ଗୁଜରାଟ: ଗୁଜରାଟର ବୋଟାଦ ଜିଲ୍ଲାରେ ରୋଜିଦ ଗାଁରେ ବିଷାକ୍ତ ମଦ ପିଇବା ଘଟଣାରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ମୃତକଙ୍କ ସଂଖ୍ୟା ୩୭ରେ ପହଞ୍ଚିଥିବା ବେଳେ ୭୦ରୁ ଅଧିକ ବ୍ୟକ୍ତି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଅନେକଙ୍କ ଅବସ୍ଥା ଗୁରୁତର ରହିଛି । ତେଣୁ ମୃତକଙ୍କ ସଂଖ୍ୟା ବଢିପାରେ। ଗତକାଲି ରାତି ସୁଦ୍ଧା ୨୮ ଜଣଙ୍କର ମୃତ୍ୟୁ ହୋଇଥିଲା। ଘଟଣା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୧୦ ଜଣଙ୍କୁ ଅଟକ ରଖିବା ସହ ପଚରାଉଚରା କରୁଛି । ଏହାଛଡା ଉଚଣ୍ଡି, ଚନ୍ଦରବା, ଆକରୁ ଏବଂ ଅନିବାରୀ ଗାଁରେ ବିଷାକ୍ତ ମଦ ପିଇ ଗ୍ରାମବାସୀ ପ୍ରଭାବିତ ହୋଇଛନ୍ତି। ସେହିପରି ଅହମ୍ମଦାବାଦର ଧନ୍ଧୁକାରେ ବିଷାକ୍ତ ମଦ ପିଇ ଅନେକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ଗୁଜରାଟର ବାରଭାଲ୍ଲା ଓ ବୋତାଡ ସହରରେ ବିଷାକ୍ତ ମଦ ପିଇ କିଛି ଲୋକଙ୍କର ମୃତ୍ୟୁ ଘଟିବା ପରେ ଏହି ବିଷାକ୍ତ ମଦ କାରବାର ହେଉଥିବା ଲୋକଲୋଚନକୁ ଆସିଛି । ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୮ଜଣଙ୍କ ଜୀବନ ଯାଇଥିବାବେଳେ ପରେ ଆଉ ୨୦ଜଣ ଆଖି ବୁଜିଥିଲେ । ଅସୁସ୍ଥ ଥିବା ୪୦ଜଣଙ୍କୁ ସବୁ ପ୍ରକାରର ଚିକିତ୍ସା ସେବା ଯୋଗାଇ ଦିଆଯାଉଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ଶ୍ରମିକ ଶ୍ରେଣୀର ବୋଲି ଜଣାପଡ଼ିଛି ।
ପୋଲିସର ପ୍ରାଥମିକ ସୂଚନା ମୁତାବକ ମଦ ନୁହେଁ ବରଂ ଫ୍ୟାକ୍ଟ୍ରି ମାଲିକ ଅଧିକ ନିଶା ପାଇଁ କେମିକାଲ ପାଉଚ୍ କରି ଏହାକୁ ବିକ୍ରି କରୁଥିଲେ । ଯାହାକୁ ପିଇ ଲୋକେ ପ୍ରାଣ ହରାଇଛନ୍ତି । ଏହା ଏକ ରୀତିମତ ଷଡ଼ଯନ୍ତ୍ର ବୋଲ ସୂଚନା ଦିଆଯାଇଛି । ଏଠାରେ ଥିବା ଇମୋସ ନାମକ ଏକ କମ୍ପାନୀ ମିଥାଇଲ୍ ପ୍ରସ୍ତୁତ କରେ । କମ୍ପାନୀର ଗୋଦାମ ମ୍ୟାନେଜର ଗୋଦାମରୁ ପାଖାପାଖି ୨୦୦ ଲିଟର କେମିକାଲ ଚୋରାରେ ନେଇ ବାହାରେ ୬୦ ହଜାର ଟଙ୍କାରେ ବିକ୍ରି କରିଥିଲେ । ଏହାକୁ କିଛି ଯୁବକ ପାଉଚ୍ ଭାବେ ପ୍ରସ୍ତୁତ କରି ମଦ ନାଁରେ ବିକିଥିଲେ । ଯାହାକୁ ପିଇ ଲୋକଙ୍କ ଜୀବନ ଯାଇଛି । ଏବେ ବି ବହୁ ଲୋକ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି । ଏଥିରେ ସମ୍ପୃକ୍ତ ଥିବା ସମସ୍ତ ଯୁବକଙ୍କୁ ଗିରଫ କରାଯାଇ ହତ୍ୟା ମାମଲା ରୁଜୁ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ଏବେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ୨୦୧୭ରୁ ରାଜ୍ୟରେ ମଦ ବିରୋଧରେ ଆଇନ ରହିଛି । ଏଠାରେ ଯଦି କେହି ବେଆଇନ ଭାବେ ବିକ୍ରି କରେ ତା ଉପରେ ୧୦ ବର୍ଷର ଜେଲ ଦଣ୍ଡ ଓ ୫ ଲକ୍ଷ ଟଙ୍କାର ଜରି ମାନା ଲାଗିପାରେ ।