26.1 C
Bhubaneswar
Thursday, September 19, 2024
Homeଖେଳଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌: ଆଜି ଟିମ୍ ଇଣ୍ଡିଆର ଜିମ୍ବାୱେ ମୁକାବିଲା

ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌: ଆଜି ଟିମ୍ ଇଣ୍ଡିଆର ଜିମ୍ବାୱେ ମୁକାବିଲା

ମେଲ୍‌ବର୍ଣ୍ଣ : ଗ୍ରୁପ୍‌-୨ରେ ଶୀର୍ଷ ସ୍ଥାନରେ ରହିଥିଲେ ମଧ୍ୟ ଟିମ୍ ଇଣ୍ଡିଆ ଅଦ୍ୟାବଧି ସେମିଫାଇନାଲ୍ ଟିକେଟ୍ ପକ୍କା କରିପାରିନାହିଁ । ଦଳ ରବିବାର ଏଠାରେ ତା’ର ଅନ୍ତିମ ଲିଗ୍ ମ୍ୟାଚ୍‌ରେ ଜିମ୍ବାୱେକୁ ଭେଟିବ । ଲିଗ୍ ପର୍ଯ୍ୟାୟର ଏହି ଶେଷ ମ୍ୟାଚ୍ ପୂର୍ବରୁ ପାକିସ୍ତାନ ଓ ସାଉଥ୍ ଆଫ୍ରିକା ବିଜୟୀ ହେଲେ, ଅନ୍ତିମ ୪ ଦଳରେ ସାମିଲ୍ ହେବା ସକାଶେ ଭାରତ ପାଇଁ ବିଜୟ ନିହାତି ଆବଶ୍ୟକ । ଟିମ୍ ଇଣ୍ଡିଆ ଅଦ୍ୟାବଧି ୪ଟି ମ୍ୟାଚ୍‌ରୁ ୩ଟିରେ ବିଜୟୀ ହୋଇଥିଲେ ମଧ୍ୟ ଏଥିପାଇଁ ତାକୁ ଯଥେଷ୍ଟ ସଂଘର୍ଷ କରିବାକୁ ପଡ଼ିଛି । ଦଳକୁ ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନକୁ ପରାସ୍ତ କରିବା ସକାଶେ ବିରାଟ କୋହଲିଙ୍କଠାରୁ ସ୍ୱତନ୍ତ୍ର ଇନିଂସ ପାଇଛି । ସେହିପରି ଗତ ମ୍ୟାଚ୍‌ରେ ବାଂଲାଦେଶ ଅନ୍ତିମ ୯ ଓଭର୍‌ରେ ମାତ୍ର ୮୫ ରନ୍ ଲୋଡ଼ୁଥିବା ବେଳେ ଦଳ ହାତରେ ୧୦ଟିଯାକ ୱିକେଟ୍ ସୁରକ୍ଷିତ ଥିଲା ।

ଅନ୍ୟପକ୍ଷରେ ଜିମ୍ବାୱେ ଯଦିଓ ପ୍ରତିଯୋଗିତାରୁ ବାଦ୍ ପଡ଼ିସାରିଛି, ତଥାପି ଏହି ଦଳକୁ ଟିମ୍ ଇଣ୍ଡିଆ ଆଦୌ ହାଲ୍‌କା ଭାବେ ନେବ ନାହିଁ । କାରଣ ଜିମ୍ବାୱେ ପୂର୍ବରୁ ସୁପର୍‌-୧୨ ପର୍ଯ୍ୟାୟରେ ପାକିସ୍ତାନ ପରି ଏସିଆ କପ୍ ରନର୍ସଅପ୍ ଦଳକୁ ହରାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ଏହା ପୂର୍ବରୁ ଦଳ ପ୍ରଥମ ରାଉଣ୍ଡ୍‌ରେ ନିଜ ଗ୍ରୁପ୍‌ରେ ଶୀର୍ଷରେ ରହି ସୁପର୍‌-୧୨ ପର୍ଯ୍ୟାୟ ପାଇଁ ଯୋଗ୍ୟତା ପାଇଥିଲା । ସେହିପରି ଟୁର୍ଣ୍ଣାମେଣ୍ଟ୍‌ରେ ଜିମ୍ବାୱେ ତା’ର ଆକ୍ରମଣାତ୍ମକ ଆଭିମୁଖ୍ୟ ସକାଶେ ଦର୍ଶକଙ୍କ ହୃଦୟ ଜିଣିପାରିଛି । ତେଣୁ ଦଳ ବିଶ୍ୱକପ୍‌ରେ ନିଜର ଅନ୍ତିମ ମ୍ୟାଚ୍‌କୁ ସ୍ମରଣୀୟ କରିବା ସକାଶେ ଭରପୂର ଉଦ୍ୟମ କରିବ । ମ୍ୟାଚ୍‌ରେ ଖେଳାଳିଙ୍କ ସମ୍ପର୍କରେ ଆଲୋଚନା କଲେ, ଟିମ୍ ଇଣ୍ଡିଆର ଦୁଇ ଓପନର ଅଧିନାୟକ ରୋହିତ ଶର୍ମା ଓ ଉପଅଧିନାୟକ ଲୋକେଶ ରାହୁଲ୍ ଯଥାକ୍ରମେ ନେଦରଲାଣ୍ଡ୍‌ସ ଓ ବାଂଲାଦେଶ ବିପକ୍ଷରେ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ ହେଁ ସେମାନେ ଟୁର୍ଣ୍ଣାମେଣ୍ଟ୍‌ରେ ଭଲ ଷ୍ଟାର୍ଟ ଦେବାରେ ବିଫଳ ରହିଛନ୍ତି ।

କାରଣ ଗତ ୪ଟି ମ୍ୟାଚ୍‌ରେ ଏହି ଯୋଡ଼ି ହାରାହାରି ୧୩ ରନ୍ ସଂଗ୍ରହ କରିଛି । ଟୁର୍ଣ୍ଣାମେଣ୍ଟ୍‌ରେ କେବଳ ପାକିସ୍ତାନ ଓ ନାମ୍ବିଆ ଓପନର ଏହାଠାରୁ ଖରାପ ପ୍ରଦର୍ଶନ କରିଛନ୍ତି । ରବିବାର ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କଲେ, ଜିମ୍ବାୱେ ପେସର୍‌ମାନେ ଦଳର ବ୍ୟାଟ୍ସମ୍ୟାନ୍‌ଙ୍କୁ ହଇରାଣ କରିବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ଜିମ୍ବାୱେର ୱିକେଟ୍‌କିପର୍‌-ବ୍ୟାଟ୍ସମ୍ୟାନ୍ ରେଗିସ୍ ଚକାବା ଗତ ୭ଟି ବିଶ୍ୱକପ୍ ମ୍ୟାଚ୍‌ରେ ୬.୪୨ ହାରରେ ମାତ୍ର ୪୫ ରନ୍ କରିପାରିଛନ୍ତି । ଚଳିତ ବିଶ୍ୱକପ୍‌ରେ ପ୍ରଥମେ ତାଙ୍କୁ ଇନିଂସ ଓପନ୍ ଦାୟିତ୍ୱ ଦିଆଯାଇଥିଲା । କିନ୍ତୁ ଖରାପ ପ୍ରଦର୍ଶନ କାରଣରୁ ତାଙ୍କୁ ପରବର୍ତ୍ତୀ ସମୟରେ ୬ ନମ୍ବରକୁ ଖସାଇ ଦିଆଯାଇଛି ।

ଅବଶ୍ୟ ନେଦରଲାଣ୍ଡ୍‌ସ ବିପକ୍ଷରେ ସେ ୩ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ, କିନ୍ତୁ ୧୬ଟି ବଲ୍ ଖେଳି ମାତ୍ର ୫ ରନ୍ ସଂଗ୍ରହ କରିପାରିଥିଲେ । ଏପରିକି ଏହି ଇନିଂସରେ ସେ ଦୁଇଟି ଜୀବନଦାନ ମଧ୍ୟ ପାଇଥିଲେ । ଜିମ୍ବାୱେ ବୋଲରମାନେ କ୍ରମାଗତ ଉନ୍ନତ ପ୍ରଦର୍ଶନ କରିଆସିଥିଲେ ମଧ୍ୟ ଦଳକୁ ବ୍ୟାଟ୍ସମ୍ୟାନ୍‌ମାନେ ନିରାଶ କରିଆସିଛନ୍ତି । ତେଣୁ ଟିମ୍ ଇଣ୍ଡିଆ ବିପକ୍ଷ ମ୍ୟାଚ୍‌ରେ ଦଳର ବ୍ୟାଟିଂ ଲାଇନ୍‌କୁ ସଶକ୍ତ ହେବାକୁ ହେଲେ ଚକାବାଙ୍କୁ ତାଙ୍କ ଚିରାଚରିତ ଢଙ୍ଗରେ ଦ୍ରୁତ ରନ୍ ସଂଗ୍ରହ କରିବାକୁ ପଡ଼ିବ । ମ୍ୟାଚ୍‌ରେ ଉଭୟ ଦଳ ସେମାନଙ୍କ ଚୂଡ଼ାନ୍ତ ଏକାଦଶରେ କୌଣସି ପ୍ରକାର ପରିବର୍ତ୍ତନ କରିବାର ସମ୍ଭାବନା କ୍ଷୀଣ ରହିଛି ।

ମେଲ୍‌ବର୍ଣ୍ଣରେ ବର୍ଷା ଯୋଗୁଁ ଏକାଧିକ ମ୍ୟାଚ୍ ପ୍ରଭାବିତ ହୋଇଥିଲେ ହେଁ ରବିବାର ଏଠାରେ ପାଗ ନିର୍ମଳ ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଯଦିଓ ପିଚ୍‌ରୁ ବୋଲରଙ୍କୁ ପ୍ରାରମ୍ଭିକ ଫାଇଦା ମିଳିବ, ତଥାପି ଏହା ବ୍ୟାଟ୍ସମ୍ୟାନ୍‌ଙ୍କୁ ସୁହାଇବାର ଯଥେଷ୍ଟ ସମ୍ଭାବନା ରହିଛି ।

ସମ୍ଭାବ୍ୟ ଭାରତୀୟ ଏକାଦଶ: ଲୋକେଶ ରାହୁଲ୍‌, ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ (ୱିକେଟ୍‌କିପର୍‌), ଅକ୍ଷର ପଟେଲ୍‌, ରବିଚନ୍ଦ୍ରନ୍ ଅଶ୍ୱିନ୍‌, ଭୁବନେଶ୍ୱର କୁମାର, ମହମ୍ମଦ ଶମୀ ଓ ଅର୍ଶଦୀପ ସିଂହ ।

ସମ୍ଭାବ୍ୟ ଜିମ୍ବାୱେ ଏକାଦଶ: ୱେସ୍‌ଲି ମାଧେଭେରେ, କ୍ରେଗ୍ ଆରୱିନ୍ (ଅଧିନାୟକ), ରେଗିସ୍ ଚକାବା (ୱିକେଟ୍‌କିପର୍‌), ସିନ୍ ୱିଲିୟମ୍ସ, ସିକନ୍ଦର ରାଜା, ମିଲଟନ୍ ଶୁମ୍ବା, ର‌୍ୟାନ୍ ବର୍ଲ, ଲ୍ୟୁକ୍ ଜୋଙ୍ଗୱେ, ରିଚାର୍ଡ ଏନ୍‌ଗାରାଭା, ଟେଣ୍ଡାଇ ଚତାରା ଓ ବ୍ଲେସିଙ୍ଗ୍ ମୁଜାରବାନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking