17.1 C
Bhubaneswar
Thursday, January 16, 2025
Homeଓଡିଶାରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି : ଏଣିକି ନକଲି ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି : ଏଣିକି ନକଲି ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ନକଲି ଶିକ୍ଷକଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଏ ସଂକ୍ରାନ୍ତରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ସୋମବାର ଅନୁଷ୍ଠିତ ହୋଇଥିବାବେଳେ ତୃଣମୂଳ ସ୍ତରରୁ ନିକଲି ଶିକ୍ଷକଙ୍କୁ ଚିହ୍ନଟ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସେହିପରି ଡ୍ରପଆଉଟ୍ ସମସ୍ୟା, ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ଆଦି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି । ବୈଠକର ନିଷ୍ପତ୍ତି ଅନୁଯାୟୀ ଗତ ତିନିବର୍ଷ ମଧ୍ୟରେ ନିଯୁକ୍ତି ପାଇଥିବା ସମସ୍ତ ଶିକ୍ଷକଙ୍କର ସାର୍ଟିଫିକେଟ୍ ଏବଂ ପ୍ରମାଣପତ୍ର ଯାଞ୍ଚ କରାଯିବ । ରାଜ୍ୟ ବାହାରର ବିଶ୍ୱବିଦ୍ୟାଳୟ ଏବଂ ସଂପୃକ୍ତ ରାଜ୍ୟର ଶିକ୍ଷା ବିଭାଗକୁ ଏ ସଂପର୍କରେ ଯାଞ୍ଚ ପାଇଁ ଚିଠି ଲେଖାଯିବ । ଆବଶ୍ୟକ ପଡ଼ିଲେ ଯାଞ୍ଚ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ସ୍ୱତନ୍ତ୍ର ଅଧିକାରୀଙ୍କୁ ରାଜ୍ୟ ବାହାରର ବିଶ୍ୱବିଦ୍ୟାଳୟକୁ ପଠାଯିବ। ମାଧ୍ୟମିକ ଶିକ୍ଷା ପରିଷଦ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦରେ ଚଳିତ ବର୍ଷରୁ ଡିଜିଲକ୍ ବ୍ୟବସ୍ଥା ପ୍ରଚଳନ କରାଯିବ ।

ମାଧ୍ୟମିକ ଶିକ୍ଷା ପରିଷଦ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ସମସ୍ତ ସାର୍ଟିଫିକେଟ୍‌କୁ ଡିଜିଟାଇଜେସନ୍ କରିବା ପାଇଁ ଆଇଟି ବିଭାଗର ସଚିବଙ୍କୁ ପତ୍ର ଲେଖାଯିବ । ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଦ୍ୱାରା ସମସ୍ତ ଶିକ୍ଷକଙ୍କର ଡାଟାବେସ୍ ପ୍ରସ୍ତୁତ କରାଯିବ । ସମସ୍ତ ମାମଲାର ତୁରନ୍ତ ଫଇସଲା ପାଇଁ ପଦକ୍ଷେପ ନିଆଯିବା ସହିତ ଏଫ୍‌ଆଇଆର ଦରଜ କରାଯିବ । ଏଥି ସହିତ ଜାଲ୍ ଚିହ୍ନଟ ଶିକ୍ଷକମାନଙ୍କଠାରୁ ଦରମା ଅର୍ଥ ଅସୁଲ କରିବା ପାଇଁ ପଦକ୍ଷେପ ନିଆଯିବ । ସିବିଏସ୍‌ଇ ବିଦ୍ୟାଳୟଗୁଡ଼ିକୁ ଏନ୍‌ଓସି ପ୍ରଦାନକୁ ସରଳ ଓ ସ୍ୱୟଂକ୍ରିୟ କରାଯିବ ଏବଂ ସେମାନଙ୍କ ଆବେଦନ ପତ୍ର ଅନ୍‌ଲାଇନ୍ ମାଧ୍ୟମରେ ଗ୍ରହଣ କରାଯିବ ।

ସ୍କୁଲ ଦ୍ୱାରା ପ୍ରଦତ୍ତ ତଥ୍ୟ ତ୍ରୁଟିପୂର୍ଣ୍ଣ ଥିଲେ ତିନିବର୍ଷ ପାଇଁ କୌଣସି ଏନ୍‌ଓସି ପ୍ରଦାନ କରାଯିବ ନାହିଁ । ସାମ୍‌ସ ଏବଂ ଦକ୍ଷତା ବିକାଶ ବିଭାଗରୁ ତଥ୍ୟ ସଂଗ୍ରହ ପରେ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ପରେ ଡ୍ରପ୍‌ଆଉଟ୍‌ଙ୍କ ସମ୍ବନ୍ଧରେ ବିଶ୍ଳେଷଣ କରାଯିବ । ଶିକ୍ଷକମାନଙ୍କ ପ୍ରଶିକ୍ଷଣ ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରାଯିବ ଏବଂ ଓସେପା ଦ୍ୱାରା ଦକ୍ଷତା ବୃଦ୍ଧି ନିମନ୍ତେ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ୩୦ ଜିଲ୍ଲାର ୩୦ ସ୍କୁଲକୁ ଚିହ୍ନଟ କରାଯାଇ ଇଂରାଜୀ ମାଧ୍ୟମରେ ଶିକ୍ଷା ପ୍ରଦାନ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆଜିର ଏହି ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କ ସମେତ ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି, ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking