କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ବୁ ମେରାଇନ୍ ଥାନା ଅଞ୍ଚଳରେ ଜନୈକା ମହିଳାଙ୍କୁ ବିଭତ୍ସ ହତ୍ୟା ଘଟଣାର ୨ ବର୍ଷ ପରେ ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ ମୃତକଙ୍କ ସ୍ୱାମୀ ପବିତ୍ର ଖୁଣ୍ଟିଆ ଓ ତାଙ୍କ ବଡ଼ଭାଇ ବସନ୍ତ ଖୁଣ୍ଟିଆ । ଏ ନେଇ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହରିଶ ପାଣ୍ଡେ ସୂଚନା ଦେଇଛନ୍ତି । ଏସଡିପିଓ ଜୟନ୍ତ ମହାପାତ୍ର, ଜମ୍ବୁ ମେରାଇନ୍ ଥାନାଧିକାରୀ ମହେଶ୍ୱର ସେଠୀ, ଟାଉନ ଥାନାଧିକାରୀ ତପନ କୁମାର ନାୟକ, ମାର୍ଶାଘାଇ ଥାନାଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ ।
ମହାକାଳପଡ଼ା ଅଞ୍ଚଳରେ ଗତ ୨୦୨୧ ଜୁନ୍ ୨୬ରେ ଜଣେ ମହିଳାଙ୍କୁ ବିଭତ୍ସ ହତ୍ୟା କରାଯାଇଥିଲା । ଜମ୍ବୁ ସାମୁଦ୍ରିକ ଥାନା କଣ୍ଡରାପାଟିଆ ଗ୍ରାମର ରାସ୍ତାକଡ଼ ଲୁଣାଜଙ୍ଗଲ ନିକଟରେ ଜନୈକା ମହିଳାଙ୍କୁ ତଣ୍ଟିକାଟି ହତ୍ୟା କରାଯାଇଥିଲା । ମୃତଦେହ ପଡ଼ିଥିବା ସ୍ଥାନରୁ ୩୦ ଫୁଟ ଦୂରରେ ଏକ ୨ ବର୍ଷର ଶିଶୁପୁତ୍ରକୁ ମଧ୍ୟ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସ୍ଥାନୀୟ ସରପଞ୍ଚ ପଞ୍ଚମୀ ମଣ୍ଡଳଙ୍କ ଅଭିଯୋଗ କ୍ରମେ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସନ୍ଦୀପ ସମ୍ପଦ ମଦକର, ଉଚ୍ଚ ପଦସ୍ଥ ପୁଲିସ ଅଧିକାରୀଙ୍କ ସହ ବୈଜ୍ଞାନିକ ତଦନ୍ତକାରୀ ଦଳ ଓ ସନ୍ଧାନୀ କୁକୁର ସାହାଯ୍ୟରେ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ କରିଥିଲେ । ଘଟଣାସ୍ଥଳରୁ ୮ କିମି ଦୂର ବେଣାକନ୍ଦା ବଜାରରେ ଥିବା ଏକ ସୁନା ଦୋକାନର ସିସିଟିଭିକୁ ଯାଞ୍ଚ କରାଯିବାରୁ ରାତି ପ୍ରାୟ ୧୧.୩୦ରେ ଏକ ବାଇକରେ ୨ ଜଣ ଯୁବକ ସମ୍ପୃକ୍ତ ମହିଳା ଓ ଶିଶୁଙ୍କ ସହ ଘଟଣାସ୍ଥଳ ଅଭିମୁଖେ ଯାଉଥିବା ଦେଖିବାକୁ ମିଳିଥିଲା ।
ହେଲେ କେବଳ ସିସିଟିଭି ଯାଞ୍ଚରେ ତଦନ୍ତ ଅଟକି ରହିଥିଲା । ସୂଚନାଯୋଗ୍ୟ, କେନ୍ଦୁଝର ଜିଲ୍ଲା ସୋସୋ ଥାନା ଆମ୍ବଭାଲି ଗ୍ରାମର ସୋନାଲି ବେହେରା ମହାକାଳପଡ଼ା ଅଞ୍ଚଳର ପବିତ୍ର ଖୁଣ୍ଟିଆଙ୍କୁ ପ୍ରେମ ବିବାହ କରିଥିଲେ । ପୂର୍ବ ପ୍ରସ୍ତୁତି ଅନୁଯାୟୀ ପବିତ୍ର ସ୍ତ୍ରୀ ସୋନାଲିଙ୍କୁ ବାଇକରେ ଭିତରକନିକା ବୁଲାଇ ନେବାକୁ ଜମ୍ବୁ ମେରାଇନ ଥାନା ଜଙ୍ଗଲ ରାସ୍ତାରେ ୨ ବର୍ଷର ଶିଶୁପୁତ୍ରକୁ ଧରି ଯାଇଥିଲେ । ବଡ଼ଭାଇ ବସନ୍ତ ଖୁଣ୍ଟିଆ ରାସ୍ତାରେ ଏମାନଙ୍କ ସହିତ ଦେଖା ହୋଇଥିଲେ । ଏକ ଧାରୁଆ ଛୁରୀ ସାହାଯ୍ୟରେ ପବିତ୍ର ଓ ବସନ୍ତ ସୋନାଲିଙ୍କ ତଣ୍ଟି କାଟି ହତ୍ୟା କରିବା ସହିତ ଶିଶୁପୁତ୍ରକୁ ରାସ୍ତାରେ କଚାଡ଼ି ଦେଇଥିଲେ । ପୁଅ ମରିଗଲା ଭାବି ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । କିନ୍ତୁ ଶିଶୁପୁତ୍ରଟି ଜୀବିତ ଅବସ୍ଥାରେ ରାସ୍ତାରେ ପଡ଼ିରହିଥିଲା । ପରଦିନ ସ୍ଥାନୀୟ ଲୋକେ ଏହା ଦେଖି ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁପୁତ୍ରକୁ ଉଦ୍ଧାର କରିବା ସହିତ ଜମ୍ବୁ ଥାନା କେସ୍ ନଂ ୯୫/୨୦୨୧ରେ ଏକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ କରୁଥିଲା ।