ନୂଆଦିଲ୍ଲୀ: ପାଲେଷ୍ଟାଇନକୁ ଜାତିସଂଘ ସଦସ୍ୟ ମାନ୍ୟତା ପ୍ରସ୍ତାବ ସପକ୍ଷରେ ଭୋଟ ଦେଲା ଭାରତ । ମଙ୍ଗଳବାର ଏନେଇ ଏକ ସଂଙ୍କଳ୍ପ ପାରିତ ହୋଇଥିଲା । ଏହି ଭୋଟିଂରେ ଭାରତ ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଛି । ଆମେରିକା ଇସ୍ରାଏଲ ସମେତ ଅନ୍ୟ କିଛି ଦେଶ ଏହା ବିରୋଧରେ ଭୋଟ ଦେଇଥିଲେ । ମାତ୍ର ଶତାଧିକ ଦେଶର ଭୋଟରେ ଏହି ପ୍ରସ୍ତାବ ପାରିତ କରିଥିଲା ଜାତିସଂଘ ସହାସଭା । ଏହା ସହ ସୁରକ୍ଷା ପରିଷଦରେ ପାଲେଷ୍ଟାଇନକୁ ସଦସ୍ୟ ଦେଶ ଭାବେ ମାନ୍ୟତା ଦେବା ପାଇଁ ଏହି ପାରିତ ପ୍ରସ୍ତାବରେ ପ୍ରାବଧାନ ରହିଛି ।
ଭାରତର ଆଭିମୁଖ୍ୟ ଓ ଭୋଟିଂ ସମ୍ପର୍କରେ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରୁଚିକା କାମ୍ବୋଜ ସୂଚନା ଦେଇଛନ୍ତି । କହିଛନ୍ତି, “ଇସ୍ରାଏଲ ଓ ଗାଜା ମଧ୍ୟରେ ଦୀର୍ଘ ୭ମାସରୁ ଅଧିକ ସମୟ ଧରି ସଂଘର୍ଷ ଜାରି ରହିଛି । ଏବେ ମାନବୀୟ ସଙ୍କଟ ଦେଖାଯାଇଛି । ସମଗ୍ର ଏରିଆରେ ଏବେ ଅସ୍ଥିରତା ଲାଗି ରହିଛି । ଏହି ସମୟରେ ଜାତିସଂଘ ଯେଉଁ ‘୨୭୨୮-ସଙ୍କଳ୍ପ’ ପାରିତ କରିଛି, ଏହା ଏକ ସକରାତ୍ମକ ପଦକ୍ଷେପ ଭାବେ ଆମେ ଦେଖୁଛୁ । ଭାରତ ଏହି ବିବାଦ ଉପରେ ସ୍ପଷ୍ଟ ଆଭିମୁଖ୍ୟ ରଖିଆସିଛି । ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଚାଲିଥିବା ବିବାଦ ଓ ହିଂସା ଦ୍ୱାରା ସାଧାରଣ ନାଗରିକ, ବିଶେଷ କରି ମହିଳା ଏବଂ ଶିଶୁଙ୍କ ବ୍ୟାପକ କ୍ଷତି ଘଟିଛି । ମାନବୟୀ ସଙ୍କଟ ସୃଷ୍ଟି ହୋଇଛି ।
ଏହି ସଙ୍କଟ କେବେ ହେଲେ ଗ୍ରହଣୀୟ ନୁହେଁ । ଏହି ଇସ୍ରାଏଲ-ପାଲେଷ୍ଟାଇନ ବିବାଦ ମଧ୍ୟରେ ଭାରତ ସବୁବେଳେ ‘ଟୁ-ଷ୍ଟେଟ ପଲିସି’ କଥା କହିଆସିଛି । ଅର୍ଥାତ ସ୍ୱତନ୍ତ୍ର ଓ ସାର୍ବଭୌମ୍ୟ ପାଲେଷ୍ଟାଇନ ପ୍ରତିଷ୍ଠା ସହ ଉଭୟ ଦେଶ ମଧ୍ୟରେ ସ୍ପଷ୍ଟ ଅନ୍ତର୍ଜାତୀୟ ସୀମା ନିର୍ଦ୍ଧାରିତ କରିବା ଉପରେ ଭାରତ ଗୁରୁତ୍ୱ ଦେଇଆସିଛି । ଇସ୍ରାଏଲ ଉପରେ ‘ହମାସ’ ଗୋଷ୍ଠୀର ଆକ୍ରମଣକୁ ଭାରତ କଡା ନିନ୍ଦା କରିଥିଲା । ଗାଜାରେ ସାମରିକ ଅପରେସନ ବନ୍ଦ କରିବା ସପକ୍ଷରେ ମଧ୍ୟ ଭାରତ ଭୋଟ ଦେଇନଥିଲା । ପାଲେଷ୍ଟାଇନକୁ ଦେଶ ମାନ୍ୟତା ଦେବା ପାଇଁ ସମର୍ଥନ କରୁଥିବା ଭାରତ ‘ହମାସ’ ଗୋଷ୍ଠୀର ଆକ୍ରମଣକୁ ନିନ୍ଦା କରିଥିଲା । କୌଣସି ପରିସ୍ଥିତିରେ ଆତଙ୍କବାଦୀ ଆକ୍ରମଣ ବରଦାସ୍ତ ଯୋଗ୍ୟ ନୁହେଁ ବୋଲି ନୂଆଦିଲ୍ଲୀ ସ୍ପଷ୍ଟ କରିଥିଲା ।