26.1 C
Bhubaneswar
Monday, December 15, 2025
Homeଦେଶ ବିଦେଶଭାରତ ଖୁବ୍ ଶୀଘ୍ର ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବ: ମୋଦୀ

ଭାରତ ଖୁବ୍ ଶୀଘ୍ର ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବ: ମୋଦୀ

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର  ୩ ରାଷ୍ଟ୍ର ଗସ୍ତରେ ଯାଇଛନ୍ତି । ପ୍ରଧାନମନ୍ତ୍ରୀ ଆଜି ପ୍ରଥମ ଦିବସରେ ସାଇପ୍ରସ ଗସ୍ତ ଆରମ୍ଭ କରିଥିବା ବେଳେ ପରବର୍ତ୍ତୀ ସମୟରେ କାନାଡା ଓ କ୍ରୋଏସିଆ ଗସ୍ତ କରିବେ। ଏହି ୪ ଦିନିଆ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ୨୭ ହଜାର ୭୪୫ କିଲୋମିଟର ଯାତ୍ରା କରିବେ। ପ୍ରଧାନମନ୍ତ୍ରୀଙ୍କୁ ଆଜି ସାଇପ୍ରସ୍‌ରେ ଭବ୍ୟ ସ୍ବାଗତ କରାଯାଇଛି। ବିମାନବନନ୍ଦରରେ ମୋଦୀଙ୍କୁ ସାଇପ୍ରସ୍‌ ରାଷ୍ଟ୍ରପତି ନିକୋସ୍‌ ଖ୍ରିଷ୍ଟୋଡୋଲିଡେସ ଏବଂ ଅର୍ଥମନ୍ତ୍ରୀ କନ୍‌ଷ୍ଟାଣ୍ଟିନୋସ୍‌ କୋମ୍ବୋସ ପାଛୋଟି ନେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ କାଳରେ ଭାରତ-ସାଇପ୍ରସ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ  ରଣନୀତିକ ଚୁକ୍ତି ସ୍ବାକ୍ଷର ହେବା ସମ୍ଭାବନା ରହିଛି।  ସାଇପ୍ରସର ଦକ୍ଷିଣ ଉପକୂଳରେ ଥିବା ସହର ଲିମାସୋଲରେ ସାଇପ୍ରସ ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋଡୋଲିଡ୍ସଙ୍କ ସହ ଏକ ବ୍ୟବସାୟିକ ଗୋଲଟେବୁଲ ବୈଠକରେ ଯୋଗ ଦେବା ସମୟରେ ମୋଦି ମନ୍ତବ୍ୟ ଦେଇଛନ୍ତି । କହିଛନ୍ତି ସାଇପ୍ରସର କମ୍ପାନୀଗୁଡ଼ିକୁ ଦେଶ ପ୍ରଦାନ କରୁଥିବା ଅସଂଖ୍ୟ ଆର୍ଥିକ ସୁଯୋଗ ଉପରେ ନଜର ରଖି ଭାରତ ଖୁବ୍ ଶୀଘ୍ର ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବ ବୋଲି ମୋଦି କହିଛନ୍ତି ।

ତିନି ରାଷ୍ଟ୍ର ଗସ୍ତର ପ୍ରଥମ ପର୍ଯ୍ୟାୟରେ ସାଇପ୍ରସରେ ଥିବା ପ୍ରଧାନମନ୍ତ୍ରୀ ମୋଦୀ ରବିବାର ଏହି ମନ୍ତବ୍ୟ ଦେଇଥିଲେ। “ପ୍ରଧାନମନ୍ତ୍ରୀ ଗତ 11 ବର୍ଷ ମଧ୍ୟରେ ଭାରତର ଦ୍ରୁତ ଅର୍ଥନୈତିକ ପରିବର୍ତ୍ତନ ଉପରେ ଆଲୋକପାତ କରିଥିଲେ ଏବଂ ଉଲ୍ଲେଖ କରିଥିଲେ ଯେ ପରବର୍ତ୍ତୀ ପିଢ଼ିର ସଂସ୍କାର, ନୀତି ପୂର୍ବାନୁମାନ, ସ୍ଥିର ରାଜନୀତି ଏବଂ ବ୍ୟବସାୟ ଦ୍ୱାରା ପରିଚାଳିତ ଦେଶ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତିରେ ପରିଣତ ହୋଇଛି । ନୂଆଦିଲ୍ଲୀରେ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି। ନବସୃଜନ, ଡିଜିଟାଲ ବିପ୍ଳବ, ଷ୍ଟାର୍ଟ-ଅପ୍ ଏବଂ ଭବିଷ୍ୟତ ଭିତ୍ତିଭୂମି ବିକାଶକୁ ପ୍ରାଥମିକତା ଦିଆଯାଉଥିବା ଉପରେ ଗୁରୁତ୍ୱାରୋପ କରି ମୋଦି କହିଥିଲେ ଯେ “ଭାରତ ଖୁବ୍ ଶୀଘ୍ର ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବ। ଭାରତ ସବୁଠାରୁ ବଡ଼ ଉଦୀୟମାନ ଅର୍ଥନୀତି ମଧ୍ୟରୁ ଗୋଟିଏ। ବିବୃତ୍ତି ଅନୁଯାୟୀ, ସେ କହିଛନ୍ତି ଯେ ଭାରତର ବେସାମରିକ ବିମାନ ଚଳାଚଳ, ବନ୍ଦର, ଜାହାଜ ନିର୍ମାଣ, ଡିଜିଟାଲ୍ ପେମେଣ୍ଟ ଏବଂ ସବୁଜ ବିକାଶ କ୍ଷେତ୍ରରେ ସ୍ଥିର ଅଭିବୃଦ୍ଧି ସାଇପ୍ରସର କମ୍ପାନୀଗୁଡ଼ିକ ପାଇଁ ଭାରତ ସହିତ ସହଭାଗୀ ହେବା ପାଇଁ ଅଗଣିତ ସୁଯୋଗ ଖୋଲିଛି।

“୨୩ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ, ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ସାଇପ୍ରସ ଗସ୍ତ କରିଛନ୍ତି, ଏବଂ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମ ହେଉଛି ବ୍ୟବସାୟ ଗୋଲଟେବୁଲ ବୈଠକ। ଏହା ଭାରତ-ସାଇପ୍ରସ ସମ୍ପର୍କରେ ବ୍ୟବସାୟ ନେତାଙ୍କ ଗୁରୁତ୍ୱକୁ ଦର୍ଶାଏ,” ପ୍ରଧାନମନ୍ତ୍ରୀ କହିଛନ୍ତି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ ପ୍ରଧାନମନ୍ତ୍ରୀ ଜୁନ୍ ୧୬ ପର୍ଯ୍ୟନ୍ତ ସାଇପ୍ରସରେ ରହିବେ। ଜୁନ୍ ୧୬ ଓ ୧୭ତାରିଖରେ ସେ କାନାଡାରେ ହେବାକୁ ଥିବା ଜି-୭ ଶିଖର ସମ୍ମିଳନୀରେ ଯୋଗଦେବେ। ଏହାପରେ ସେ ଜୁନ୍ ୧୮ରେ କ୍ରୋଏସିଆ ଗସ୍ତ କରିବେ। ଜୁନ୍ ୧୯ରେ ସେ ଭାରତ ଫେରିବେ। ସାଇପ୍ରସ୍‌ ଗସ୍ତରେ ଯାଇଥିବା ମୋଦି ହେଉଛନ୍ତି ତୃତୀୟ ଭାରତୀୟ ପ୍ରଧାନମନ୍ତ୍ରୀ । ୧୯୮୩ରେ ଇନ୍ଦିରା ଗାନ୍ଧୀ ଓ ୨୦୦୨ରେ ଅଟଳ ବିହାରୀ ବାଜପେୟୀ ସାଇପ୍ରସ୍‌ ଗସ୍ତରେ ଆସିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking