ଭୁବନେଶ୍ୱର : ଜନ୍ମାଷ୍ଟମୀକୁ ମୁମ୍ବାଇ ଏବଂପୁନାରେ ଲୋକେ ଦହି ହାଣ୍ଡି ନାମରେ ବେଶି ଜାଣିଥାନ୍ତି । ଗୋଟିଏ ମାଟିହାଣ୍ଡିରେ ଘୋଳଦହି ପୁରାଇ ଏକ ନିର୍ଦିଷ୍ଟ ଉଚ୍ଚତାରେ ଏହାକୁ ଓହଳାଇ ଦିଆଯାଇଥାଏ । ଏହାପରେ ଲୋକମାନେ ସମୂହ ତିଆରି କରି ଜଣକ ଉପରେ ଜଣେ ଠିଆହୋଇ ଏକ ମିନାର ଗଠନ କରନ୍ତି ଓ ଉପରେ ଥିବା ଲୋକଟି ଏକ ଶକ୍ତ ଜିନିଷରେ ବାଡ଼େଇ ସେହି ହାଣ୍ଡିକୁ ଭାଙ୍ଗିଥାଏ । ଏଥିପାଇଁ ଅନେକ ନଡ଼ିଆ ବ୍ୟବହାର କରିବାକୁ ପସନ୍ଦ କରିଥାନ୍ତି, କାରଣ ନଡ଼ିଆକୁ ହିନ୍ଦୁ ଧର୍ମରେ ଶୁଭ ବୋଲି ଧରାଯାଏ । ହାଣ୍ଡି ଭାଙ୍ଗିଗଲାପରେ ସେଥିରେଥିବା ଦହି ସମସ୍ତଙ୍କ ଉପରେ ବହିଯାଏ । ଏହାକୁ ସାମୂହିକ ପ୍ରଚେଷ୍ଚା ବା ଏକତାର ସଫଳତା ବୋଲି ପ୍ରତୀକାତ୍ମକ ରୂପେ ବିବେଚନା କରାଯାଏ । ସହରର ବିଭିନ୍ନ ସ୍ଥାନରେ ହାଣ୍ଡିର ଆୟୋଜନ ବିଭିନ୍ନ ଗୋଷ୍ଠୀର ଲୋକମାନେ କରିଥାନ୍ତି ଓ ନବଯୁବକମାନେ ଏଥିରେ ଭାଗନେଇଥାନ୍ତି । ଏମାନଙ୍କୁ ଗୋବିନ୍ଦ ପାଠକକୁହାଯାଏ । ଏହି ଗୋବିନ୍ଦପାଠକମାନେ ସହର ସାରା ବୁଲି ବୁଲି ଅଧିକରୁ ଅଧିକ ହାଣ୍ଡିଭାଙ୍ଗିବାକୁ ଚେଷ୍ଟା କରିଥାନ୍ତି ।
ଏମାନେ ପରସ୍ପରସହିତ ପ୍ରତିଦ୍ୱନ୍ଦୀତା କରିଥାନ୍ତି । କାରଣ ହାଣ୍ଡିଭାଙ୍ଗିଲେ ସେମାନଙ୍କୁ ଲକ୍ଷ ଲକ୍ଷ ଟଙ୍କାର ପୁରସ୍କାର ମିଳିଥାଏ । କେତେକ ସ୍ଥାନରେ ଏହା ରାଜନୈତିକ ଅଭିସନ୍ଧିଯୁକ୍ତ ହୋଇଥାଏ । ମୁମ୍ବାଇର ଦରବାର, ଲୋୟର ପାରେଲ, ଓର୍ଲି, ମଜଗାଓଁ, ଲାଲବାଗ୍, ଥାଣେ ଓ ପୁଣେରେ ବାବୁ ଗେନୁ, ମଣ୍ଡାଇରେ ଆୟୋଜିତ ହାଣ୍ଡି ପ୍ରସିଦ୍ଧ । ଟଙ୍କା ଓ ଉପହାର ମିଳୁଥିବାରୁ ମୁମ୍ବାଇରେ ଆୟୋଜିତ ପାଖାପାଖି ୪୦୦୦ ହାଣ୍ଡିପାଇଁ ପ୍ରାୟ ୨୦୦୦ ଗୋବିନ୍ଦ ଦଳ ପ୍ରତିଯୋଗୀତା କରିଥାନ୍ତି ।
ମଣିପୁରରେ ଜନ୍ମାଷ୍ଟମୀ କୃଷ୍ଣଜନ୍ମନାମରେ ଲୋକପ୍ରିୟ । ଏହା ରାଜ୍ୟର ରାଜଧାନୀ ଇମ୍ଫାଲର ଦୁଇଟି ମୁଖ୍ୟ ମନ୍ଦିର ଯଥାକ୍ରମେ ଗୋବିନ୍ଦଜୀ ମନ୍ଦିର ଓ ଇସ୍କନ ମନ୍ଦିରରେ ପାଳିତ ଏକ ପ୍ରଧାନ ଉତ୍ସବ । କୃଷ୍ଣଭକ୍ତମାନେ ମୁଖ୍ୟତଃ ଇସ୍କନ ମନ୍ଦିରରେ ଏକାଠି ହୋଇଥାନ୍ତି ।
କର୍ଣ୍ଣାଟକ ଓ ତାମିଲନାଡୁ
କର୍ଣ୍ଣାଟକରେ ମାଧବା, ଆୟେଙ୍ଗାର, ଶ୍ରୀବୈଷ୍ଣବ ଓ ସ୍ମାର୍ତମାନେ ଏଇ ଉତ୍ସବକୁ ବହୁତ ଆଡ଼ମ୍ବର ସହକାରେ ପାଳନ କରିଥାନ୍ତି । ଶ୍ରକୃଷ୍ଣଙ୍କ ପ୍ରତିମାକୁ ଏକ ସୁସଜ୍ଜିତ ମଣ୍ଡପରେ ସ୍ଥାପନା କରି ତାଙ୍କ ଭକ୍ଷଣମ୍ ନାମକ ସ୍ୱତନ୍ତ୍ରରୂପେ ପ୍ରସ୍ତୁତ ପ୍ରସାଦ ଅନ୍ୟାନ୍ୟ ଫଳମୂଳ ସହିତ ଅର୍ପଣ କରାଯାଏ । କର୍ଣ୍ଣାଟକର ଅନ୍ୟ କେତେକ ସ୍ଥାନରେ ଚକଲି, ଅବଲକ୍କି, ବେଲ୍ଲାଡା ପାନକ ଆଦି ପ୍ରସାଦ ଖାସ ଏଇ ପର୍ବପାଇଁ ପ୍ରସ୍ତୁତ କରାଯାଏ । କିମ୍ବଦନ୍ତୀ ଅନୁସାରେ ସୁଦାମା ଶ୍ରୀକୃଷ୍ଣଙ୍କୁ ଅବଲକି ଦେଇଥିବାରୁ ଏଇଦିନ ହାତରନ୍ଧା ଅବଲକି କୃଷ୍ଣଙ୍କର ସଖା ସୁଦାମାଙ୍କ ପାଇଁ ପାଳନ କରାଯାଏ । ଗମକ ବାଚନ ନାମରେ ଆଉ କେତେକ ଧାର୍ମିକ କାର୍ଯ୍ୟକ୍ରମ ଏଇଦିନ ସନ୍ଧ୍ୟାସମୟକୁ ଅନୁଷ୍ଠିତ ହୋଇଥାଏ ।
ଭାରତ ବାହାରେ
ଲଣ୍ଡନର ସ୍ୱାମୀନାରାୟଣ ମନ୍ଦିରରେ ବାଳକୃଷ୍ଣଙ୍କର ଚପଳ ପ୍ରତିମା
କୃଷ୍ଣଜନ୍ମାଷ୍ଟମୀ ପାଳନ କରିବାପାଇଁ ବିଦେଶରେ ସରକାରୀ ସ୍ତରରେ ମଧ୍ୟ ଆଦେଶ ଜାରି କରାଯାଇଅଛି । ଅରିଜୋନା ଏମିତି ଆଦେଶ ଜାରି କରିବାରେ ପ୍ରଥମ । ତାଙ୍କ ଦେଖାଦେଖି ଅନ୍ୟ ଦେଶମାନେ ମଧ୍ୟ ଏମିତି ଆଦେଶନାମା ଜାରି କରିଛନ୍ତି ।