17.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶଟାଇଫଏଡ୍ ଓ ନିମୋନିଆ ସମ୍ପର୍କରେ ଆଇସିଏମ୍‌ଆର୍ ରିପୋର୍ଟ; ପ୍ରଭାବହୀନ ହେଉଛି ଆଣ୍ଟିବାୟୋଟିକ୍‌

ଟାଇଫଏଡ୍ ଓ ନିମୋନିଆ ସମ୍ପର୍କରେ ଆଇସିଏମ୍‌ଆର୍ ରିପୋର୍ଟ; ପ୍ରଭାବହୀନ ହେଉଛି ଆଣ୍ଟିବାୟୋଟିକ୍‌

ନୂଆଦିଲ୍ଲୀ : ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍‌ଆର) ପକ୍ଷରୁ ଜାରି ଏକ ସଦ୍ୟତମ ରିପୋର୍ଟରୁ ଏକ ଚାଞ୍ଚଲ୍ୟକର ସୂଚନା ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ ୟୁରିନାରୀ ଟ୍ରାକ୍ଟ ଇନଫେକ୍ସନ୍ (ୟୁଟିଆଇ), ବ୍ଲଡ୍ ଇନ୍‌ଫେକ୍ସନ୍‌, ନିମୋନିଆ ଏବଂ ଟାଇଫଏଡ୍ ଭଳି ରୋଗ ଉପରେ ସାଧାରଣ ପ୍ରକାର ଆଣ୍ଟିବାୟୋଟିକ୍ କୌଣସି ପ୍ରଭାବ ପକାଉନାହିଁ।
ଆଇସିଏମ୍‌ଆର୍‌ର ଆଣ୍ଟିମାଇକ୍ରୋବାୟଲ୍ ରେଜିଷ୍ଟାନ୍ସ ସର୍ଭେଲାନ୍ସ ନେଟୱାର୍କ (ଏଏମ୍‌ଆର୍‌ଏସ୍‌ଏନ୍‌) କେତେକ ସାଧାରଣ ପ୍ରକାର ଆଣ୍ଟିବାୟୋଟିକର ପ୍ରତିରୋଧତା ଉପରେ ପରୀକ୍ଷଣ କରିଥିଲା। ଯେଉଁଥିରେ ନିମୋନିଆ, ସେପସିସ୍‌, ରେସ୍ପିଟୋରୀ (ଶ୍ୱାସକ୍ରିୟା) ସଂକ୍ରମଣ ଉପରେ ସାଧାରଣ ଆଣ୍ଟିବାୟୋଟିକ କେତେ ପ୍ରଭାବ ପକାଉଛି ସେସମ୍ପର୍କରେ ବିଶେଷଭାବେ ଗବେଷଣା କରାଯାଇଥିଲା। ଏଥିପାଇଁ ଜାନୁଆରୀ ୧, ୨୦୨୩ରୁ ଡିସେମ୍ବର ୩୧, ୨୦୨୩ ଅର୍ଥାତ୍ ପୂରା ଗୋଟିଏ ବର୍ଷର ତଥ୍ୟ ସଂଗ୍ରହ କରାଯାଇଥିଲା। ଏହି ତଥ୍ୟ ଉଭୟ ରୋଗୀ ଏବଂ ଆଇସିୟୁ ସୁବିଧା ଥିବା ସମସ୍ତ ଡାକ୍ତରଖାନା ଏବଂ କ୍ଲିନିକର ତଥ୍ୟ ସଂଗ୍ରହ କରାଯାଇଥିଲା। ଏଥିପାଇଁ ମୋଟ ୯୯,୪୯୨ ନମୁନା ନିଆଯାଇଥିଲା। ସେହିପରି ଏହି ପରୀକ୍ଷଣରେ ଇଶ୍ଚେରିଆ କୋଲି, କ୍ଲେବସିଏଲା ନିମୋନିଆ, ସ୍ୟୁଡୋମାନସ୍ ଏରୁଗିନୋସା ଏବଂ ଷ୍ଟାଫିଲୋକୋକସ୍ ଅରିଅସ୍ ଭଳି ବ୍ୟାକ୍ଟେରିଆ ଉପରେ ଆଣ୍ଟିବାୟୋଟିକର ପ୍ରଭାବ ସମ୍ପର୍କରେ ଗଭୀର ଭାବେ ଅନୁଧ୍ୟାନ କରାଯାଇଥିଲା।
ଏହି ବ୍ୟାକ୍ଟେରିଆଗୁଡିକ ଶରୀରର ବିଭିନ୍ନ ଅଙ୍ଗ ଯେପରିକି ରକ୍ତ, ମୂତ୍ର, ଶ୍ୱାସକ୍ରିୟା ଏବଂ ସଂକ୍ରମଣରୁ ମିଳିଥାଏ। ପରୀକ୍ଷଣରୁ କେତେକ ସାଧାରଣ ପ୍ରକାର ଆଣ୍ଟିବାୟୋଟିକ ଏସବୁ ବ୍ୟାକ୍ଟେରିଆ ଉପରେ କାମ କରୁନଥିବା ଦେଖିବାକୁ ମିଳୁଛି। ବିଶେଷ କରି ଇଶ୍ଚେରିଆ କୋଲି ବ୍ୟାକ୍ଟିରିଆ, ଯାହା ୟୁରିନାରୀ ଟ୍ରାକ୍ଟ ଇନଫେକ୍ସନରେ ଚିହ୍ନଟ ହୋଇଥାଏ, ଏଥିରେ ଆଣ୍ଟିବାୟୋଟିକର ପ୍ରଭାବ ଖୁବ୍ କମ୍‌। ସେହିପରି ଭାରତର ବଜାରରେ ଉପଲବ୍ଧ ଥିବା ସେଫୋଟାକ୍ସାଇମ୍‌, ସେଫ୍ଟାଜାଇଡିମ୍‌, ସିପ୍ରୋଫ୍ଲୋକ୍ସାସିନ୍‌, ଏବଂ ଲେଭୋଫ୍ଲୋକ୍ସାସିନ୍ ଆଣ୍ଟିବାୟୋଟିକ୍ ଇଶ୍ଚେରିଆ କୋଲି ଉପରେ ୨୦%ରୁ କମ୍ ପ୍ରଭାବ ପକଉଛି। କ୍ଲେବସିଏଲା ନିମୋନିଆ ଏବଂ ସିଉଡୋମାନାସ୍ ଏରୁଗିନୋସା ବ୍ୟାକ୍ଟେରିଆ ପାଇଁ ଦିଆଯାଉଥିବା ପାଇପେରାସିଲିନ୍‌-ତାଜୋବ୍ୟାକ୍ଟାମ , ଇମିପେନେମ ଏବଂ ମେରୋପେନେମ ମଧ୍ୟ ପ୍ରଭାବହୀନ ରହୁଥିବା ଦେଖିବାକୁ ମିଳୁଛି।
ରିପୋର୍ଟ ଅନୁସାରେ ସମୟ ସହିତ ଅନେକ ଆଣ୍ଟିବାୟୋଟିକର ପ୍ରଭାବ ହ୍ରାସ ପାଉଛି। ଉଦାହରଣ ସ୍ୱରୂପ, ପାଇପେରାସିଲିନ୍‌-ତାଜୋବ୍ୟାକ୍ଟମ୍ ୨୦୧୭ରେ ୫୬.୮% ପ୍ରଭାବ ଦେଖା ଦେଉଥିଲା। ମାତ୍ର ୨୦୨୩ରେ ଏହା ୪୨.୪%କୁ ଖସି ଆସିଛି। ଏପରିକି ସାଧାରଣତଃ ବ୍ୟବହାର ହେଉଥିବା ଆଣ୍ଟିବାୟୋଟିକ ଯେପରିକି ଆମିକାସିନ୍ ଏବଂ ମେରୋପେନେମ୍ ମଧ୍ୟ ସଂକ୍ରମଣ ସହ ମୁକାବିଲା କରିବାର କ୍ଷମତା ହରାଉଛି। ଏହି ପରୀକ୍ଷଣ ବ୍ୟାକ୍ଟେରିଆ ଉପରେ ଆଣ୍ଟିବାୟୋଟିକର ପ୍ରଭାବ ଉପରେ ଗୁରୁତ୍ୱାରୋପ କରିଥାଏ ବୋଲି ଅନୁସନ୍ଧାନକାରୀମାନେ କହିଛନ୍ତି। ତେଣୁ ଏହାକୁ ଦୂର କରିବା ପାଇଁ ଜରୁରୀ କାର୍ଯ୍ୟାନୁଷ୍ଠାନ ନେବାକୁ ରିପୋର୍ଟରେ ଦର୍ଶାଯାଇଛି। ମୁଖ୍ୟତଃ କୃଷି କ୍ଷେତ୍ରରେ କ୍ରିଟିକାଲ ଆଣ୍ଟିବାୟୋଟିକର ଅପବ୍ୟବହାର କାରଣରୁ ମାନବ ଶରୀରରେ ପ୍ରତିରୋଧତା କ୍ଷମତା ହ୍ରାସ ପାଉଛି। ମଣିଷ ଓ ପଶୁପକ୍ଷୀଙ୍କ ସ୍ୱାସ୍ଥ୍ୟ ଉପରେ ଆଣ୍ଟିବାୟୋଟିକ୍ସର ପ୍ରଭାବକୁ ବଳବତ୍ତର ରଖିବା ପାଇଁ ଦୃଢ ପଦକ୍ଷେପ ଆବଶ୍ୟକ ବୋଲି ରିପୋର୍ଟରେ ପରାମର୍ଶ ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking