ନୂଆଦିଲ୍ଲୀ: ଆୟକର ରିଟର୍ଣ୍ଣ ଅବଧି ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ବଢିଲା ଆଇଟି ରିଟର୍ଣ୍ଣ ଅବଧି । ଦେଶରେ ପ୍ରଚଳିତ କୋଭିଡ -19 ପରିସ୍ଥିତି ଏବଂ ଆୟକର ଅଧିନିୟମ, 1961 ଅନୁଯାୟୀ ବିଭିନ୍ନ ଅଡିଟ୍ ରିପୋର୍ଟର ଇ-ଫାଇଲରେ ଟିକସଦାତାଙ୍କ ଦ୍ୱାରା ପ୍ରକାଶିତ ଅସୁବିଧା ବିଷୟରେ ବିଚାର କରିବା ପରେ ଏଥର ଏହି ସମ୍ପ୍ରସାରଣ ପ୍ରଦାନ କରାଯାଇଛି ବୋଲି ମନ୍ତ୍ରଣାଳୟ କହିଛି ।
ସୂଚନାଯୋଗ୍ୟ ବେଶ୍ କିଛି ଦିନ ଧରି ଦେଶରେ କରୋନାଭାଇରସ୍ଜନିତ ମହାମାରୀ ବିସ୍ତାର ହାର କମ୍ ରହିବା ପରେ ପୁନଶ୍ଚ ସଂକ୍ରମଣ ବେଗ ଦ୍ରୁତ ବୃଦ୍ଧି ପାଇ ବ୍ୟାପକ ହେବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୬୮,୦୬୩ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୨୭୭ମୃତ୍ୟୁ ରେକର୍ଡ କରାଯାଇଛି। ଗତକାଲି ଠାରୁ ଆଜିର ସଂକ୍ରମଣ ହାର କମ ରହିଛି। ଗତକାଲି ସଂକ୍ରମଣ ହାର ୧୨.୬% ଥିବା ବେଳେ ଆଜି ୧୦.୬୪% ରହିଛି।
୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୫୮,୭୫,୭୯୦ରେ ପହଞ୍ଚିଛି।ଗତ ୨୪ ଘଣ୍ଟାରେ ହୋଇଥିବା ୨୭୭ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୪,୮୪,୨୧୩ରେ ପହଞ୍ଚିଛି। ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୮,୨୧,୪୪୬। ସେହିପରି ଦେଶରେ ସମୁଦାୟ ‘ଓମିକ୍ରନ୍’ ସଂକ୍ରମଣ ସଂଖ୍ୟା ମଧ୍ୟ ୪,୪୬୧ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୬୯,୯୫୯ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୩,୪୫,୭୦,୧୩୧।