ଚଣ୍ଡିଗଡ: ପଞ୍ଜାବରେ ବିଗତ ୨୪ ଘଣ୍ଟା ଧରି ପ୍ରବଳ ବର୍ଷା ଲାଗିରହିଥିବାରୁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ପରିପ୍ରେକ୍ଷୀରେ ଆସନ୍ତା ୨୬ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ୍ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଗତ ସପ୍ତାହରେ ପ୍ରବଳ ବର୍ଷା ଯୋଗୁଁ ପଞ୍ଜାବର ଗୁରୁଦାସପୁର, ହୋସିଆରପୁର, କପୁରଥଲା ଓ ଫିରୋଜପୁର ଜିଲ୍ଲାରେ ନାହିଁନଥିବା କ୍ଷତି ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଭାକ୍ରା ଓ ପୋଙ୍ଗ୍ ଡ୍ୟାମ୍ରୁ ଜଳ ନିଷ୍କାସନ କରାଯିବା ଫଳରେ ଏହି ଜିଲ୍ଲାଗୁଡିକର ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ ହୋଇପଡିଛି । ଏହାସାଙ୍ଗକୁ ବ୍ୟାସ୍ ଓ ସତଲେଜ୍ ନଦୀର ଜଳପତ୍ତନ ବୃଦ୍ଧି ପାଇ ଆଖପାଖ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଇଛି । ପଞ୍ଜାବ ବ୍ୟତୀତ ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ମଧ୍ୟ ବନ୍ୟା ପ୍ରକୋପ ଜାରି ରହିଥିବା ଜଣାପଡିଛି ।