ଭୁବନେଶ୍ୱର: ବୁଧବାର ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଯାଇଥିବା ଚଳିତ ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ର ସବୁଠାରୁ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିଛି । ଇଂଲଣ୍ଡ ଓ ଜର୍ମାନୀ ମଧ୍ୟରେ ଖେଳାଯାଇଥିବା ଚିତ୍ତାକର୍ଷକ ତୃତୀୟ କ୍ୱାର୍ଟର୍ ଫାଇନାଲ୍ରେ ଏକଦା ଇଂଲଣ୍ଡ ସେମିଫାଇନାଲ୍ ଯିବା ନିଶ୍ଚିତ ହୋଇସାରିଥିବା ବେଳେ ଜର୍ମାନୀ ଦଳର ଗ୍ରାମ୍ବୁଚ୍ ଭ୍ରାତା ମ୍ୟାଟ୍ସ ଓ ଟମ୍ ମାତ୍ର ଦୁଇ ମିନିଟ୍ ମଧ୍ୟରେ ମ୍ୟାଚ୍ର ମୋଡ଼ ବଦଳାଇ ଦେଇଥିଲେ । ଏହା ଦ୍ୱାରା ଜର୍ମାନୀ କେବଳ କମ୍ବ୍ୟାକ୍ କରିନଥିଲା ବରଂ ଶୁଟ୍ଆଉଟ୍ରେ ଇଂଲଣ୍ଡକୁ ୪-୩ରେ ହରାଇ ତୃତୀୟ ଦଳ ଭାବେ ସେମିଫାଇନାଲ୍ରେ ପ୍ରବେଶ କରିଛି । ଦଳ ୨୭ ତାରିଖରେ (ଶୁକ୍ରବାର) ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ ଭେଟିବ । ଆଜିର ଏହି ମ୍ୟାଚ୍ରେ ଇଂଲଣ୍ଡର ଦବ୍ଦବା ଦେଖିବାକୁ ମିଳିଥିଲା । ମ୍ୟାଚ୍ର ଏକାଦଶ ମିନିଟ୍ରେ ଏକ ଫିଲ୍ଡ ଗୋଲ୍ ଦେଇ ଜାଚାରୀ ୱାଲେସ୍ ଦଳକୁ ୧-୦ରେ ଅଗ୍ରଣୀ କରିଥିଲେ । ଏହାପରେ ୩୨ତମ ମିନିଟ୍ରେ ଲିଆମ୍ ଆନ୍ସେଲ୍ ପେନାଲ୍ଟି କର୍ଣ୍ଣର୍କୁ ଗୋଲ୍ରେ ପରିବର୍ତ୍ତନ କରି ଇଂଲଣ୍ଡକୁ ଅଗ୍ରଣୀକୁ ଦ୍ୱିଗୁଣିତ କରିଥିଲେ ।
୩୭ ମିନିଟ୍ରେ ଜର୍ମାନୀକୁ ପେନାଲ୍ଟି କର୍ଣ୍ଣର୍ ମିଳିଥିଲେ ମଧ୍ୟ ରୁହର୍ ଖ୍ରୀଷ୍ଟୋଫର୍ ଏହାକୁ ହାତଛଡ଼ା କରିଥିଲେ । ଇଂଲଣ୍ଡ ମ୍ୟାଚ୍ ସରିବାର ୩ ମିନିଟ୍ ପୂର୍ବ ପର୍ଯ୍ୟନ୍ତ ୨-୦ ଅଗ୍ରଣୀକୁ ବଜାୟ ରଖିଥିଲା । ମାତ୍ର ୫୭ତମ ମିନିଟ୍ରେ ମ୍ୟାଟ୍ସ ଗ୍ରାମ୍ବୁଚ୍ ଏକ ଫିଲ୍ଡ ଗୋଲ୍ କରି ବ୍ୟବଧାନକୁ ୨-୧କୁ ଖସାଇ ଆଣିଥିଲେ । ଏହାପରେ ତାଙ୍କ ସାନଭାଇ ଟମ୍ ଗ୍ରାମ୍ବୁଚ୍ ପେନାଲ୍ଟି ଷ୍ଟ୍ରୋକ୍ରୁ ଗୋଲ୍ କରି ସ୍ଥିତି ସମାନ କରିଥିଲେ । ଶେଷ ପର୍ଯ୍ୟନ୍ତ ସ୍ଥିତି ସମାନ ରହିବା ଫଳରେ ପେନାଲ୍ଟି ଶୁଟ୍ ଆଉଟ୍ର ସହାୟତା ନିଆଯାଇଥିଲା । ଶୁଟ୍ ଆଉଟ୍ରେ ଇଂଲଣ୍ଡ ଓ ଜର୍ମାନୀ ନିଜ ନିଜର ପ୍ରଥମ ଶଟ୍ରେ ସଫଳ ହୋଇଥିଲେ । ଦ୍ୱିତୀୟ ଶଟ୍ରେ ମଧ୍ୟ ଉଭୟ ଦଳକୁ ସଫଳତା ମିଳିଥିଲା । ଇଂଲଣ୍ଡ ତୃତୀୟ ଶଟ୍କୁ ମିସ୍ କରିଥିବା ବେଳେ ଜର୍ମାନୀ ଗୋଲ୍ ଦେଇ ସ୍ଥିତି ୩-୨ କରିଥିଲା । ଚତୁର୍ଥ ଶଟ୍ରେ ଉଭୟ ଦଳ ଗୋଲ୍ କରିବାରୁ ସ୍କୋର୍ ଲାଇନ୍ ୪-୩ ହୋଇଥିଲା । ତେବେ ଗୁରୁତ୍ୱପୂର୍ଣ୍ଣ ପଞ୍ଚମ ଶଟ୍କୁ ଇଂଲଣ୍ଡର ଲିଆମ୍ ଆନ୍ସେଲ୍ ମିସ୍ କରିବାରୁ ଦୁଇଥରର ବିଶ୍ୱ ଚାମ୍ପିଅନ୍ ଜର୍ମାନୀ ୪-୩ରେ ବିଜୟୀ ହୋଇ ୨୦୧୦ ପରେ ପ୍ରଥମ ଥର ପାଇଁ ସେମିଫାଇନାଲ୍ରେ ପ୍ରବେଶ କରିଥିଲା । ଅନ୍ୟପକ୍ଷରେ ଇଂଲଣ୍ଡ ବିଶ୍ୱକପ୍ ଇତିହାସରେ ପ୍ରଥମ ଥର ପାଇଁ ଅନ୍ତିମ ଚାରିରେ ସ୍ଥାନ ହାସଲରେ ବିଫଳ ହୋଇଛି ।