27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଆଇସିସି ଦିନିକିଆ ବିଶ୍ୱକପ୍‌; ଜୁନ୍ ୧୮ରୁ ଜିମ୍ବାୱେରେ କ୍ୱାଲିଫାୟର୍‌

ଆଇସିସି ଦିନିକିଆ ବିଶ୍ୱକପ୍‌; ଜୁନ୍ ୧୮ରୁ ଜିମ୍ବାୱେରେ କ୍ୱାଲିଫାୟର୍‌

ଦୁବାଇ: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଭାରତରେ ଆଇସିସି ଦିନିକିଆ ବିଶ୍ୱକପ୍ ଖେଳାଯିବ । ଏଥିରେ ମୋଟ ୧୦ଟି ଟିମ୍ ଭାଗ ନେବାକୁ ଥିବା ବେଳେ ଆଇସିସି ର‌୍ୟାଙ୍କିଙ୍ଗ୍‌ର ଶୀର୍ଷ ୮ ଦଳ ସିଧାସଳଖ ଯୋଗ୍ୟତା ଅର୍ଜନ କରିସାରିଛନ୍ତି । ଅବଶିଷ୍ଟ ଦୁଇଟି ସ୍ଥାନ ପୂରଣ ସକାଶେ ଆସନ୍ତା ଜୁନ୍ ୧୮ରୁ ଜିମ୍ବାୱେଠାରେ କ୍ୱାଲିଫାୟର୍ ଖେଳାଯିବ ବୋଲି ମଙ୍ଗଳବାର ଆଇସିସି ପକ୍ଷରୁ ସୂଚନା ଦିଆଯାଇଛି । ଜୁଲାଇ ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ୍‌ରେ ମୋଟ ୧୦ଟି ଦଳ ଭାଗନେବେ । ଏହି ଟିମ୍‌ଗୁଡ଼ିକୁ ଦୁଇଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି ।

ଗ୍ରୁପ୍‌-ଏ’ରେ ଆୟୋଜକ ଜିମ୍ବାୱେ ସହ ୱେଷ୍ଟ୍‌ଇଣ୍ଡିଜ୍‌, ଦି ନେଦରଲାଣ୍ଡ୍‌ସ, ନେପାଳ ଓ ଆମେରିକା ସ୍ଥାନ ପାଇଥିବା ବେଳେ ଗ୍ରୁପ୍‌-ବି’ରେ ଶ୍ରୀଲଙ୍କା, ଆୟର୍ଲାଣ୍ଡ୍‌, ସ୍କଟ୍‌ଲାଣ୍ଡ୍‌, ଓମାନ୍ ଓ ୟୁଏଇ ରହିଛନ୍ତି । ଗ୍ରୁପ୍ ପର୍ଯ୍ୟାୟରେ ଦଳଗୁଡ଼ିକ ୩ଟି ଲେଖାଏଁ ମ୍ୟାଚ୍ ଖେଳିବା ପରେ ଉଭୟ ଗ୍ରୁପ୍‌ର ଶୀର୍ଷ ୩ଟି ଲେଖାଏଁ ଦଳ ସୁପର୍ ସିକ୍ସ ପର୍ଯ୍ୟାୟକୁ ଉନ୍ନୀତ ହେବେ । ଉକ୍ତ ପର୍ଯ୍ୟାୟରେ ଗ୍ରୁପ୍‌ରେ ଭେଟି ନ ଥିବା ଦଳ ସହ ଟିମ୍‌ଗୁଡ଼ିକର ମୁକାବିଲା ହେବ । ଗ୍ରୁପ୍ ପର୍ଯ୍ୟାୟରେ ଟିମ୍‌ଗୁଡ଼ିକ ପାଇଥିବା ପଏଣ୍ଟ୍ ସୁପର୍ ସିକ୍ସ ପର୍ଯ୍ୟାୟରେ ବି ଲାଗୁ ହେବ ।

କିନ୍ତୁ ଯେଉଁ ଦଳଗୁଡ଼ିକ ସୁପର୍ ସିକ୍ସକୁ ଯାଇପାରି ନ ଥିବେ, ସେ ଦଳ ବିପକ୍ଷରେ ମିଳିଥିବା ପଏଣ୍ଟ୍‌କୁ ଏହି ପର୍ଯ୍ୟାୟରେ ହିସାବକୁ ନିଆଯିବ ନାହିଁ । ୪ଟି ଭେନ୍ୟୁରେ ମୋଟ ୩୪ଟି ମ୍ୟାଚ୍ ଖେଳାଯିବାକୁ ଥିବା ଫାଇନାଲ୍ ମ୍ୟାଚ୍ ହରାରେ ସ୍ପୋର୍ଟ୍ସ କ୍ଲବ୍‌ରେ ଅନୁଷ୍ଠିତ ହେବ । ଟୁର୍ଣ୍ଣାମେଣ୍ଟ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଜିମ୍ବାୱେର ମୁକାବିଲା ହରାରେ ସ୍ପୋର୍ଟ୍ସ କ୍ଲବ୍‌ଠାରେ ନେପାଳ ସହ ହେବ । ଉକ୍ତ ଦିନର ଦ୍ୱିତୀୟ ମ୍ୟାଚ୍‌ରେ ଦୁଇ ଥରର ଚାମ୍ପିଅନ୍ ୱେଷ୍ଟ୍‌ଇଣ୍ଡିଜ୍ ପଡ଼ୋଶୀ ଆମେରିକାକୁ ତାକାଶିଙ୍ଗା କ୍ରିକେଟ୍ କ୍ଲବ୍‌ଠାରେ ଭେଟିବ । ସେହିପରି ଗ୍ରୁପ୍‌-ବି’ର ମ୍ୟାଚ୍ ବୁଲାୱାୟୋର କ୍ୱିନ୍ସ ସ୍ପୋର୍ଟ୍ସ କ୍ଲବ୍‌ଠାରେ ଜୁନ୍ ୧୯ରେ ଆରମ୍ଭ ହେବ ।

ଏଥିରେ ବୁଲାୱାୟୋ ଆଥଲେଟିକ୍ କ୍ଲବ୍‌ଠାରେ ୧୯୯୬ ବିଶ୍ୱକପ୍ ଚାମ୍ପିଅନ୍ ଶ୍ରୀଲଙ୍କାକୁ ୟୁଏଇ ଓ ଆୟର୍ଲାଣ୍ଡ୍‌କୁ ଓମାନ୍ ଭେଟିବ । ଜୁନ୍ ୨୦ରେ ଦି ନେଦରଲାଣ୍ଡ୍‌ସ ଜିମ୍ବାୱେ ବିପକ୍ଷରୁ ତା’ର ଅଭିଯାନ ଆରମ୍ଭ କରିବ । ଏହି ଟୁର୍ଣ୍ଣାମେଣ୍ଟ୍‌ରେ ପ୍ରଥମ ଥର ପାଇଁ ଡିଆର୍‌ଏସ୍‌ର ଉପଯୋଗ ହେବ ବୋଲି ଆଇସିସି ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking