ନୂଆଦିଲ୍ଲୀ : ରମଜାନ୍ ମାସରେ ମୁସଲମାନଙ୍କ ପବିତ୍ର ସ୍ଥାନ ଜେରୁଜେଲମ୍ରେ ଘଟିଥିବା ସିରିଜ୍ ହିଂସାକାଣ୍ଡକୁ ନେଇ ଭାରତ ଜାତିସଂଘରେ ଚିନ୍ତାବ୍ୟକ୍ତ କରିଛି । ଏପରି ଐତିହାସିକ ସ୍ଥାନର ସ୍ଥିତାବସ୍ଥା ସହ ଏହାର ସମ୍ମାନ ବଜାୟ ରଖାଯିବା ଉଚିତ ବୋଲି ମଙ୍ଗଳବାର ମଧ୍ୟପୂର୍ବ ପରିସ୍ଥିତି ଉପରେ ଜାତିସଂଘ ସୁରକ୍ଷା ପରିଷଦରେ ଅନୁଷ୍ଠିତ ଏକ ଖୋଲା ବିତର୍କରେ ଭାରତ ପକ୍ଷରୁ କୁହାଯାଇଛି । ସୁରକ୍ଷା ପରିଷଦରେ ଭାରତର ଡେପୁଟି ସ୍ଥାୟୀ ପ୍ରତିନିଧି ଆର୍ ରବିନ୍ଦ୍ରନ୍ କହିଛନ୍ତି, ଜେରୁଜେଲମ୍, ନାବ୍ଲସ୍ କିମ୍ବା ଅନ୍ୟ ଯେକୌଣସି ସ୍ଥାନ ହେଉ ପ୍ରତିରୋଧ, ବର୍ବରତା ପରି କାର୍ଯ୍ୟ ଦ୍ୱାରା ଏହାର ପବିତ୍ରତାକୁ ନଷ୍ଟ କରାଯିବା ଘଟଣାର ଏକସ୍ୱରରେ ନିନ୍ଦା କରାଯିବା ଉଚିତ। ସେ ମଧ୍ୟ କହିଥିଲେ ଯେ ଇସ୍ରାଏଲ୍ ସହ ଶାନ୍ତିର ସହିତ ଏକ ସୁରକ୍ଷିତ ଏବଂ ସ୍ୱୀକୃତ ସୀମା ମଧ୍ୟରେ ସାର୍ବଭୌମ୍ୟ, ସ୍ୱଧୀନ ପାଲେଷ୍ଟାଇନ୍ ସ୍ଥାପନ ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ ।
ଦୁଇ ଦେଶ ମଧ୍ୟରେ ଥିବା ସମସ୍ୟାର ସମାଧାନ ପାଇଁ ଆଲୋଚନାକୁ ଛାଡ଼ିଦେଲେ ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ରବିନ୍ଦ୍ରନ୍ ଏହି ଅବସରରେ ଜୋର୍ ଦେଇଥିଲେ । ଏହି ବରିଷ୍ଠ କୂଟନୀତିଜ୍ଞ ଜଣକ ଆହୁରି କହିଥିଲେ ଯେ ଇସ୍ରାଏଲ୍ ଏବଂ ୱେଷ୍ଟ୍ବ୍ୟାଙ୍କରେ ଆତଙ୍କବାଦୀ ଓ ହିଂସାକାଣ୍ଡ କାର୍ଯ୍ୟକଳାପକୁ ନେଇ ଭାରତ ମଧ୍ୟ ଗଭୀର ଭାବେ ଚିନ୍ତିତ । ନିକଟରେ ଗାଜାରୁ କରାଯାଇଥିବା ରକେଟ୍ ଆକ୍ରମଣ ଏବଂ ଏହା ଜବାବରେ ଇସ୍ରାଏଲ୍ ପକ୍ଷରୁ ହୋଇଥିବା ଷ୍ଟ୍ରାଇକ୍ ଉତ୍ତେଜନାକୁ ଆହୁରି ବୃଦ୍ଧି କରିବାର ସମ୍ଭାବନା ସୃଷ୍ଟି କରିଛି । ଉତ୍ତେଜନା ବୃଦ୍ଧିକୁ ପ୍ରଶମିତ କରିବା ପାଇଁ ଇସ୍ର।।ଏଲ୍, ଜୋର୍ଡାନ୍, ପାଲେଷ୍ଟାଇନ୍ କର୍ତ୍ତୃପକ୍ଷ ଏବଂ ଅନ୍ୟାନ୍ୟ ଦେଶ ପକ୍ଷରୁ ହୋଇଥିବା ଉଦ୍ୟମକୁ ଆମେ ସ୍ୱୀକୃତି ପ୍ରଦାନ କରୁଛି ବୋଲି ଭାରତୀୟ ପ୍ରତିନିଧି କହିଥିଲେ ।