31.1 C
Bhubaneswar
Thursday, May 29, 2025
Homeଓଡିଶାଇଣ୍ଡିଆ ମେଂଟକୁ ମିଳିବ ସ୍ପଷ୍ଟ ବହୁମତ: ସଚିନ ପାଇଲଟ

ଇଣ୍ଡିଆ ମେଂଟକୁ ମିଳିବ ସ୍ପଷ୍ଟ ବହୁମତ: ସଚିନ ପାଇଲଟ

– ଦେଶବାଶୀ ବିଜେପି ଓ ଏହାର ସହଯୋଗୀ ଦଳକୁ ପ୍ରତ୍ୟାଖାନ୍ୟ କଲେଣି
– ନିର୍ବାଚନ ହାରିବା ଭୟରେ ବିଜେପି ନେତାମାନେ ନିଜ ମତ ବଦଳାଉଛନ୍ତି
– ଓଡ଼ିଶାରେ ବିଜେଡି ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍
ଭୁବନେଶ୍ୱର,: ସାରା ଦେଶରେ ଏବେ ପରିବର୍ତନର ସ୍ୱର ଶୁଣିବାକୁ ମିଳୁଛି । ଗତ ୧୦ବର୍ଷ ଧରି ଦେଶବାସୀ ଯେଉଁ ଭରସା କରି ମୋଦି ସରକାରଙ୍କୁ ନିର୍ବାଚିତ କରିଆସିଥିଲେ ତାହା ଏବେ ତୁଟି ଯାଇଛି । କାରଣ ବିଗତ ବର୍ଷଗୁଡ଼ିକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲେ ତାହା ଅଦ୍ୟାବଧି ପୂରଣ କରିନାହାନ୍ତି । ଅନ୍ୟପକ୍ଷରେ ଦେଶରେ ବେରୋଜଗାର, ଦରଦାମ, ଦୁର୍ନୀତି ଓ ଭ୍ରଷ୍ଟାଚାର ବୃଦ୍ଧି ପାଇଛି । ମହିଳାମାନଙ୍କ ପ୍ରତି ଅତ୍ୟାଚାର ବଢ଼ିଛି । କୃଷକ, ଦଳିତ, ଆଦିବାସୀ ଓ ପଛୁଆ ବର୍ଗ ସେମାନଙ୍କ ଅଧିକାର ପାଇବାରୁ ବଂଚିତ ହୋଇଛନ୍ତି । ଏ ନିର୍ବାଚନ ସାଧାରଣ ଜନତାଙ୍କ ଆସ୍ଥା ଓ ବିଶ୍ୱାସର ନିର୍ବାଚନ । ସେଥିପାଇଁ ଦେଶର ପ୍ରତ୍ୟେକ ରାଜ୍ୟରେ ଜନସାଧାରଣ ବିଜେପି ଏବଂ ଏହାର ସହଯୋଗୀ ଦଳଗୁଡ଼ିକୁ ପ୍ରତ୍ୟାଖ୍ୟାନ କରିବା ଆରମ୍ଭ କଲେଣି । ଆସନ୍ତା ଜୁନ୍ ୪ ତାରିଖରେ ନିର୍ବାଚନ ଫଳାଫଳ ସମସ୍ତଙ୍କୁ ନିଶ୍ଚିତ ଭାବେ ଚକିତ କରିବ । ଦେଶରେ ଇଂଣ୍ଡିଆ ମେଂଟ ସ୍ପଷ୍ଟ ବହୁମତ ହାସଲ କରିବ ଓ ସରକାର ଗଠନ କରିବ ବୋଲି ଶନିବାର ଓଡ଼ିଶା ଗସ୍ତରେ ଆସିଥିବା ଅଖିଳ ଭାରତ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଶ୍ରୀ ସଚିନ ପାଇଲଟ୍ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।
କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପାଇଲଟ୍ କହିଲେ, ଚଳିତ ନିର୍ବାଚନ ଏଭଳି ଏକ ପରିସ୍ଥିତି ସୃଷ୍ଟି କରିଛି ଯେ ବିଜେପି ନେତାମାନଙ୍କୁ ବାରମ୍ବାର ସ୍ପଷ୍ଟୋକ୍ତି ଦେବାକୁ ପଡୁଛି ଯେ ସେମାନେ ସମ୍ବିଧାନ ଓ ଆରକ୍ଷଣ ବ୍ୟବସ୍ଥା ପ୍ରତି କୌଣସି ପ୍ରକାର କ୍ଷତି ପହଂଚାଇବେ ନାହିଁ । ବାସ୍ତବରେ ସେମାନେ ସମ୍ବିଧାନ ଓ ଆରକ୍ଷଣ ବିରୋଧୀ ବୋଲି ଦେଶବାସୀ ଜାଣିସାରିଛନ୍ତି । ବିଜେପିର ଏଭଳି ଆଭିମୁଖ୍ୟ ଧରାପଡ଼ିଯିବା ଫଳରେ ନିର୍ବାଚନ ହାରିବା ଭୟରେ ସେମାନେ ବାରମ୍ବାର ନିଜର କଥା ବଦଳାଉଛନ୍ତି ଏବଂ କଂଗ୍ରେସ ଉପରେ ଦୋଷାରପ କରୁଛନ୍ତି । ଗତ ୫୦ ବର୍ଷରେ କଂଗ୍ରେସ କ’ଣ କରିଛି ବୋଲି କହି ରାଜୀବ ଗାନ୍ଧିଜୀ ଓ ଇନ୍ଧିରା ଗାନ୍ଧିଜୀଙ୍କ ବିଷୟରେ ଚର୍ଚ୍ଚା କରୁଛନ୍ତି । ମାତ୍ର ଗତ ୧୦ବର୍ଷରେ ସେମାନେ କ’ଣ କରିଛନ୍ତି ଜବାବ ଦେଇପାରୁନାହାନ୍ତି । ମାତ୍ର କଂଗ୍ରେସ ସର୍ବଦା ସାଧାରଣ ଲୋକଙ୍କ ସହିତ ରହିଆସିଛି । ଆମେ ଆମର ନିର୍ବାଚନ ଇସ୍ତାହାରରେ ଗରିବ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ, କୃଷକଙ୍କୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ଉପଯୁକ୍ତ ମୂଲ୍ୟ ଦେବା ପାଇଁ ଏମଏସ୍‌ପିକୁ ଆଇନଗତ କରିବା, ନରେଗାରେ ଶ୍ରମିକମାନଙ୍କ ମଜୁରୀ ୪୦୦ ଟଙ୍କାକୁ ବୃଦ୍ଧି କରିବା ସହ ୩୦ ଲକ୍ଷ ସରକାରୀ ପଦବି ପୂରଣ କରିବା ନିମନ୍ତେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛୁ । ଏଥିସହ ମହିଳା, କୃଷକ, ଶମ୍ରିକ ଓ ଯୁବବର୍ଗଙ୍କୁ କଂଗ୍ରେସ ଇସ୍ତାହାରରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ମାତ୍ର ବିଜେପି ଇସ୍ତାହାରରେ ଦେଶର ସାଧାରଣ ଜନତାଙ୍କ ପାଇଁ କିଛି ନାହିଁ । ଦେଶବାସୀ ଏବେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ଯୋଗୁ ଅତିଷ୍ଠ ହୋଇପଡ଼ିଛନ୍ତି । ମାତ୍ର ବିଜେପି ଇସ୍ତାହାରରେ ଦରଦାମ ହ୍ରାସ ନିମନ୍ତେ କୌଣସି ଯୋଜନା ନାହିଁ । ଏଥିରୁ ସ୍ପଷ୍ଟ ଯେ ସେମାନେ ସାଧାରଣ ଜନତାଙ୍କ କଥା ଚିନ୍ତା କରୁନାହାନ୍ତି । ତେଣୁ କଂଗ୍ରେସ ପ୍ରତି ଦେଶବାସୀଙ୍କ ଆସ୍ଥା ଦୃଢ଼ ହୋଇଛି । ଯେଉଁ ରାଜ୍ୟଗୁଡ଼ିକରେ କଂଗ୍ରେସ ଓ ବିଜେପି ମଧ୍ୟରେ ଲଢ଼େଇ ହେଉଛି ସେଠାରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ । ଇଣ୍ଡିଆ ମେଂଟର ସହଯୋଗୀ ଦଳମାନେ ମଧ୍ୟ ନିଜ ନିଜ ରାଜ୍ୟରେ ବହୁ ସଂଖ୍ୟାରେ ବିଜୟ ଲାଭ କରିବେ ବୋଲି ଶ୍ରୀ ପାଇଲଟ କହିଛନ୍ତି ।
ସେ କହିଛନ୍ତି, ପ୍ରଥମ କରି ଦେଖିବାକୁ ମିଳୁଛି, ଶାସକ ଦଳ ବିପକ୍ଷ ଦଳ ଉପରେ ଆରୋପ ଲଗାଉଛି । ଯେତେବେଳେ ଭାରତୀୟ ଜନତା ପାର୍ଟି ବିରୋଧୀ ଦଳରେ ଥିଲା ସେତେବେଳେ ସମସ୍ତ ପ୍ରକାର ବିକାଶ ମୂଳକ ଆର୍ଥିକ ନୀତିକୁ ସେମାନେ ବିରୋଧ କରୁଥିଲେ । ଯେତେବେଳେ ଆମେ ଏଫଡିଆଇ କଥା କହିଲୁ, ସେମାନେ ବିରୋଧ କଲେ । ମାତ୍ର ବର୍ତମାନ ସମର୍ଥନ କରୁଛନ୍ତି । ଡିବିଟି, ଜିଏସ୍‌ଟି, ଡବ୍ଲୁଟିଓ ଆଦିକୁ ସେମାନେ କଂଗ୍ରେସ ସରକାର ସମୟରେ ବିରୋଧ କରିଥିଲେ । କିନ୍ତୁ ବର୍ତମାନ ସମର୍ଥନ କରୁଛନ୍ତି । ସେହିପରି ଆଧାରକାର୍ଡ, ଆଇଟି ରିଭୋଲ୍ୟୁସନ, ଟେଲିକମ୍ ରିଭୋଲ୍ୟୁସନ ଆଦି ସମସ୍ତ ଯୋଜନା କଂଗ୍ରେସ ସରକାରଙ୍କ ପରିକଳ୍ପନା ଥିଲା । ଏସବୁ ଯୋଜନାକୁ ଲାଗୁ କରି ସେମାନେ କେବଳ ଶ୍ରେୟ ନେବାକୁ ଚାହୁଁଛନ୍ତି ।
ସେହିପରି ଓଡ଼ିଶାରେ ବିଜେଡି ଓ ବିଜେପିକୁ ଟାର୍ଗେଟ କରି ଶ୍ରୀ ପାଇଲଟ୍ କହିଲେ ଯେ ଏଠାରେ ବିଜେଡି ଓ ବିଜେପି ଭିତିରି ବୁଝାମଣାରେ ନିର୍ବାଚନ ଲଢ଼ୁଛନ୍ତି । ସେମାନେ ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ । ନବୀନ ପଟ୍ଟନାୟକଙ୍କ ୨୪ବର୍ଷର ଶାସନ କାଳରେ ଏଠାରେ ବେକାରୀ ସମସ୍ୟା, ଦରଦାମ, ଦୁର୍ନୀତି ଓ ଭ୍ରଷ୍ଟାଚାର ବୃଦ୍ଧି ପାଇଛି । କଂଗ୍ରେସ ଏଠାରେ ଏକମାତ୍ର ବିକଳ୍ପ ଭାବେ ଉଭା ହୋଇଛି । ତେଣୁ ଚଳିତ ନିର୍ବାଚନରେ ଓଡ଼ିଶାବାସୀ କଂଗ୍ରେସର ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଭୋଟ୍ ଦେଇ ନିର୍ବାଚିତ କରିବାକୁ ଶ୍ରୀ ପାଇଲଟ୍ ଅନୁରୋଧ କରିଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପିସିସି ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ଅଧ୍ୟକ୍ଷ ଡ. ବିଶ୍ୱରଂଜନ ମହାନ୍ତି, ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ଖୁଂଟିଆ, ଶିବାନନ୍ଦ ରାୟ, ଏଆଇସିସି ମିଡିଆ ସଂଯୋଜକ ପ୍ରଭାତ କୁମାର ଓ ରିତୁ ଚୌଧୁରୀ, ଭୁବନେଶ୍ୱର ଲୋକସଭା ସାଂସଦ ପ୍ରାର୍ଥୀ ୟାସିର ନୱାଜ, ପ୍ରକାଶ ଜେନା, ଅଶୋକ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking