ଦୁବାଇ: ଭାରତୀୟ ମହିଳା କ୍ରିକେଟ୍ ଟିମ୍ର ବାମହାତୀ ଓପନର୍ ସ୍ମୃତି ମନ୍ଧାନା ଆଇସିସି କ୍ରିକେଟର୍ ଅଫ୍ ଦି ଇୟର୍ ମନୋନୀତ ହୋଇଛନ୍ତି । ସେ ୨୦୨୧ ବର୍ଷରେ ତିନିଟିଯାକ ଫର୍ମାଟ୍ରେ ଚମତ୍କାର ପ୍ରଦର୍ଶନ କରିଥିବାରୁ ଆଇସିସି ପକ୍ଷରୁ ଏହି ପୁରସ୍କାର ପାଇଁ ତାଙ୍କୁ ମନୋନୀତ କରାଯାଇଛି । ସେହିପରି ପୁରୁଷ ବିଭାଗରେ ପାକିସ୍ତାନୀ ବାମହାତୀ ପେସର୍ ଶାହିନ୍ ଶାହ ଆଫ୍ରିଦି ବାଜିମାତ୍ କରିଛନ୍ତି । ଅନ୍ୟପକ୍ଷରେ ମନ୍ଧାନା ଆଇସିସି ଟି-୨୦ ୱିମେନ୍ସ ଟିମ୍ ଅଫ୍ ଦି ଇୟର୍ରେ ମଧ୍ୟ ସ୍ଥାନ ପାଇଛନ୍ତି । ଆଇସିସି ୱିମେନ୍ସ କ୍ରିକେଟର୍ ଅଫ୍ ଦି ଇୟର୍ ପୁରସ୍କାର ଦୌଡ଼ରେ ମନ୍ଧାନା ଇଂଲଣ୍ଡର ଟାମି ବିମଣ୍ଟ୍, ସାଉଥ୍ ଆଫ୍ରିକାର ଲିଜେଲ୍ ଲି ଓ ଆୟର୍ଲାଣ୍ଡ୍ର ଗାବି ଲୁଇସ୍ଙ୍କୁ ପଛରେ ପକାଇବା ସହ ରାଚେଲ୍ ହେହୋ ଫ୍ଲିଣ୍ଟ୍ ଟ୍ରଫି ହାସଲ କରିଥିବା ଆଇସିସି ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ।
ମନ୍ଧାନା ଗତ ୨୦୧୮ରେ ୱିମେନ୍ସ ଦିନିକିଆ କ୍ରିକେଟର୍ ଅଫ୍ ଦି ଇୟର୍ ବିବେଚିତ ହୋଇଥିଲେ । ଫଳସ୍ୱରୂପ ମନ୍ଧାନା ପ୍ରଥମ ମହିଳା କ୍ରିକେଟର୍ ଭାବେ ଆଇସିସିର ଦୁଇଟି ଶୀର୍ଷ ପୁରସ୍କାର ଜିତିପାରିଛନ୍ତି । ପୂର୍ବରୁ ଭାରତୀୟ ମହିଳା ଦଳର ପେସର୍ ତଥା ମନ୍ଧାନାଙ୍କ ଦଳୀୟ ସାଥୀ ଝୁଲନ୍ ଗୋସ୍ୱାମୀ ଗତ ୨୦୦୭ରେ ଆଇସିସି ପ୍ଲେୟର୍ ଅଫ୍ ଦି ଇୟର୍ ପୁରସ୍କାର ହାତେଇଥିବା ବେଳେ ଏବେ ଟି-୨୦ ଫର୍ମାଟ୍ର ଉପଅଧିନାୟିକା ଦ୍ୱିତୀୟ ମହିଳା ଭାବେ ଏହି ପୁରସ୍କାର ଜିତିପାରିଛନ୍ତି । ଗତ ୨୦୨୧ରେ ଭାରତୀୟ ଦଳର ପ୍ରଦର୍ଶନ ଉଲ୍ଲେଖନୀୟ ନ ଥିଲେ ମଧ୍ୟ ମନ୍ଧାନା ତାଙ୍କ ଦମ୍ଦାର ପ୍ରଦର୍ଶନ ଜାରି ରଖିପାରିଥିଲେ ।
ସାଉଥ୍ ଆଫ୍ରିକା ବିପକ୍ଷ ସୀମିତ ଓଭର୍ ସିରିଜ୍ରେ ଯଦିଓ ଭାରତ ୮ଟିରୁ ମାତ୍ର ୨ଟିରେ ବିଜୟୀ ହୋଇଥିଲା, ତଥାପି ମନ୍ଧାନା ଉଭୟ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ଦ୍ୱିତୀୟ ଦିନିକିଆରେ ଭାରତ ସଫଳତା ପୂର୍ବକ ୧୫୮ ରନ୍ର ଟାର୍ଗେଟ୍ର ପିଛା କରିଥିବା ବେଳେ ମନ୍ଧାନା ୮୦ ରନ୍ର ଯୋଗଦାନ ଦେଇଥିଲେ । ସେହିପରି ଟି-୨୦ ସିରିଜ୍ର ଚୂଡ଼ାନ୍ତ ମ୍ୟାଚ୍ରେ ସେ ୪୮ ରନ୍ର ଅପରାଜିତ ଇନିଂସ ଖେଳିଥିଲେ । ଏହାଛଡ଼ା ୨୫ ବର୍ଷୀୟା ମନ୍ଧାନା ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ୍ରେ ପ୍ରଥମ ଇନିଂସରେ ୭୮ ରନ୍ କରିବା ସହ ଅଷ୍ଟ୍ରେଲିଆରେ ତାଙ୍କର ପ୍ରଥମ ଶତକ ଅର୍ଜନ କରିଥିଲେ ।
ସେହିପରି ଇଂଲଣ୍ଡ ଟେଷ୍ଟ୍ ଅଧିନାୟକ ଗତ ବର୍ଷ ୧୫ଟି ମ୍ୟାଚ୍ ଖେଳି ୬ଟି ଶତକ ସହାୟତାରେ ୧ ହଜାର ୭୦୮ ରନ୍ କରିଥିବାରୁ ତାଙ୍କୁ ଆଇସିସି ଟେଷ୍ଟ୍ ପ୍ଲେୟର୍ ଅଫ୍ ଦି ଇୟର୍ ମନୋନୀତ କରାଯାଇଛି । ପାକିସ୍ତାନର ମହମ୍ମଦ ୟୁସୁଫ୍ ଓ ୱେଷ୍ଟ୍ଇଣ୍ଡିଜ୍ର ସାର ଭିଭିଆନ୍ ରିଚାର୍ଡ୍ସଙ୍କ ପରେ ଗୋଟିଏ କ୍ୟାଲେଣ୍ଡର୍ ବର୍ଷରେ ରୁଟ୍ ତୃତୀୟ ସର୍ବାଧିକ ଟେଷ୍ଟ୍ ରନ୍ କରିଥିଲେ । ଏହି ପୁରସ୍କାର ଦୌଡ଼ରେ ରୁଟ୍ ଭାରତର ରବିଚନ୍ଦ୍ରନ୍ ଅଶ୍ୱିନ୍, ଶ୍ରୀଲଙ୍କାର ଦିମୁଥ୍ କରୁଣାରତ୍ନେ ଓ ନ୍ୟୁଜିଲାଣ୍ଡ୍ର କାଇଲ୍ ଜେମିସନ୍ଙ୍କୁ ପଛରେ ପକାଇପାରିଛନ୍ତି । ଆହୁରି ପାକିସ୍ତାନ ଅଧିନାୟକ ବାବର୍ ଆଜମ୍ ଦିନିକିଆ କ୍ରିକେଟର୍ ଅଫ୍ ଦି ଇୟର୍ ପୁରସ୍କାର ହାତେଇଛନ୍ତି । ମହିଳା ବିଭାଗରେ ଲି\’ ଶ୍ରେଷ୍ଠ ଦିନିକିଆ ଓ ସାଉଥ୍ ଆଫ୍ରିକାର ମରାଇସ୍ ଏରାସମସ୍ ଶ୍ରେଷ୍ଠ ଅମ୍ପାୟାର୍ ବିବେଚିତ ହୋଇଛନ୍ତି ।