30.1 C
Bhubaneswar
Sunday, May 19, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧଋଷ-ୟୁକ୍ରେନ ଯୁଦ୍ଧକୁ ପୂରିଲା ବର୍ଷେ; କ୍ଷେପଣାସ୍ତ୍ର ମାଡ଼ରେ କମ୍ପୁଛି ସହର

ଋଷ-ୟୁକ୍ରେନ ଯୁଦ୍ଧକୁ ପୂରିଲା ବର୍ଷେ; କ୍ଷେପଣାସ୍ତ୍ର ମାଡ଼ରେ କମ୍ପୁଛି ସହର

ନୂଆଦିଲ୍ଲୀ: ଆଜି ୟୁକ୍ରେନ-ରୁଷ୍‌ ଯୁଦ୍ଧକୁ ବର୍ଷେ ପୂରିଛି । ଗତବର୍ଷ ଆଜିର ଦିନରେ ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ କରଥିଲା ରୁଷ୍‌ । ସ୍ପେସାଲ ମିଲିଟାରୀ ଅପରେସନ ପାଇଁ ନିର୍ଦ୍ଦେଶ ଦେଇଥିଲେ ପୁଟିନ । ଏହାରି ଭିତରେ ୟୁକ୍ରେନର ଭିତ୍ତିଭୂମିକୁ ଛାରଖାର କରିଛି ରୁଷ୍‌ ସେନା। ପାଲଟା ଜବାବରେ ରୁଷ ସେନାର ଅଭୁତପୂର୍ବ କ୍ଷତି ଘଟାଇଥିବା ଦାବି କରିଛି ୟୁକ୍ରେନ୍‌ । ପୁଟିନ୍‌ ଭାବିଥିଲେ ମସ୍କୋର ଶକ୍ତି ସାମ୍ନାରେ ବେଶୀ ଦିନ ତିଷ୍ଠି ପାରିବନି କିଭ । ୧୦ରୁ ୧୨ ଦିନ ଭିତରେ ୟୁକ୍ରେନକୁ ହରାଇବାକୁ ପ୍ଲାନ କରିଥିଲେ । କିନ୍ତୁ ଯୁଦ୍ଧ ଆରମ୍ଭରୁ ଆମେରିକା ନେତୃତ୍ୱରେ ନାଟୋ ସଦସ୍ୟ ରାଷ୍ଟ୍ରମାନେ ୟୁକ୍ରେନକୁ ଅସ୍ତ୍ର ସହାୟତା କରିଥିଲେ । ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ଅସ୍ତ୍ରଶସ୍ତ୍ରରେ ଦୀର୍ଘ ଏକ ବର୍ଷ ଧରି ରୁଷର କଡା ମୁକାବିଲା କରିଆସୁଛି ୟୁକ୍ରେନ ।

ପାରମ୍ପରିକ ଯୁଦ୍ଧରେ ରୁଷକୁ ଝଟକା ଲାଗିବା ପରେ ଏବେ ଆଣବିକ ଯୁଦ୍ଧ ଆଶଙ୍କା ବଢିଛି । ଏପଟେ ପରମାଣୁ ହତିଆର ଧମକରେ ପୂରା ବିଶ୍ୱକୁ ଚମକାଇ ଦେଇଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ପରମାଣୁ ଶକ୍ତିକୁ ଆହୁରି ବଢାଇବା ପାଇଁ ପୁଟିନ ନିର୍ଦ୍ଦେଶ ଦେଇଛନ୍ତି । ଏବେ ବି ଆକାଶରୁ ବର୍ଷୁଛି ମିଶାଇଲ । ୟୁକ୍ରେନର ଅନେକ ବଡ଼ ସହରରେ ଉପରେ ଘନଘନ ମିସାଇଲ ମାଡ଼ ଜାରି ରହିଛି । ୟୁକ୍ରେନର ବିଭିନ୍ନ ସହରରେ ଜାରି ହୋଇଛି ଏୟାର ରେଡ୍‌ ଆଲର୍ଟ । ଶତାଧିକ ମିସାଇଲ ମାଡ କରିଛି କ୍ରେମଲିନ । କିଭରେ ମଧ୍ୟ ବିସ୍ଫୋରଣ ଜାରି ରହିଛି । ଏଯୁଦ୍ଧ କେତେ ଦିନ ଲମ୍ବିବ କେହି କିଛି ଆକଳନ କରି ପାରୁ ନାହାନ୍ତି ।

