ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଧିନସ୍ଥ ବଡ଼ନାନପଡ଼ା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ସେହି ଗ୍ରାମର ଗଗନ ବିଶ୍ୱାଳଙ୍କ ମଧ୍ୟମ ବୋହୂ ଲୋପାମୁଦ୍ରା ବିଶ୍ୱାଳଙ୍କ ଗତ ବୁଧବାର ରାତିରେ ରହସ୍ୟମୟ ଭାବରେ ମୃତ୍ୟୁ ହୋଇଛି । ମୃତ ମହିଳାଙ୍କ ଭାଇ ଜୀବନ ଦର୍ଶନ ସ୍ୱାଇଁ ଅସ୍ତରଙ୍ଗ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି । ପ୍ରକାଶ ଯେ ଗୋପ ଥାନା ସୋରଭା ଗ୍ରାମର ଦଶରଥି ସ୍ୱାଇଁଙ୍କ କନ୍ୟା ଲୋପାମୁଦ୍ରା ସ୍ୱାଇଁ ଅସ୍ତରଙ୍ଗ ଥାନା ଅନ୍ତର୍ଗତ ବଡନାନପଡା ଗ୍ରାମରେ ଗଗନ ବିଶ୍ୱାଳଙ୍କ ମଧ୍ୟମ ପୁତ୍ର ପ୍ରଭାତ ବିଶ୍ୱାଳଙ୍କୁ ବିବାହ କରିଥିଲେ । ବିବାହ ପରଠାରୁ ତାଙ୍କ ଶାଶୂ, ଶ୍ୱଶୁର ଗଗନ ବିଶ୍ୱାଳ, ଦେଡ଼ଶୁର ଦେସୁ ବିଶ୍ୱାଳ, ଦିଅର ପ୍ରଦୀପ ବିଶ୍ୱାଳ, ସ୍ୱାମୀ ପ୍ରଭାତ ବିଶ୍ୱାଳ, ବଡ଼ଯାଆ, ସାନଯାଆ ମିଶି ବିଭିନ୍ନ ସମୟରେ ଶାରୀରିକ ମାନସିକ ନିର୍ଯାତନା ଦେଇଆସୁଥିଲେ ।
ଏଥିପାଇଁ ତାଙ୍କ ବାପା ବିଭିନ୍ନ ସମୟରେ ଲୋପାମୁଦ୍ରାଙ୍କ ଘରକୁ ଆସି ବୁଝାସୁଝା କରିଯାଇଥିଲେ । କିନ୍ତୁ ଦୁଃଖର ବିଷୟ ବୁଧବାର ରାତ୍ରୀ ୧୨ଟାରେ ତାଙ୍କ ବାପଘରକୁ ଏକ ଫୋନ କଲ୍ ଆସିଥିଲା ଲୋପାମୁଦ୍ରା ମରିଯାଇଛନ୍ତି । ଯେହେତୁ ଆଗରୁ ଲୋପାମୁଦ୍ରା ବାପା ଭାଇଙ୍କୁ ଜଣାଇଥିଲେ ଯେ ତାଙ୍କ ଶାଶୂଘର ଲୋକ ତାଙ୍କୁ ମାରିଦେବେ ବୋଲି ସବୁବେଳେ ଉଦ୍ୟମ କରୁଛନ୍ତି, ତେଣୁ ତାଙ୍କ ବାପଘର ଲୋକଙ୍କ ସନ୍ଦେହ ହୋଇଛି ଶାଶୂଘର ଲୋକ ମାରିଦେଇଛନ୍ତି । ଏହି ଅଭିଯୋଗକୁ ଭିତ୍ତିକରି ଅସ୍ତରଙ୍ଗ ଥାନା ଏକ ମାମଲା ରୁଜୁ କରି ଦଫା୪୯୮(କ), ୩୦୨, ୩୪ଆଇପିସିରେ ମହିଳାଙ୍କ ସ୍ୱାମୀ ପ୍ରଭାତ ବିଶ୍ୱାଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଅନ୍ୟ ୬ ଅଭିଯୁକ୍ତ ଏବେ ଫେରାର ଅଛନ୍ତି । ଥାନା ଅଧିକାରୀ ଘଟଣାର ତଦନ୍ତ ଜାରି ରଖିଛନ୍ତି । ପ୍ରଭାତଙ୍କ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଯାଇଛି ।