ଦୁବାଇ: ଭାରତୀୟ ଷ୍ଟାର୍ ପେସର୍ ମହମ୍ମଦ ସିରାଜ୍ ବୁଧବାର ଆଇସିସି ପକ୍ଷରୁ ଜାରି ଦିନିକିଆ ବୋଲିଂ ର୍ୟାଙ୍କିଙ୍ଗ୍ରେ ଶୀର୍ଷରୁ ତୃତୀୟ ସ୍ଥାନ ଖସିଆସିଛନ୍ତି । ଅଷ୍ଟ୍ରେଲିଆ ଫାଷ୍ଟ୍ ବୋଲର୍ ଜୋସ୍ ହାଜେଲ୍ଉଡ୍ ତାଙ୍କୁ ହଟାଇ ଶୀର୍ଷସ୍ଥାନ ଅଧିକାର କରିଛନ୍ତି । ବିଶାଖାପାଟଣାରେ ଅଷ୍ଟ୍ରେଲିଆଠାରୁ ଭାରତର ୧୦ ୱିକେଟ୍ରେ ପରାଜୟ ପରେ ସିରାଜ୍ ହାଜେଲ୍ଉଡ୍ ଏବଂ ନ୍ୟୁଜିଲାଣ୍ଡ୍ର ଟ୍ରେଣ୍ଟ୍ ବୋଲ୍ଟଙ୍କ ପଛରେ ରହିଛନ୍ତି । ପ୍ରଥମ ଥର ପାଇଁ ୨୦୧୭ ଜୁନ୍ରେ କ୍ୟାରିୟର୍ ଶ୍ରେଷ୍ଠ ଦ୍ୱିତୀୟ ସ୍ଥାନ ହାସଲ କରି ଏହାକୁ ୨୦୨୨ ଅଗଷ୍ଟ ପର୍ଯ୍ୟନ୍ତ କାଏମ୍ ରଖିଥିବା ହାଜେଲ୍ଉଡ୍ ଦିନିକିଆରେ ପ୍ରଥମ ଥର ପାଇଁ ଶୀର୍ଷସ୍ଥାନକୁ ଉଠିଛନ୍ତି । ଭାରତ ବିପକ୍ଷ ଦୁଇଟି ମ୍ୟାଚ୍ରେ ଆଠ ୱିକେଟ୍ ହାସଲ କରିଥିବା ଅଷ୍ଟ୍ରେଲୀୟ ପେସର୍ ମିଚେଲ୍ ଷ୍ଟାର୍କ ସିରାଜ୍ଙ୍କ ସହିତ ଯୁଗ୍ମ ତୃତୀୟ ସ୍ଥାନରେ ରହିଛନ୍ତି । ର୍ୟାଙ୍କିଙ୍ଗ୍ରେ ଉପରକୁ ଉଠିଥିବା ଅନ୍ୟ ବୋଲର୍ଙ୍କ ମଧ୍ୟରେ ୱେଷ୍ଟଇଣ୍ଡିଜ୍ର ଆଲ୍ଜାରୀ ଯୋସେଫ୍ (୮ଟି ସ୍ଥାନର ଉନ୍ନତି ସହ ୧୧ଶ) ଭାରତର ମହମ୍ମଦ ଶମୀ (୫ ସ୍ଥାନର ଉନ୍ନତି ସହ ୨୮ତମ) ଏବଂ ନେଦରଲାଣ୍ଡ୍ର ଫ୍ରେଡ୍ କ୍ଲାସେନ୍ (୨୨ ସ୍ଥାନର ଉନ୍ନତି ସହ ୫୨ତମ) ସାମିଲ ।