ଉଭୟ ପକ୍ଷର କେତେ ସୈନିକ ମରିଛନ୍ତି, ତା’ର ବାସ୍ତବ ସଂଖ୍ୟା ଜଣା ନ ଥିଲେ ମଧ୍ୟ ଏହି ଯୁଦ୍ଧରେ ଅଦ୍ୟାବଧି ପ୍ରାୟ ୩୦୦,୦୦୦ ସୈନ୍ୟ ମରିଛନ୍ତି ବୋଲି ଆକଳନ କରାଯାଇଛି। ଇଂଲଣ୍ଡର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ନିକଟରେ କୁହାଯାଇଛି ଯେ, ରୁଷ୍‌ର ସଶସ୍ତ୍ର ବାହିନୀର ୨୦୦,୦୦୦ ସୈନ୍ୟ ମରିଛନ୍ତି, ଯେଉଁମାନଙ୍କ ମଧ୍ୟରୁ ୬୦,୦୦୦ ଯୁଦ୍ଧରତ ଅବସ୍ଥାରେ ମରିଛନ୍ତି। ପାଶ୍ଚାତ୍ୟ ଗୁଇନ୍ଦା ସଂସ୍ଥାଗୁଡ଼ିକର ଆକଳନ ଅନୁସାରେ ଏହି ଯୁଦ୍ଧରେ ୟୁକ୍ରେନ୍‌ର ୧୦୦,୦୦୦ରୁ ଅଧିକ ସୈନ୍ୟ ମରିଛନ୍ତି।

ଯୁଦ୍ଧ ଯୋଗୁ ୧୪ ନିୟୁତରୁ ଅଧିକ ୟୁକ୍ରେନୀୟ ବିସ୍ଥାପିତ ହୋଇଛନ୍ତି। ଅଧିକାଂଶ ବ୍ୟକ୍ତି ପଡ଼ୋଶୀ ଦେଶଗୁଡ଼ିକରେ ଶରଣ ନେଇଛନ୍ତି। କିନ୍ତୁ ୭ ନିୟୁତ ଲୋକ ନିଜ ଦେଶରେ ଅନ୍ୟ ସ୍ଥାନକୁ ବିସ୍ଥାପିତ ହୋଇଛନ୍ତି। ରୁଷ୍ ସୈନ୍ୟ ପଶ୍ଚିମକୁ ହଟିବା ପରେ ଅନେକ ଲୋକ ପୁଣି ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ରୁଷ୍ ବିରୋଧରେ ୟୁକ୍ରେନ୍ ସାହସର ସହ ଲଢ଼ୁଥିବା ବେଳେ ବାହାର ସାହାଯ୍ୟ ବିନା ଏହା ସମ୍ଭବ ହୋଇ ନ ଥାନ୍ତା। ନଭେମ୍ବର ୨୦୨୨ ସୁଦ୍ଧା ଆମେରିକା ଓ ୟୁରୋପୀୟ ବନ୍ଧୁରାଷ୍ଟ୍ର ୟୁକ୍ରେନକୁ ଯେଉଁ ଆର୍ଥିକ, ମାନବିକ ଓ ସାମରିକ ସାହାଯ୍ୟ ପ୍ରଦାନ କରିଛନ୍ତି ତାହାର ପରିମାଣ ହେବ ୧୧୦ ଶହ କୋଟି ଡଲାର।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking