ଦୁବାଇ: ଆଇସିିସି ପକ୍ଷରୁ ବୁଧବାର ସଦ୍ୟତମ ଦିନିକିଆ ର୍ୟାଙ୍କିଙ୍ଗ୍ ଜାରୀ କରାଯାଇଛି । ଭାରତର ଓପ୍ନିଂ ବ୍ୟାଟର୍ ଶୁବମାନ୍ ଗିଲ୍ ବ୍ୟାଟିଂ ର୍ୟାଙ୍କିଙ୍ଗ୍ରେ କ୍ୟାରିୟର୍ ଶ୍ରେଷ୍ଠ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ତାଙ୍କ ବ୍ୟତୀତ ଟିମ୍ ଇଣ୍ଡିଆ କ୍ୟାପ୍ଟେନ୍ ରୋହିତ ଶର୍ମା (ଅଷ୍ଟମ) ଏବଂ ଷ୍ଟାର୍ ବ୍ୟାଟର୍ ବିରାଟ କୋହଲି (ନବମ) ର୍ୟାଙ୍କିଙ୍ଗ୍ର ଶୀର୍ଷ-୧୦ରେ ସ୍ଥାନ ପାଇଛନ୍ତି । ର୍ୟାଙ୍କିଙ୍ଗ୍ର ଶୀର୍ଷ ୧୦ରେ ତିନିଜଣ ଭାରତୀୟ ସ୍ଥାନ ପାଇବା ୨୦୧୯ ଜାନୁଆରୀ ପରେ ପ୍ରଥମ ଘଟଣା । ସେତେବେଳେ ରୋହିତ ଶର୍ମା, କୋହଲି ଏବଂ ଭେଟେରାନ୍ ଶିଖର ଧୱନ୍ ଶୀର୍ଷ-୧୦ରେ ରହିଥିଲେ । ଏସିଆ କପ୍ରେ ପାକିସ୍ତାନ ବିପକ୍ଷରେ ଗିଲ୍ କ୍ୟାପ୍ଟେନ୍ ରୋହିତ ଶର୍ମାଙ୍କ ସହିତ ପ୍ରଥମ ୱିକେଟ୍ ପାଇଁ ୧୨୧ ରନ୍ର ଭାଗିଦାରୀ କରିଥିଲେ ।
ସେ ଏହି ମ୍ୟାଚ୍ରେ ୫୮ ରନ୍ର ଚମତ୍କାର ଇନିଂସ୍ ଖେଳିଥିଲେ । ଫଳରେ ତାଙ୍କୁ ର୍ୟାଙ୍କିଙ୍ଗ୍ରେ ଗୋଟିଏ ସ୍ଥାନର ଲାଭ ହୋଇଛି । ଚଳିତ ଏସିଆ କପ୍ରେ ରୋହିତ ଲଗାତାର ତିନିଟି ଅର୍ଦ୍ଧଶତକ ହାସଲ କରିଥିବା ବେଳେ ପାକିସ୍ତାନ ବିପକ୍ଷ ସୁପର୍-୪ ମ୍ୟାଚ୍ରେ ଅପରାଜିତ ୧୨୨ ରନ୍ର ଇନିଂସ୍ ଖେଳିଥିବା କୋହଲିଙ୍କୁ ର୍ୟାଙ୍କିଙ୍ଗ୍ରେ ଦୁଇଟି ସ୍ଥାନର ଲାଭ ମିଳିଛି । ଦିନିକିଆ ବିଶ୍ୱକପ୍କୁ ମାସକରୁ କମ୍ ସମୟ ଥିବାବେଳେ ପାକିସ୍ତାନର ତିନିଜଣ ବ୍ୟାଟର୍ ମଧ୍ୟ ର୍ୟାଙ୍କିଙ୍ଗ୍ର ଶୀର୍ଷ-୧୦ ମଧ୍ୟରେ ରହିଛନ୍ତି । କ୍ୟାପ୍ଟେନ୍ ବାବର ଆଜମ୍ ଶୀର୍ଷ ସ୍ଥାନରେ ଥିବାବେଳେ ଗିଲ୍ଙ୍କ ଠାରୁ ୧୦୦ ରେଟିଂ ପଏଣ୍ଟ୍ ଆଗରେ ଅଛନ୍ତି । ସେହିପରି ଇମାମ୍ ଉଲ୍ ହକ୍ ଓ ଫଖର୍ ଜମାନ୍ ଯଥାକ୍ରମେ ୫ମ ଓ ୧୦ମ ସ୍ଥାନରେ ରହିଛନ୍ତି ।
ଏହି ତାଜା ର୍ୟାଙ୍କିଙ୍ଗ୍ରେ ସାଉଥ୍ ଆଫ୍ରିକା-ଅଷ୍ଟ୍ରେଲିଆ ସିରିଜ୍ର ତିନିଟି ଏବଂ ଇଂଲଣ୍ଡ-ନ୍ୟୁଜିଲାଣ୍ଡ୍ ସିରିଜ୍ର ଦୁଇଟି ମ୍ୟାଚ୍ର ପ୍ରଦର୍ଶନକୁ ମଧ୍ୟ ସାମିଲ କରାଯାଇଛି । ସାଉଥ୍ ଆଫ୍ରିକା କ୍ୟାପ୍ଟେନ୍ ଟେମ୍ବା ବାଭୁମା ଗତ ଆଠଟି ମ୍ୟାଚ୍ରେ ତିନି ଶତକ ଓ ଦୁଇ ଅର୍ଦ୍ଧଶତକ ହାସଲ କରିବା ପରେ ଶୀର୍ଷ-୧୦ର ନିକଟବର୍ତ୍ତୀ ହୋଇଛନ୍ତି । ୨୧ ସ୍ଥାନର ଲମ୍ଫ ପ୍ରଦାନ କରି ସେ ୧୧ ନମ୍ବରରେ ପହଞ୍ଚିଥିବା ବେଳେ ପୂର୍ବରୁ ତାଙ୍କର ସର୍ବଶ୍ରେଷ୍ଠ ର୍ୟାଙ୍କିଙ୍ଗ୍ ୨୫ ଥିଲା । ଅଷ୍ଟ୍ରେଲୀୟ ଖେଳାଳି ଡେଭିଡ୍ ୱାର୍ଣ୍ଣର୍ (ଚତୁର୍ଥ), ଟ୍ରେଭିସ୍ ହେଡ୍ (୨୦ଶ) ଏବଂ ମାର୍ନସ୍ ଲାବୁସାନ୍ (୪୫ତମ) ମଧ୍ୟ ର୍ୟାଙ୍କିଙ୍ଗ୍ରେ ପ୍ରଗତି କରିଛନ୍ତି । ସେହିପରି କେଏଲ୍ ରାହୁଲ ୧୦ ସ୍ଥାନର ସୁଧାର ସହିତ ୩୭ତମ ଏବଂ ଈଶାନ୍ କିଶନ୍ ଦୁଇଟି ସ୍ଥାନର ସୁଧାର ସହିତ ୨୨ତମ ସ୍ଥାନରେ ପହଞ୍ଚିଛନ୍ତି । ଚଳିତ ର୍ୟାଙ୍କିଙ୍ଗ୍ରେ ସାଉଥ୍ ଆଫ୍ରିକାର ଆଇଦେନ୍ ମାର୍କରମ୍, ଶ୍ରୀଲଙ୍କାର ସଦିରା ସମରବିକ୍ରମା, ଇଂଲଣ୍ଡର ଲିଆମ୍ ଲିଭିଂଷ୍ଟୋନ୍, ନ୍ୟୁଜିଲାଣ୍ଡର ଡାରିଲ୍ ମିଚେଲ୍ ଏବଂ ଡେଭନ୍ କୋନ୍ୱେଙ୍କ ମଧ୍ୟ ଲାଭ ମିଳିଛି ।