ନୂଆଦିଲ୍ଲୀ: କୌଣସି ରାଜ୍ୟ ନିଜର ସ୍ବତନ୍ତ୍ର ସମ୍ପ୍ରଦାୟ କିମ୍ବା ଭାଷାର ଲୋକଙ୍କୁ ସଂଖ୍ୟାଲଘୁର ମାନ୍ୟତା ଦେଇପାରେ। ଏନେଇ ସୁପ୍ରିମକୋର୍ଟରେ କହିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ପକ୍ଷରୁ ଜାତୀୟ ସଂଖ୍ୟାଲଘୁ କମିଶନ୍ର ଗଠନକୁ ଚ୍ୟାଲେଞ୍ଜ ଦେଉଥିବା ଆବେଦନ ଉପରେ ଏହି ଜବାବ୍ ଦାଖଲ କରିଛନ୍ତି। ଏହି ଆବେଦନରେ ପ୍ରତ୍ୟେକ ରାଜ୍ୟରେ ଜନସଂଖ୍ୟା ଅନୁଯାୟୀ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ନିର୍ଦ୍ଧାରଣ କରିବା ପାଇଁ ଦାବି ରହିଛି।
ବିଜେପି ନେତା ଓ ଆଇନଜୀବି ଅଶ୍ୱିନୀ ଉପାଧ୍ୟାୟ ୧୯୯୨ ରେ ଜାତୀୟ ସଂଖ୍ୟାଲଘୁ ଆୟୋଗ ଅଧିନିୟମ ଓ ଜାତୀୟ ସଂଖ୍ୟାଲଘୁ କମିଶନ ଶିକ୍ଷା ପ୍ରତିଷ୍ଠାନ ଅଧିନିୟମ ୨୦୦୪ କୁ ଚ୍ୟାଲେଞ୍ଜ ଦେଉଛି। ତାଙ୍କର କହିବା ଅନୁସାରେ ୯ ରାଜ୍ୟରେ ହିନ୍ଦୁ ସଂଖ୍ୟାଲଘୁ ଅଛି। ଲଦାଖରେ ହିନ୍ଦୁଙ୍କ ଜନସଂଖ୍ୟା ୧ ପ୍ରତିଶତ। ମିଜୋରାମ୍ରେ ୨,୭୭% , କାଶ୍ମୀରରେ ୪%, ନାଗାଲାଣ୍ଡରେ ୮.୭୪%, ମେଘାଳୟରେ ୧୧,୫୨%, ଅରୁଣାଚଳ ପ୍ରଦେଶରେ ୨୯.୨୪%, ପଞ୍ଜାବରେ ୩୮.୪୯% ଓ ମଣିପୁରରେ ୪୧.୨୯% ହିନ୍ଦୁଙ୍କ ଜନସଂଖ୍ୟା ରହିଛି। କିନ୍ତୁ ଏହାପରେ ମଧ୍ୟ ସରକାରୀ ଯୋଜନା ଲାଗୁ କରିବା ସମୟରେ ତାଙ୍କୁ ସଂଖ୍ୟାଲଘୁଙ୍କ ପାଇଁ ନିର୍ଦ୍ଧାରିତ ଲାଭ ମିଳୁନି।
ଆବେଦନରେ ୨୦୦୨ ରେ ଟିଏମ୍ଏ ପଇ ବନାମ କର୍ଣ୍ଣାଟକ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ମଧ୍ୟ ଦର୍ଶାଯାଇଛି। ସେତେବେଳେ ସୁପ୍ରିମକୋର୍ଟ କହିଥିଲେ, କୌଣସି ଅଞ୍ଚଳରେ ଯେଉଁ ଲୋକଙ୍କ ସଂଖ୍ୟା କମ୍ ରହିଛି ତାଙ୍କୁ ସମ୍ବିଧାନର ଆର୍ଟିକିଲ୍ ୩୦(୧) ଅନୁସାରେ , ନିଜ ଧର୍ମ ଓ ସଂସ୍ମୃତିର ରକ୍ଷା ପାଇଁ ସ୍କୁଲ, କଲେଜ ଖୋଲିବାର ଅଧିକାର ରହିଛି। ଉପାଧ୍ୟାୟ କହିଛନ୍ତି ଯେ ସଂଖ୍ୟାଲଘୁ ସମ୍ପ୍ରଦାୟ ଯେପରି ଦେଶରେ ଚର୍ଚ୍ଚ ଦ୍ୱାରା ପରିଚାଳିତ ସ୍କୁଲ କିମ୍ବା ମଦ୍ରାସା ଖୋଲନ୍ତି, ସେଭଳି ହିନ୍ଦୁମାନଙ୍କୁ ମଧ୍ୟ ୯ ଟି ରାଜ୍ୟରେ ସ୍ବତନ୍ତ୍ର ସ୍କୁଲ ଖୋଲିବାର ଅନୁମତି ଦିଆଯିବା ଉଚିତ୍। ଏହି ସ୍କୁଲ ଗୁଡିକୁ ସରକାରୀ ସଂରକ୍ଷଣ ମିଳିବା ଦରକାର।