟ ତୁରନ୍ତ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହିକ୍ରମେ ଆସନ୍ତା ୭ଦିନ ମଧ୍ୟରେ ପାକ୍ ଦୂତାବାସ ଖାଲି କରିବାକୁ ଏବଂ ପାକ୍ କୂଟନୀତିଜ୍ଞଙ୍କୁ ଭାରତ ଛାଡ଼ିବାକୁ ନିିର୍ଦ୍ଦେଶ ଦିଆଯାଉଛି। ଅନ୍ତିମ ତଥା ପଞ୍ଚମ ନିଷ୍ପତ୍ତି କ୍ରମେ ଭାରତ, ଇସଲାମାବାଦ୍‌ରେ ଥିବା ଭାରତୀୟ ଦୂତାବାସକୁ ମଧ୍ୟ ଖାଲି କରିବାକୁ ନିଷ୍ପତ୍ତି ନେଇଛି। ସୁତରାଂ ସେଠାରେ ନିୟୋଜିତ ଥିବା ଭାରତୀୟ କୂଟନୀତିଜ୍ଞ, ତିନି ସେନାବାହିନୀର ପରାମର୍ଶଦାତାଙ୍କୁ ମଧ୍ୟ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବାକୁ ନିଷ୍ପତ୍ତି ହୋଇଛି।

ଦିନକ ପୂର୍ବେ ଜମ୍ମୁ କାଶ୍ମୀର ଅନନ୍ତନାଗ ଜିଲ୍ଲା ପହଲଗାମ୍ ସହରର ଉପକଣ୍ଠରେ ଥିବା ବୈସାରନ୍ ଘାଟିରେ ଘଟିଯାଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ୨୭ ପର୍ଯ୍ୟଟକ ପ୍ରାଣ ହରାଇବା ଘଟଣାକୁ ନେଇ ସମଗ୍ର ବିଶ୍ୱ ଏବେ ଦୋହଲିଯାଇଛି। ଏହି ଆତଙ୍କବାଦୀ ଆକ୍ରମଣ ଘଟଣା ପାଇଁ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଟିଟିଏଫ୍ (ଦି ରେଜିଷ୍ଟାନ୍ସ ଫ୍ରଣ୍ଟ୍‌), ଯାହାକି ଲସ୍କର୍‌-ଏ-ତୋଇବା ଭଳି ଆତଙ୍କୀ ସଂଗଠନର ଅନ୍ୟତମ ଛାୟା ସଂଗଠନ (ପ୍ରୋକ୍ସି) ଭାବେ ସକ୍ରିୟ ରହିଛି, ନିଜକୁ ଦାୟୀ କରିବା ପରେ ସବୁକିଛି ସ୍ପଷ୍ଟ ହୋଇଯାଇଛି। ଏସବୁ ମଧ୍ୟରେ ଭାରତ ସରକାର ବୁଧବାର ଏକ ଉଚ୍ଚସ୍ତରୀୟ ବୈଠକ କରି କୂଟନୈତିକ ସ୍ତରରେ ପାକିସ୍ତାନ ବିରୋଧରେ ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ରିପୋର୍ଟ ଅନୁସାରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଥିବା ଏହି ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ ବୈଠକ (ସିସିଏ)ରେ ୫ଟି ପ୍ରମୁଖ ନିଷ୍ପତ୍ତି ନିଆଯାଇଛି, ଯାହାକି ପାକିସ୍ତାନ ପାଇଁ ଆର୍ଥିକ ସ୍ତରରେ ଆହୁରି ଭୟାବହ କ୍ଷତି ପହଞ୍ଚାଇବ ବୋଲି ଅନୁମାନ କରାଯାଉଛି। ଆଜିପର୍ଯ୍ୟନ୍ତ ସମ୍ପର୍କକୁ ପ୍ରାଥମିକତା ଦେଇଆସୁଥିବା ଭାରତ ସରକାର ଏବେ କିନ୍ତୁ ପାକିସ୍ତାନ ବିରୋଧରେ ଦୃଢ଼ ତଥା ବଳିଷ୍ଠ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ତେବେ ଏସବୁ କୂଟନୈତିକ କାର୍ଯ୍ୟାନୁଷ୍ଠାନ ବ୍ୟତୀତ ଭାରତୀୟ ସେନାକୁ ମଧ୍ୟ ଏକ ବଡ଼ ନିର୍ଦ୍ଦେଶ ଦିଆଯାଇପାରେ ବୋଲି ଅନୁମାନ କରାଯାଉଛି। ଆଜିର ଏହି ବୈଠକ ଦୀର୍ଘ ଅଢ଼େଇ ଘଣ୍ଟା ଧରି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଚାଲିଥିଲା।

ଏଥିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ, ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର, ଏନ୍‌ଏସ୍‌ଏ ଅଜିତ ଡୋଭାଲ୍‌, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମେତ ଅନେକ ଉଚ୍ଚପଦସ୍ଥ ଅଧିକାରୀ ତଥା ପରାମର୍ଶଦାତା ଉପସ୍ଥିତ ଥିଲେ। ତେବେ ଆସନ୍ତାକାଲି ( ଗୁରୁବାର ) ପାଇଁ ସରକାର ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏଥିରେ ସବୁ ରାଜନୈତିକ ଦଳଗୁଡ଼ିକର ମୁଖ୍ୟମାନେ ଯୋଗଦେବେ ଏବଂ ଘଟଣା ଉପରେ ବ୍ୟାପକ ବିଚାରବିମର୍ଶ କରାଯିବ ବୋଲି କାର୍ଯ୍ୟକ୍ରମ ରହିଛି। ପ୍ରକାଶ, ପହଲଗାମ ଆକ୍ରମଣରେ ୨୭ ଜଣଙ୍କ ମୃତ୍ୟୁ ହୋଇଛି। ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଉତ୍ତରପ୍ରଦେଶ, ଗୁଜରାଟ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ ଏବଂ ଓଡ଼ିଶାର ପର୍ଯ୍ୟଟକ ସାମିଲ ଥିବା ବେଳେ ନେପାଳ ଏବଂ ୟୁଏଇର ଜଣେ ଲେଖାଏ ପର୍ଯ୍ୟଟକ ଏବଂ ଦୁଇଜଣ ସ୍ଥାନୀୟ ଲୋକ ମଧ୍ୟ ପ୍ରାଣ ହରାଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking